କାଲି ଗାଁ ମଶାଣିରେ ଜଳିବ ଦୁଇ ସହିଦ୍‌ଙ୍କ ଚିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେଉଁ ଗାଁରେ ଜନ୍ମ ହୋଇ ଜୀବନକୁ ଦେଖିଥିଲେ, ସେଇଠି ଜଳିବ ଜୁଈ। ପୁଲ୍‌ୱାମାରେ ସହିଦ୍‌ ହୋଇଥିବା ୨ ଓଡ଼ିଆ ବୀର ଯବାନଙ୍କ ମରଶରୀର ଆଜି ରାତି ଗୋଟାଏ ବେଳେ ଫେରିବ ଭୁବନେଶ୍ୱର ବିମାନବନ୍ଦରକୁ ଆଉ ସେଠାରୁ ଯିବ ସେମାନଙ୍କ ଗାଁକୁ। ଦୁଇ ବୀର ସହିଦଙ୍କୁ ଶେଷ ସମ୍ମାନ ଜଣାଇବେ ବନ୍ଧୁ, ବାନ୍ଧବ, ପରିଜନ ଓ ରାଜ୍ୟବାସୀ। ଯେଉଁ ମାଟିରେ ଜନ୍ମ ହୋଇ ଦେଶ ସେବାରେ ବ୍ରତୀ ହୋଇ ସହିଦ ହୋଇଗଲେ, ସେଇଠି ଜଳିବ ସେମାନଙ୍କ […]

sahid

Manoranjan Sial
  • Published: Friday, 15 February 2019
  • , Updated: 15 February 2019, 09:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେଉଁ ଗାଁରେ ଜନ୍ମ ହୋଇ ଜୀବନକୁ ଦେଖିଥିଲେ, ସେଇଠି ଜଳିବ ଜୁଈ। ପୁଲ୍‌ୱାମାରେ ସହିଦ୍‌ ହୋଇଥିବା ୨ ଓଡ଼ିଆ ବୀର ଯବାନଙ୍କ ମରଶରୀର ଆଜି ରାତି ଗୋଟାଏ ବେଳେ ଫେରିବ ଭୁବନେଶ୍ୱର ବିମାନବନ୍ଦରକୁ ଆଉ ସେଠାରୁ ଯିବ ସେମାନଙ୍କ ଗାଁକୁ। ଦୁଇ ବୀର ସହିଦଙ୍କୁ ଶେଷ ସମ୍ମାନ ଜଣାଇବେ ବନ୍ଧୁ, ବାନ୍ଧବ, ପରିଜନ ଓ ରାଜ୍ୟବାସୀ। ଯେଉଁ ମାଟିରେ ଜନ୍ମ ହୋଇ ଦେଶ ସେବାରେ ବ୍ରତୀ ହୋଇ ସହିଦ ହୋଇଗଲେ, ସେଇଠି ଜଳିବ ସେମାନଙ୍କ ଚିତା। ଗାଁ ମଶାଣିରେ ମାଟି ମାଆ କୋଳରେ ସବୁଦିନ ପାଇଁ ସୁଖ ନିଦ୍ରା ଯିବେ ଭାରତ ମାତାଙ୍କ ସେହି ଦୁଇ ବୀର ସନ୍ତାନ।

କଟକ ଜିଲ୍ଲା ନିଆଳିର ରତନପୁର ଗାଁ ମନୋଜ କୁମାର ବେହେରା। ୨ ବର୍ଷ ତଳେ ତାଙ୍କର ବାଜିଥିଲା ସାହାନାଇ। ଗଢ଼ି ଉଠିଥିଲା ସଂସାର। କୋଳକୁ ଆସିଥିଲା କୁନି ଝିଅଟିଏ। ଜୀବନରେ କେତେ କଣ ସ୍ୱପ୍ନ ଦେଖିଥିଲେ ମନୋଜ। ଦେଢ଼ ମାସର ଛୁଟି କାଟିବା ସହ ଝିଅର ପ୍ରଥମ ଜନ୍ମଦିନ ପାଳନ କରି ଗତ ୬ ତାରିଖରେ ଡ୍ୟୁଟିରେ ଯୋଗଦେବାକୁ ଯାଇଥିଲେ। ଗଲା ବେଳେ ଅଧାଗଢ଼ା ଘରକୁ ସମ୍ପୂର୍ଣ୍ଣ କରିବେ ବୋଲି କହିଥିଲେ। ଆଉ ଗତକାଲି ଦିନ ଗୋଟାଏରେ ପତ୍ନୀଙ୍କ ସହ କଥା ହୋଇ ଶ୍ରୀନଗର ବେସ୍‌ କ୍ୟାମ୍ପକୁ ଯାଉଥିବା ଜଣାଇଥିଲେ। କିନ୍ତୁ ଦୁର୍ଭାଗ୍ୟ, ଆତଙ୍କୀଙ୍କ ହମ୍‌ଲାରେ ସହିଦ ହୋଇଗଲେ ୨୦୦୬ରେ ସିଆର୍‌ପିଏଫ୍‌ରେ ଯୋଗଦେଇଥିବା ମନୋଜ। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଏପଟେ ଖାଁ ଖାଁ ଲାଗୁଛି ଜଗତସିଂହପୁର ଜିଲ୍ଲା ନାଉଁଗା ବ୍ଲକ ପାରିଶିଖର ଗାଁ। ଏଠି ବି ଲୁହ ଆଉ ଶୋକର ଛାଇ ହୋଇଯାଇଛି ସମଗ୍ର ପରିବେଶ। ଏହି ଶୋକାକୁଳ ନୀରବତା ହିଁ ବଖାଣୁଛି ବୀରତ୍ୱର ଗାଥା। କାରଣ ସିଆରପିଏଫ୍‌ -୬୧ ବାଟାଲିୟନ୍‌ର ହାବିଲଦାର ପ୍ରସନ୍ନ କୁମାର ସାହୁ ଦେଶପାଇଁ ପ୍ରାଣବଳି ଦେଇଛନ୍ତି। ଆତଙ୍କବାଦୀଙ୍କ ବର୍ବରକାଣ୍ଡରେ ୨୭ ବର୍ଷ ଧରି ସିଆରପିଏଫ୍‌ରେ ଥିବା ପ୍ରସନ୍ନ ପୁଅଙ୍କ ଷୋଳପୂଜା ପାଇଁ ଗତ ନଭେମ୍ବରରେ ଘରକୁ ଆସିଥିଲେ। ଆସନ୍ତା ଅଗଷ୍ଟରେ ଆସିବେ କହିଥିଲେ। କିନ୍ତୁ ଫେରିଲା ତାଙ୍କ ମରଶରୀର।

ସେପଟେ ମନୋଜ ଓ ପ୍ରସନ୍ନଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ବିଶିଷ୍ଟ ବ୍ୟକ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସନ୍ନଙ୍କ ମା ଓ ମନୋଜଙ୍କ ପତ୍ନୀଙ୍କ ସହ ଫୋନ୍‌ରେ କଥା ହୋଇ ସାନ୍ତ୍ୱନା ଜଣାଇବା ସହ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସହିଦ ପରିବାର ସଦସ୍ୟଙ୍କ ସହ କଥା ହୋଇ ତାଙ୍କ ସମବେଦନା ଜଣାଇଛନ୍ତି।

ସେହିପରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସହିଦଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Related story