ଜିଆଇ ଟ୍ୟାଗ୍‌ ପାଇଁ ଯିବ ଜଗନ୍ନାଥ ରସଗୋଲା

Ordigital Desk
  • Published: Tuesday, 21 November 2017
  • , Updated: 21 November 2017, 09:59 AM IST
<p>ଭୁବନେଶ୍ୱର: ଓଡ଼ିଶା ରସଗୋଲା କିମ୍ବା ପାହାଳ ରସଗୋଲା ନୁହେଁ ବରଂ ଜଗନ୍ନାଥ ରସଗୋଲାର GI ଟ୍ୟାଗ୍ ବା ଜିଓଗ୍ରାଫିକାଲ୍ ଆଇଡେଣ୍ଟିଫିକେସନ୍ ମାନ୍ୟତା ପାଇଁ ଆବେଦନ କରିବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ବାଂଲା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ପରେ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ଆବେଦନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏଥିପାଇଁ ବିଶେଷଜ୍ଞ ଓ ଆଇନ ପରାମର୍ଶଦାତାଙ୍କ ସହ ଆଲୋଚନା କରାଯାଇଥିବା ଏମ୍ଏସ୍ଏମ୍ଇ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଶିଳ୍ପ ସଚିବ ଲେଖିଥିବା ଚିଠିରେ ଦର୍ଶାଯାଇଛି।</p> <p>ଏହି ଚିଠିରେ ଲେଖାଯାଇଛି ଯେ ବାଂଲା ରସଗୋଲା ଜିଆଇ ଟ୍ୟାଗ୍ ବିରୋଧରେ ଆବେଦନ କଲେ ଓଡ଼ିଶାକୁ କୌଣସି ବିଶେଷ ଲାଭ ମିଳିବ ନାହିଁ। ଓଡ଼ିଶାରେ ବିଭିନ୍ନ ପ୍ରକାର ରସଗୋଲା ତିଆରି ହେଉଥିବାରୁ ଏହାକୁ କେବଳ ଓଡ଼ିଶା ରସଗୋଲା ନାଁରେ ଜିଆଇ ମାନ୍ୟତା ପାଇଁ ଆବେଦନ କରିହେବ ନାହିଁ। ସେହିଭଳି ପାହାଳ ରସଗୋଲାର ଐତିହାସିକ ତଥ୍ୟ ନ ଥିବାରୁ ଏହା ମଧ୍ୟ ମାନ୍ୟତା ପାଇଁ ଫେଲ୍ ମାରିପାରେ। ତେଣୁ ଜଗନ୍ନାଥଙ୍କ ଠାରେ ରସଗୋଲାର ଐତିହାସିକ ପ୍ରମାଣ ଥିବାରୁ ଏହାକୁ ଜଗନ୍ନାଥ ରସଗୋଲା ଓଡ଼ିଶା ନାଁରେ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିବାକୁ ସରକାର ବିଚାର ବିମର୍ଷ କରୁଛନ୍ତି ।</p> <p>ଏନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସେବାୟତ ସଂଘ ଆବେଦନ କରିପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।</p> <p>ସୂଚନାଯୋଗ୍ୟ, ଛଅ ଦିନ ତଳେ ବାଂଲା ରସଗୋଲାକୁ ପଶ୍ଚିମବଙ୍ଗ ଜିଆଇ ମାନ୍ୟତା ମିଳିବା ପରେ ଓଡ଼ିଶା ସରକାରଙ୍କ ଚେତନା ଉଦୟ ହୋଇଥିଲା। ୨ ବର୍ଷରୁ ଅଧିକ ହେବ ରସଗୋଲା ଆମର କହି କୁମ୍ଭୀର କାନ୍ଦଣା କାନ୍ଦୁଥିବା ରାଜ୍ୟ ସରକାର ଏପର୍ଯ୍ୟନ୍ତ ଜିଆଇ ମାନ୍ୟତା ପାଇଁ ଆବେଦନଟିଏ ମଧ୍ୟ କରି ନଥିବା ଜଣାପଡ଼ିଥିଲା।</p>

Related story