ରାଜ୍ୟସଭାରେ ମୋଦିଙ୍କୁ ଏବେ ବି ଦରକାର ନବୀନଙ୍କ ସହଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଶୁକ୍ରବାର ରାଜ୍ୟସଭା ନିର୍ବାଚନ ଶେଷ ହୋଇଛି। ୮ଟି ରାଜ୍ୟର ୧୯ଟି ଆସନରୁ ବିଜେପି ଏକାକୀ ୮ଟି ଆସନରେ ବିଜୟୀ ହୋଇଛି। ପୂର୍ବରୁ ତିନି ଜଣ ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି କର୍ଣ୍ଣାଟକରୁ। ଏବେ ମୋଟ୍ ୧୦ ରାଜ୍ୟର ୨୪ଟି ଆସନରୁ ବିଜେପି ୧୧ ଆସନରେ ବିଜୟୀ ହୋଇଛି। ନୂଆ ସଦସ୍ୟଙ୍କୁ ମିଶାଇଲେ ସଂସଦର ଏହି ଉଚ୍ଚ ସଦନରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାଂସଦ ସଂଖ୍ୟା ଆସି ୧୦୧ ହୋଇଛି। ପୂର୍ବରୁ […]

Naveen-Modi

Subhransu Sekhar
  • Published: Saturday, 20 June 2020
  • , Updated: 20 June 2020, 06:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଶୁକ୍ରବାର ରାଜ୍ୟସଭା ନିର୍ବାଚନ ଶେଷ ହୋଇଛି। ୮ଟି ରାଜ୍ୟର ୧୯ଟି ଆସନରୁ ବିଜେପି ଏକାକୀ ୮ଟି ଆସନରେ ବିଜୟୀ ହୋଇଛି। ପୂର୍ବରୁ ତିନି ଜଣ ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି କର୍ଣ୍ଣାଟକରୁ। ଏବେ ମୋଟ୍ ୧୦ ରାଜ୍ୟର ୨୪ଟି ଆସନରୁ ବିଜେପି ୧୧ ଆସନରେ ବିଜୟୀ ହୋଇଛି। ନୂଆ ସଦସ୍ୟଙ୍କୁ ମିଶାଇଲେ ସଂସଦର ଏହି ଉଚ୍ଚ ସଦନରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାଂସଦ ସଂଖ୍ୟା ଆସି ୧୦୧ ହୋଇଛି। ପୂର୍ବରୁ ୯୦ ଜଣ ଥିଲେ। ତେବେ ମ୍ୟାଜିକ ନମ୍ୱର ୧୨୩ ରହିଛି। ଏହି କାରଣରୁ ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାରିତ‌ କରିବାକୁ ଏବେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଭଳି କେତେକ ଅଣ ଏନଡିଏ ଆଞ୍ଚଳିକ ଦଳର ସହଯୋଗ ଉପରେ ନିର୍ଭର କରିବେ।

ଏନଡିଏର ୧୦୧ ସାଂସଦଙ୍କ ମଧ୍ୟରୁ ବିଜେପିର ୮୬ ଜଣ ସାଂସଦ ରହିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପାଖରେ ୬୫ ଜଣ ସାଂସଦ ରହିଛନ୍ତି। ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନଥିଲେ ମଧ୍ୟ ମୋଦି ସରକାର ଅନେକ ବିଲ୍ ରାଜ୍ୟସଭାରେ ପାରିତ କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ସହଯୋଗର ହାତ ବଢ଼ାଇଛନ୍ତି ବିଜୁ ଜନତା ଦଳ, ତାମିଲନାଡୁର ଶାସକ ଦଳ ଏଆଇଏଡିଏମକେ, ଆନ୍ଧ୍ରପ୍ରଦେଶର ଓ୍ୱାଇଏସଆର କଂଗ୍ରେସ ପାର୍ଟି। ଯଦିଓ ଏନଡିଏରେ ସଂଖ୍ୟା ବଢ଼ିଛି। ହେଲେ ଏବେ ବି ଏହି ତିନି ଦଳ ଏନଡିଏ ପାଇଁ ସାହା ଭରସା। ଏହି କାରଣରୁ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ସମେତ ଅନ୍ୟ ଅଣଏନଡିଏ ସହଯୋଗୀ ଦଳଗୁଡ଼ିକୁ ଏହା ପରେ ମଧ୍ୟ ଅସନ୍ତୁଷ୍ଟ କରିବ ନାହିଁ। ଏହି ଦଳଗୁଡ଼ିକୁ ସହାୟତା ସଂକଟ ସମୟରେ ଆବଶ୍ୟକ ଥିବାରୁ ସଂପୃକ୍ତ ରାଜ୍ୟଗୁଡ଼ିକରେ ବିଜେପି ଦୃଢ଼ ବିରୋଧୀ ଦଳର ଭୂମିକା ଗ୍ରହଣ କରିପାରୁ ନାହିଁ।

ବିଜେଡି ୯, ଏଆଇଡିଏମକେ ୯, ଓ୍ୱାଇଏସଆର କଂଗ୍ରେସ ପାଖରେ ଦୁଇ ଜଣ ସାଂସଦ ରହିଛନ୍ତି। ଏନଡିଏ ଓ ଏହି ସହଯୋଗୀ ଦଳଗୁଡ଼ିକର ମୋଟ ରାଜ୍ୟସଭା ଆସନ ସଂଖ୍ୟା ୧୨୨। ଅର୍ଥାତ୍ ମ୍ୟାଜିକ ନମ୍ୱରରୁ ଗୋଟିଏ ଆସନ କମ୍ ରହୁଛି ଏହି ତିନି ଦଳର ସାଂସଦଙ୍କୁ ମିଶାଇ। ବିଜେପି କିମ୍ବା ଏନଡିଏ ଏହି ମ୍ୟାଜିକ ନମ୍ବର ହାସଲ କରିବା ପରେ ଯାଇଁ ଅଣଏନଡିଏ ଆଞ୍ଚଳିକ ଦଳଗୁଡ଼ିକ ବିରୋଧରେ ବିଜେପିର ରଣକୌଶଳରେ ପରିବର୍ତ୍ତନ ଆସିପାରେ।

Related story