‘ମୋର ସବୁ ସରିଗଲା, ମୁଁ ଆଉ ବଞ୍ଚିବିନି...’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୋର ସବୁ ସରିଗଲା। ମୁଁ ଆଉ ବଞ୍ଚିବିନି। ମୋ ପୁଅକୁ ଷଡ଼ଯନ୍ତ୍ର କରି ମାରିଦେଲେ। ଏସ୍‌ପି କି ମୁଖ୍ୟମନ୍ତ୍ରୀ କେହି ଶୁଣିଲେ ନାହିଁ। ତେଣୁ ମୁଁ ଆଉ ବଞ୍ଚିକି ଲାଭ କ’ଣ?’ ଆଜି ବିଧାନସଭା ନିକଟରେ ନିଜର ଅନ୍ୟ ଜଣ ପୁଅ ସହିତ ଆତ୍ମାହୁତି ଉଦ୍ୟମ କରିଥିବା ଜଣେ ମହିଳା କହିଛନ୍ତି ଏହି କଥା। ତାଙ୍କ ନାଁ ସୁଲୋଚନା ଦାସ। ତାଙ୍କ ଘର କୁଜଙ୍ଗ ଅଞ୍ଚଳରେ। ସୁଲୋଚନା କହିଛନ୍ତି, ମୋ ପୁଅକୁ ଘରୁ […]

assemblysucideattempt

Madhupriya Mistry
  • Published: Saturday, 28 November 2020
  • , Updated: 28 November 2020, 01:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୋର ସବୁ ସରିଗଲା। ମୁଁ ଆଉ ବଞ୍ଚିବିନି। ମୋ ପୁଅକୁ ଷଡ଼ଯନ୍ତ୍ର କରି ମାରିଦେଲେ। ଏସ୍‌ପି କି ମୁଖ୍ୟମନ୍ତ୍ରୀ କେହି ଶୁଣିଲେ ନାହିଁ। ତେଣୁ ମୁଁ ଆଉ ବଞ୍ଚିକି ଲାଭ କ’ଣ?’ ଆଜି ବିଧାନସଭା ନିକଟରେ ନିଜର ଅନ୍ୟ ଜଣ ପୁଅ ସହିତ ଆତ୍ମାହୁତି ଉଦ୍ୟମ କରିଥିବା ଜଣେ ମହିଳା କହିଛନ୍ତି ଏହି କଥା। ତାଙ୍କ ନାଁ ସୁଲୋଚନା ଦାସ। ତାଙ୍କ ଘର କୁଜଙ୍ଗ ଅଞ୍ଚଳରେ।

ସୁଲୋଚନା କହିଛନ୍ତି, ମୋ ପୁଅକୁ ଘରୁ ଡାକି ନେଇ ତିର୍ତ୍ତୋଲର ବାଲିପାଟଣା ଛକରେ ହତ୍ୟା କରି ଫୋପାଡ଼ି ଦେଲେ । ଏଥିରେ ୧୦ରୁ ୧୨ ଜଣଙ୍କ ହାତ ଅଛି । ସେମାନଙ୍କ ମଧ୍ୟରେ ଜଣେ ସେନା କର୍ମଚାରୀ ଅଛନ୍ତି। ତାଙ୍କ କଥାରେ ପଡ଼ି ତିର୍ତ୍ତୋଲ ଡିଏସ୍‌ପି ଫାଇନାଲ୍ ରିପୋର୍ଟ ଦେଲେ ଓ ପୁଅ ଦୁର୍ଘଟଣାରେ ମରିଥିବା କହିଥିଲେ। ସେଥିପାଇଁ ଆମେ ଏସ୍‌ପିଙ୍କୁ ଭେଟିବାକୁ ଯାଇଥିଲୁ। କିନ୍ତୁ ଦୁର୍ଘଟଣାରେ ପୁଅର ମୃତ୍ୟୁ ଘଟିଥିବା କହି ସେ ଆମକୁ ଗାଳି କଲେ।

ସୁଲୋଚନାଙ୍କ ସହ ଆତ୍ମାହୁତି ଉଦ୍ୟମ କରିଥିବା ତାଙ୍କ ପୁଅ ସୁବ୍ରତ କହିଛନ୍ତି ଯେ ଜଗତସିଂହପୁର ଏସ୍‌ପି ଲାଞ୍ଚ ନେଇ ଘଟଣାକୁ ଚାପି ଦେଇଛନ୍ତି। ପୁଲିସ୍‌ ଠାରୁ ଆରମ୍ଭ କରି ମୁଖ୍ୟମମନ୍ତ୍ରୀଙ୍କ ପର୍ଯ୍ୟନ୍ତ କେହି ସେମାନଙ୍କ କଥା ଶୁଣିଲେ ନାହିଁ। ବର୍ଷେ ହେଲା ତାଙ୍କ ଭାଇକୁ ନ୍ୟାୟ ମିଳୁ ନାହିଁ। ତେଣୁ ସେ ଓ ତାଙ୍କ ମା’ ଆତ୍ମାହୁତି ଦେବାକୁ ଆସିଥିଲେ ବୋଲି ସୁବ୍ରତ କହିଛନ୍ତି। ଏହା ସହିତ ସେ ବି ଜଣେ ସେନା ଅଧିକାରୀଙ୍କ ନାଁ ନେଇଛନ୍ତି।

ସୂଚନାଯୋଗ୍ୟ,  ୨୦୧୯ରେ ସୁଲୋଚନାଙ୍କ ପୁଅ ତଥା ଇଞ୍ଜିନିୟର ଅମୃତ ଦାସଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା।ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ କହୁଥିବା ବେଳେ ପୁଲିସ୍ କହୁଛି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ଏହା ଭିତରେ ବର୍ଷେ ୪ ମାସ ବିତି ଯାଇଛି। ପରିବାର ଲୋକ ପୁଲିସ୍, କୋର୍ଟ ଓ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହେଲେ କେଉଁଠୁ ନ୍ୟାୟ ପାଇନାହାନ୍ତି।

ସବୁଆଡୁ ନିରାଶ ହେବା ପରେ ଆଜି ସୁଲୋଚନା ପୁଅ ସୁବ୍ରତ ସହିତ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଥିଲେ। ବିଧାନସଭା ପଛପଟେ ଇଡକଲ ରାସ୍ତାରେ କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ତେବେ ଉଭୟଙ୍କୁ ସୁରକ୍ଷାକର୍ମୀ ଉଦ୍ଧାର କରିଥିଲେ।

 

Related story