ଦିନକ ପୂର୍ବରୁ ସରିଲା ବିଧାନସଭା, ୮ଦିନ ବି ଚାଲିପାରିଲାନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀଜନିତ କଟକଣା ମଧ୍ୟରେ ୨୯ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ୮ଦିନିଆ ମୌସୁମୀ ଅଧିବେଶନ ଆଜି ଦିନକ ପୂର୍ବରୁ ଶେଷ ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଆଜି ବିଧାନସଭା ଅଧିବେଶନର ଶେଷଦିନରେ ରାଜ୍ୟ ସରକାର ବହୁଚର୍ଚ୍ଚିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ମୋଟ ୫ଟି ବିଲ୍ ପାରିତ କରାଇ ନେବାରେ ସକ୍ଷମ ହୋଇଛନ୍ତି। ଓଡ଼ିଶା ଆଇନଜୀବୀ କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍ , […]

assemble

Manoranjan Sial
  • Published: Tuesday, 06 October 2020
  • , Updated: 06 October 2020, 05:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀଜନିତ କଟକଣା ମଧ୍ୟରେ ୨୯ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ୮ଦିନିଆ ମୌସୁମୀ ଅଧିବେଶନ ଆଜି ଦିନକ ପୂର୍ବରୁ ଶେଷ ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

ଆଜି ବିଧାନସଭା ଅଧିବେଶନର ଶେଷଦିନରେ ରାଜ୍ୟ ସରକାର ବହୁଚର୍ଚ୍ଚିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ମୋଟ ୫ଟି ବିଲ୍ ପାରିତ କରାଇ ନେବାରେ ସକ୍ଷମ ହୋଇଛନ୍ତି। ଓଡ଼ିଶା ଆଇନଜୀବୀ କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍ , ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ, ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଡିସପ୍ୟୁଟ୍ ବିଲ୍‌, ଓଡ଼ିଶା ଜିଏସଟି ସଂଶୋଧନ ବିଲକୁ ତରବରିଆ ଭାବେ ଗୃହୀତ କରାଇ ଶାସକ ଦଳ ଗୃହକୁ ଦିନକ ପୂର୍ବରୁ ଅଚାନକ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବାକୁ ପ୍ରସ୍ତାବ ଦେଇଥିଲା। ଗୃହରେ ଖଣି ଦୁର୍ନୀତି ଓ ମୁଲତବୀ ନୋଟିସ ଉପରେ ଆଲୋଚନା ପାଇଁ ଦାବି କରି ବିଜେପି ସଦସ୍ୟମାନେ ଆଜି ଗୃହରେ ନାରାବାଜି କରିବା ସହ ବିଶ୍ୱବିଦ୍ୟାଳୟ ବିଲ୍ ଆଲୋଚନାରେ ସାମିଲ ହୋଇନଥିଲେ। କଂଗ୍ରେସ ମଧ୍ୟ ଏହାକୁ କଳାବିଲ୍ କରି ବିରୋଧ କରିବା ସତ୍ତ୍ୱେ ଶାସକ ଦଳ ନିଜର ସଂଖ୍ୟାବଳରେ ଏହି ବିଲକୁ ପାରିତ କରାଇବାରେ ସକ୍ଷମ ହୋଇଥିଲା। ଆଜି ମୋଟ ୫ଟି ବିଲ୍ ତରବରିଆ ଭାବେ ପାରିତ ହୋଇଛି। ଚଳିତ ଅଧିବେଶନରେ ମୋଟ ୭ଟି ବିଲ୍ ପାରିତ ହୋଇଛି।

ଉଲ୍ଲେଖଯୋଗ୍ୟ ଚଳିତ ଅଧିବେଶନରେ ମୋଟ ୧୬ଟି ବିଲ୍ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଥିଲେ। ଗୃହ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। କିନ୍ତୁ ସରକାର ଆଜି ଦିନକ ପୂର୍ବରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିଦେଇଛନ୍ତି। କରୋନା ସଂକ୍ରମଣ ଯୋଗୁ ଅଧିକାଂଶ ବିଧାୟକ ଅଧିବେଶନରେ ସାମିଲ ହୋଇପାରିନଥିଲେ। ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ୮ଦିନ ଧରି ବିଧାନସଭା ଚାଲିବାର ଥିଲେ ମଧ୍ୟ ବରିଷ୍ଠ ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତରେ ଅଧିବେଶନ ଗୋଟିଏ ଦିନ ପ୍ରଭାବିତ ହୋଇଥିଲା। ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ବିଧାୟକ,ମନ୍ତ୍ରୀ ଓ ବିଧାନସଭାର କର୍ମଚାରୀମାନଙ୍କର କରୋନା ପରୀକ୍ଷାକୁ ବାଚସ୍ପତି ବାଧ୍ୟତାମୂଳକ କରିବା ସହ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଥିଲେ। ବିଧାୟକମାନଙ୍କର ବସିବା ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା।

Related story