ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦାମ୍ପତ୍ୟ ବିବାଦକୁ ନେଇ ପୁଣି ଟୁଇଟ୍ କଲେ ସାଂସଦ ଅନୁଭବ ମହାନ୍ତି । ବର୍ଷା ତାଙ୍କୁ କେବେ ବି ସ୍ୱାମୀ ଭାବେ ଗ୍ରହଣ କରିନଥିବା କହିଲେ ଅନୁଭବ। ଆଜିବି ପୁଣି ବର୍ଷାଙ୍କୁ ଅନରେବଲ ମ୍ୟାଡାମ କହିଲେ ଅନୁଭବ । ଥରଟିଏ ପାଇଁ ବି ଅନରେବଲ ମ୍ୟାଡାମ ସ୍ୱାମୀ ଭାବେ ମାନି ନାହାନ୍ତି । ମାନସିକ ଭାବେ ହେଉ ବା ଶାରୀରିକ, ସ୍ୱାମୀ ଭାବେ ମାନି ନାହାନ୍ତି । ମୋର ଓ ତାଙ୍କର ପବ୍ଲିକ ଇମେଜ୍ ପାଇଁ ମୁଁ ୭ ବର୍ଷ ହେଲା ଚୁପ୍ ରହିଥିଲି । ତାଙ୍କ ଇମେଜକୁ ସମ୍ମାନ ଦେବା କଣ ମୋର ବଡ଼ ଭୁଲ୍ ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି । ମ୍ୟାଡାମ କେବେ ପ୍ରକୃତରେ ମୋର ପତ୍ନୀ ହୋଇପାରିଛନ୍ତି କି? ଏହା କେବଳ ଏକ ସାମାଜିକ ବିବାହ ଥିଲା ବୋଲି କହିଲେ ଅନୁଭବ । ଆମର କେବେ ମାନସିକ କି ଶାରୀରିକ ବିବାହ ହୋଇପାରିନାହିଁ । କାରଣ ସେ କେବେ ଚାହିଁ ନାହାନ୍ତି କି କେବେ ଚେଷ୍ଟା ବି କରିନାହାନ୍ତି ।
https://twitter.com/AnubhavMohanty_/status/1304382951266742273?s=20
ଏହା ପୂର୍ବ ଟ୍ୱିଟ୍ରେ ସେ କହିଥିଲେ ଯେ, ଗତକାଲି ଘରକୁ ଆସିଥିବା ମାନବାଧିକାର କର୍ମୀମାନେ ମୋ ସହ ପ୍ରତାରଣା କରିଛନ୍ତି। ତଥାକଥିତ ମାନବାଧିକାର କର୍ମୀମାନେ ମୋତେ ଓ ମୋ ବାପା-ମାଙ୍କୁ ଏମିତି ପ୍ରତାରଣା କରିବେ ବୋଲି ଭାବିନଥିଲି। ଏପରିକି ମୋ ବାପା-ମା ଉଭୟ ଅସୁସ୍ଥ ଥିବା ବେଳେ ସେମାନେ ପ୍ରତାରଣା କରିଛନ୍ତି।
ସେ ଟ୍ୱିଟ୍ କରି ଲେଖିଛନ୍ତି, “ମୁଁ ସେମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରିଥିଲି। ମିଡିଆକୁ ମୁଁ କିଛି କହିବିନି କି ସେମାନେ କିଛି କହିବେନି ବୋଲି କହିଥିଲେ। କିନ୍ତୁ ସେମାନେ ତାହା ନମାନି କହିଲେ। ଆଉ ଯାହା କହିଲେ ସବୁ ମିଛ କଥା। ମୁଁ ଖୋଲାଖୋଲି ଭାବେ କହିଥିଲି ବର୍ଷାକୁ ଗ୍ରହଣ କରିବୁନି। ମୋତେ ଓ ମୋ ବାପା-ମାଙ୍କୁ ମାରିଦେବାକୁ ଚାହୁଁଥିବା ଝିଅକୁ ଗ୍ରହଣ କରିବୁନି। ଏ ଜନ୍ମରେ ନୁହେଁ କି କୌଣସି ଜନ୍ମରେ ଗ୍ରହଣ କରିବୁନି ବୋଲି କହିଥିଲୁ।”
ଏମିତିକି ମାନବାଧିକାର କମିଶନ ସଦସ୍ୟା ବୋଲି କହୁଥିବା ଗୀତାଶ୍ରୀ ମାଡାମଙ୍କର ବର୍ଷା ଏବଂ ତାଙ୍କ ପରିବାର ସହିତ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି ଅନୁଭବ।
ସୂଚନାରୁ ପ୍ରକାଶ, ଗତକାଲି ମାନବାଧିକାର କର୍ମୀମାନେ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ତାଙ୍କ ଘରେ ଭେଟିଥିଲେ। ଏନେଇ ଅନ୍ତର୍ଜାତୀୟ ମାନବାଧିକାର କମିଶନ ଓଡ଼ିଶା ଶାଖା ମୁଖ୍ୟ ଗୀତାଶ୍ରୀ ଦାସ କହିଛନ୍ତି, ଗତକାଲି ତାଙ୍କ ଘରକୁ ଯାଇଥିଲୁ ଓ ଉଭୟ ବର୍ଷା ଏବଂ ଅନୁଭବଙ୍କୁ ଭେଟିଥିଲୁ। ଆଜି ଉଭୟଙ୍କୁ ଏକାଠି ବସାଇ ସମାଧାନର ରାସ୍ତା ବାହାର କରିବାକୁ ଚାହିଁଥିଲୁ। ସାଂସଦ ଆଜି ଆମକୁ ସମୟ ଦେବେ ବୋଲି କହିଥିଲେ। ସେହି ଅନୁସାରେ ଆଜି ତାଙ୍କ ଘରକୁ ଆସିଥିଲେ ମଧ୍ୟ ଅନୁଭବ ଦେଖା ଦେଲେ ନାହିଁ। କେବଳ ବର୍ଷାଙ୍କ ସହ କଥା ହୋଇଥିବା ସେ ସୂଚନା ଦେଇଛନ୍ତି। ସାଂସଦ ଘରେ ଥିଲେ ମଧ୍ୟ ସହଯୋଗୀଙ୍କ ଜରିଆରେ ଦେଖାଦେବାକୁ ମନା କରିଥିଲେ। କାଲି ମିଡିଆରେ ଆମ ମନ୍ତବ୍ୟ ଯୋଗୁଁ ସେ ମର୍ମାହତ ବୋଲି କହିଥିଲେ। ତେବେ ଆମେ ମିଡିଆରେ କିଛି ମନ୍ତବ୍ୟ ଦେଇନୁ। ଉଭୟଙ୍କ ମିଳାମିଶା ଚାହିଁଛୁ ବୋଲି ଗୀତାଶ୍ରୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।