ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଭୋଟ ପାଇଁ ଚାଲିଛି ନୋଟ ବଣ୍ଟା। ସେ ପୁଣି ଖୋଦ୍ ବିଧାୟକଙ୍କ ଭାଇ ବାଣ୍ଟୁଛନ୍ତି ଟଙ୍କା। କେବଳ ସେତିକି ନୁହେଁ ପୁଲିସ ଗାଡିରେ ଯାଇ ସେ ଲୋକଙ୍କୁ ବୁଲିବୁଲି ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କ ସମ୍ପର୍କୀୟ ଭାଇ ସୁଜିତ୍ ମେହେର ପୁଲିସ ଗାଡିରେ ଯାଇ ଟଙ୍କା ବାଣ୍ଟିଥିବା ଅଭିଯୋଗ ଆସିଛି।
ପାଟଣାଗଡ଼ ବ୍ଲକର ପାଣ୍ଡେସରା ଗାଁକୁ ଯାଇ ଭୋଟ୍ ପାଇଁ ନୋଟ୍ ବାଣ୍ଟିଥିଲେ ସୁଜିତ୍ ମେହେର। ସେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ମ୍ୟାନେଜର ଭାବରେ ସବୁ ଟଙ୍କା କାରବାର ବୁଝିଥାନ୍ତି। ହେଲେ ଏହି ଟଙ୍କା ବଣ୍ଟା ତାଙ୍କୁ ମହଙ୍ଗା ପଡିଛି। ଚାରିଆଡୁ ଲୋକେ ତାଙ୍କୁ ଘେରି ଯାଇଛନ୍ତି। ଏଭଳି ଟଙ୍କା ବଣ୍ଟାକୁ ନେଇ କିଛି ଲୋକେ ବିରୋଧ ମଧ୍ୟ କରିଛନ୍ତି। ଏପରିକି ତାଙ୍କୁ କିଛି ଲୋକେ ଘେରି ଯାଇ ମାରପିଟ୍ କରିବାକୁ ମଧ୍ୟ ଉଦ୍ୟମ କରିଥିବା ଜଣାପଡିଛି।
ଆଜି ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲ ବ୍ଲକରେ ମତଦାନ ଅନୁଷ୍ଠିତ ହେଉଛି ଏହାର ଠିକ୍ ପୂର୍ବରୁ ଗତ ରାତିରେ ଶାସକ ଦଳର କର୍ମୀ ଏପରିକି ଖୋଦ୍ ବିଧାୟକଙ୍କ ଭାଇ ପୁଲିସ ଗାଡିରେ ଟଙ୍କା ବାଣ୍ଟିବା ଭିଡିଓ ଭାଇରାଲ ହୋଇଛି।