ମୋଦି ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି, ସପ୍ତାହେ ପାଳିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ସପ୍ତାହେ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି। କରୋନାଜନିତ କଟକଣା ଓ ଗାଇଡଲାଇନକୁ ପାଳନ କରି ବିଜେପି ଏସବୁ କାର୍ଯ୍ୟକ୍ରମ ପାଳନ କରିବ ଓ ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ମୋଦି ସରକାର-୨ର ବର୍ଷ ପୂର୍ତ୍ତି ପାଇଁ ଡିଜିଟାଲ ପ୍ଲାଟଫାର୍ମ ମାଧ୍ୟମରେ ବିଜେପି ସଭାପତି […]

nadda

Manoranjan Sial
  • Published: Friday, 29 May 2020
  • , Updated: 29 May 2020, 09:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ସପ୍ତାହେ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି। କରୋନାଜନିତ କଟକଣା ଓ ଗାଇଡଲାଇନକୁ ପାଳନ କରି ବିଜେପି ଏସବୁ କାର୍ଯ୍ୟକ୍ରମ ପାଳନ କରିବ ଓ ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ମୋଦି ସରକାର-୨ର ବର୍ଷ ପୂର୍ତ୍ତି ପାଇଁ ଡିଜିଟାଲ ପ୍ଲାଟଫାର୍ମ ମାଧ୍ୟମରେ ବିଜେପି ସଭାପତି ଜେପି ନଡ୍ଡା ଦଳୀୟ କର୍ମୀମାନଙ୍କୁ ଆସନ୍ତାକାଲି ଅପରାହ୍ନ ୪ଟାରେ ସମ୍ବୋଧନ କରିବେ।

ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ନରେନ୍ଦ୍ର ମୋଦିଙ୍କ ନେତୃ୍‌ତ୍ୱରେ କେନ୍ଦ୍ର ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଆସନ୍ତା କାଲି ମେ’ ୩୦ତାରିଖରେ ପୂରଣ ହେଉଛି। ଏହି ବର୍ଷଟି ଐତିହାସିକ ଉପଲବ୍ଧିରେ ଭରି ରହିଛି । କେତେ ଦଶନ୍ଧି ଧରି ଦେଶର ଜନମାନସର ଇଚ୍ଛା ଏବଂ ଆକାଂକ୍ଷାର ସ୍ୱପ୍ନ ପୂରଣ ହୋଇଛି । ତିନି ତଲାକ୍ ଉଚ୍ଛେଦର ସମାପ୍ତ ପାଇଁ ଆଇନ ପ୍ରଣୟନ, ଧାରା ୩୭୦ ଉଚ୍ଛେଦ, ଲଦ୍ଦାଖକୁ ଅଲଗା କେନ୍ଦ୍ରଶାସିତ ରାଜ୍ୟ ଗଠନ କରିବା, ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ନିର୍ମାଣ ପାଇଁ ରାସ୍ତା ପ୍ରଶସ୍ତ କରିବା, ଶରଣାର୍ଥୀଙ୍କ ପାଇଁ ନାଗରିକ ସଂଶୋଧନ ଆଇନ ପ୍ରଣୟନ ଆଦି ପ୍ରମୁଖ। ଏହି ସମସ୍ତ ଉପଲବ୍ôଧ ଇତିହାସର ପୃଷ୍ଟାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।

କୋଭିଡ-୧୯ କରୋନା ମହାମାରୀର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନେଇଥିବା ପଦକ୍ଷେପକୁ ବିଶ୍ୱର ବହୁ ରାଷ୍ଟ୍ର ସମେତ ସଂଗଠନଗୁଡିକ ପ୍ରଶଂସା କରିଛନ୍ତି। ଗରିବ କଲ୍ୟାଣ ପାଇଁ ଆର୍ଥିକ ପ୍ୟାକେଜ, ସାମାନ୍ୟ ଜୀବନଯାପନ ପାଇଁ ବିଭିନ୍ନ ପ୍ରକାରର ଯୋଜନା, ବାଣିଜ୍ୟ ଓ ଆର୍ଥିକ କ୍ଷେତ୍ରର ବିକାଶ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରି ୨୦ ଲକ୍ଷ କୋଟି ଟଙ୍କାର ‘ଆତ୍ମନିର୍ଭର ଭାରତ’ର ଆର୍ଥକ ପ୍ୟାକେଜ ଘୋଷଣା କରିଛନ୍ତି। ବିଜେପି ସଭାପତି ଶ୍ରୀ ନଡ୍ଡାଙ୍କ ନିର୍ଦ୍ଦେଶରେ ମୋଦି ସରକାର-୨ର ବର୍ଷ ପୂର୍ତ୍ତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଘୋଷଣା ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଲିଖିତ ଚିଠିକୁ ରାଜ୍ୟବାସୀଙ୍କ ପାଖରେ ପହଂଚା ଯିବ। କରୋନା ମୁକାବିଲା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ଫେସମାସ୍କ ଓ ସାନିଟାଇଜର ବିତରଣ, ‘ଭୋକାଲ୍ ଫର୍ ଲୋକାଲ୍‌’କୁ ଗୁରୁତ୍ୱ ଦେଇ ସ୍ଥାନୀୟ ତଥା ସ୍ୱଦେଶୀ ସାମଗ୍ରୀର ବ୍ୟବହାର କରିବା ପାଇଁ ସମସ୍ତ କାର୍ଯ୍ୟକର୍ତା ସଂକଳ୍ପ ନେବେ। ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି।

ସେହିପରି ମୋଦି ସରକାରର ପ୍ରଥମ ବର୍ଷର ପ୍ରମୁଖ ଉପଲବ୍ଧିକୁ ବ୍ୟାପକ ପ୍ରଚାର ଓ ପ୍ରସାର କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭର୍ଚୁଆଲ ରାଲି ମାଧ୍ୟମରେ ରାଷ୍ଟ୍ରୀୟ ତଥା ରାଜ୍ୟସ୍ତରୀୟ ପ୍ରମୁଖ ନେତୃବୃନ୍ଦମାନେ ଦଳୀୟ କାର୍ଯ୍ୟକର୍ତାଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏବଂ ସାଧାରଣ ଜନତାଙ୍କ ସହ ଯୋଡି ହୋଇ ବ୍ୟାପକ ଓ ଯୋଜନାବଦ୍ଧ ଭାବେ ଚର୍ଚ୍ଚା ଓ ଆଲୋଚନା କରିବେ। ରାଜ୍ୟର ସମସ୍ତ ପ୍ରମୁଖ ସ୍ଥାନରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ପ୍ରମୁଖ ନେତୃବୃନ୍ଦଙ୍କ ବାର୍ତା ଏବଂ କେନ୍ଦ୍ର ସରକାରଙ୍କ ଉପଲବ୍ଧିକୁ ବିଭିନ୍ନ ପତ୍ରପତ୍ରିକା, ସମ୍ବାଦପତ୍ର, ଗଣମାଧ୍ୟମ ଜରିଆରେ ସାଧାରଣ ଲୋକଙ୍କ ପାଖକୁ ପହଂଚାଇବାର ବ୍ୟବସ୍ଥା କରାଯିବ ।

ଓଡ଼ିଶାରେ ଏହି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପାଳନ କରାଯିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏସବୁ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ରାଜ୍ୟ ସଂଯୋଜକ ଭାବେ ପୃଥ୍ୱୀରାଜ ହରିଚନ୍ଦନ ଓ ଅନନ୍ତ ନାୟକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟରେ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତି ପାଇଁ ବିଧାୟକ ବିଷ୍ଣୁ ସେଠୀ ଓ ଡ.ଯତୀନ ମହାନ୍ତି, ସୋସିଆଲ ମିଡିଆ ଓ ହ୍ୱାଟସଅପ୍ ଗ୍ରୁପ୍ ମାଧ୍ୟମରେରେ ପ୍ରଚାର ଓ ପ୍ରସାରର ଦାୟି ଲେଖାଶ୍ରୀ ସାମନ୍ତସିଂହାର, ଭର୍ଚୁଆଲ୍ ରାଲି ଆୟୋଜନ ଦାୟିତ୍ୱ ରଂଜନ ପଟେଲ ଓ କାଳନ୍ଦୀ ସାମଲଙ୍କୁ ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀର ଦାୟିତ୍ୱ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଦିଆଯାଇଛି। ସେହିପରି ଭୃଗୁ ବକ୍ସିପାତ୍ର ପାର୍ଟିର ସମସ୍ତ ମୋର୍ଚ୍ଚା କାର୍ଯ୍ୟର ସଂଯୋଜନା ଓ ସମୀକ୍ଷା କରିବେ। ଶାରଦା ପ୍ରସାଦ ଶତପଥୀ ଓ ସୁକେଶୀ ଓରାମ ବ୍ୟକ୍ତିଗତ ସଂପର୍କ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଶ୍ରୀ ମହାପାତ୍ର ସୁଚନା ଦେଇଛନ୍ତି।

Related story