ନବରଙ୍ଗପୁର(ନବଘନ ବିଷୋୟୀ): ସଭା ମଞ୍ଚରେ ବସିଥିବା ନବରଙ୍ଗପୁର ପୌରାଧ୍ୟକ୍ଷ କୁନୁ ନାୟକଙ୍କୁ who are you(ତୁମେ କିଏ କି) କହିଲେ ନବରଙ୍ଗପୁର ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନ୍ୟା ଦାସ। ଖାଲି ଏତିକି ନୁହେଁ, ତୁମେ ଏଠାରେ କାହିଁକି ବସିଛ, ପ୍ରୋଟକଲ ଜଣା ନାହିଁ କି ? ବୋଲି କହିଲେ। ଉଠ ବୋଲି ବି କହି ତାଙ୍କୁ ଚେୟାରରୁ ତଡ଼ିଦେଲେ। ଗତକାଲି ହକି ବିଶ୍ୱକପ୍ ଶୋଭାଯାତ୍ରାକୁ ସ୍ୱାଗତ କରିବା ନିମନ୍ତେ ସଭାମଞ୍ଚରେ ବସିଥିବା ବେଳେ ତାଙ୍କୁ ଏପରି ଭାବେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅସମ୍ମାନ କରିଥିବା ଅଭିଯୋଗ କରିଛନ୍ତି ପୌରାଧ୍ୟକ୍ଷ। ଏହାର ପ୍ରତିବାଦରେ ଆଜି ପୌରାଧ୍ୟକ୍ଷଙ୍କ ସମେତ ବିଜେପି କାଉନ୍ସିଲରମାନେ ଓ ଶତାଧିକ ବିଜେପି ନେତା ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ୍ ଗେଟ୍ରେ ତାଲା ପକାଇ ଧାରଣାରେ ବସିଥିଲେ। ପୌରାଧ୍ୟକ୍ଷ ଗୋଟିଏ ଦାବି ରଖିଛନ୍ତି। ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭୁଲ୍ ନ ମାଗିବା ଯାଏଁ ଧାରଣାରୁ ହଟିବେନି।
ସେପଟେ ଦାବିପୂରଣ ନ ହେବାରୁ ପୌରାଧ୍ୟକ୍ଷ ନିଜ ସମର୍ଥକଙ୍କ ସହ ଆଜି ଅପରାହ୍ନ ପ୍ରାୟ ୩ଟା ପରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ନୂଆବର୍ଷ ଅବସରରେ ଏଭଳି ଅପମାନ ପାଇ ଖୁବ୍ ଦୁଃଖ ଲାଗିଥିବା ପୌରାଧ୍ୟକ୍ଷ କହିଛନ୍ତି।
ସୂଚନା ମୁତାବକ, ଗତକାଲି ଦିନ ୯ଟା ବେଳେ ଜିଲ୍ଲାରେ ପହଞ୍ଚିଥିଲା ହକି ବିଶ୍ୱକପ୍ ଟ୍ରଫି। ଏହାକୁ ସ୍ୱାଗତ କରିବାକୁ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଥିଲା। ଏହି ସ୍ୱାଗତ ସମାରୋହରେ ଡକରାପାଇ ଅତିଥି ରୂପେ ଯୋଗ ଦେଇଥିଲେ ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ। ସେ ଅଧ୍ୟକ୍ଷ ଚୌକିରେ ବସିଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନ୍ୟା ଦାସ ହଠାତ ଆସି ତାଙ୍କୁ ଚେୟାରରୁ ହଟିବାକୁ କହିଥିଲେ।
ଗତକାଲି ଏ ଖବର ପ୍ରଚାରିତ ହେବା ପରେ ବିଜେପିର କାଉନସିଲରମାନେ ଏବଂ ବିଜେପି କର୍ମକର୍ତ୍ତା ଏକାଠି ହୋଇଥିଲେ। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ବହୁ ସମୟ ଧରି ଧାରଣାରେ ବସିଥିଲେ। ନଗରପାଳଙ୍କୁ କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ଷମା ପ୍ରାର୍ଥନା ନ କରିବା ଯାଏଁ ଧାରଣା ଜାରି ରହିବ ବୋଲି ଜିଦ ଧରିଥିଲେ। ଧାରଣାସ୍ଥଳରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ସିଟି ଡିଏସ୍ପି ପହଞ୍ଚି ବୁଝାସୁଝା କରିବା ପରେ ସମସ୍ତେ ଧାରଣାରୁ ଉଠିଥିଲେ।
କିନ୍ତୁ ୨୪ ଘଣ୍ଟା ବିତିଥିଲେ ହେଁ ଘଟଣାର ସ୍ଥାୟୀ ସମାଧାନ ନ ହେବାରୁ ପୁଣି ପୌରାଧ୍ୟକ୍ଷ ଓ ବିଜେପି କାଉନ୍ସିଲରମାନେ ଧାରଣାକୁ ଓହ୍ଲାଇଥିଲେ। ଜିଲ୍ଲା ପରିଷଦ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଅଫିସ୍ରୁ ବାହାର କରିଦେଇଥିଲେ। ପରେ ଏହି ଅଫିସ୍ ଗେଟରେ ତାଲା ପକେଇ ଧାରଣା ଦେଇଥିଲେ। ଯଦି କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ଷମା ପ୍ରାର୍ଥନା ନ କରନ୍ତି ତେବେ ଡିଆରଡିଏ କାର୍ଯ୍ୟାଳୟ ଏବଂ ପୌର କାର୍ଯ୍ୟାଳୟରେ ତାଲା ପକାଇବା ସହ ସଫେଇ ବନ୍ଦ ରହିବ ବୋଲି ଚେତାବନୀ ଦେଇଥିଲେ। ଶେଷ ଖବର ସୁଦ୍ଧା ପ୍ରଶାସନ ନିରବତାକୁ ଦେଖି ଧାରଣାକାରୀମାନେ ନବରଙ୍ଗପୁର ସହର ଦେଇ ଯାଇଥିବା କଳାହାଣ୍ଡି-ଛତିଶଗଡ଼ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି।
ଧାରଣାରେ ସାମିଲ ହୋଇଥିବା ବିଜେପି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ କହିଛନ୍ତି, ଜଣେ ଜନପ୍ରତିନିଧିଙ୍କୁ ପ୍ରଶାସନିକ ଅଧିକାରୀ ଏଭଳି ଅସମ୍ମାନ କରିବା ଉଦ୍ବେଗର ବିଷୟ। ପୌରାଧ୍ୟକ୍ଷ ନବରଙ୍ଗପୁରର ପ୍ରଥମ ନାଗରିକ। ତାଙ୍କୁ ଜଣେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଚିହ୍ନି ନପାରିବା ତାଜୁବର ବିଷୟ। ପ୍ରଶାସନିକ ଅଧିକାରୀମାନେ ଏଭଳି ନିଜର ଜୋରଜାର ଚଳାଇଛନ୍ତି। ମଣ୍ଡେଇ ଉତ୍ସବ ଆୟୋଜନରେ ମଧ୍ୟ ଜନପ୍ରତିନିଧିଙ୍କୁ ସାମିଲ ନ କରି ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ ଏକଚାଟିଆ ମନମାନି ଦେଖାଇଛନ୍ତି। ଯାହା ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଘଟଣା ସ୍ଥଳକୁ ଆସି କ୍ଷମା ନ ମାଗିବା ଯାଏ ଏହି ଧାରଣା ହଟିବ ନାହିଁ।
ଏନେଇ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅନ୍ୟା ଦାସ କହିଛନ୍ତି, ଗତକାଲି ସଭାମଞ୍ଚରେ କୁନୁ ନାୟକ ବସିଥିଲେ। ସେ ଚିହ୍ନି ପାରି ପରିଚୟ ମାଗିଥିଲେ। ଶ୍ରୀନାୟକ ଜଣେ କାଉସିଲର ବୋଲି କହିଥିଲେ। ତେଣୁ ତାଙ୍କୁ ସଭା ମଞ୍ଚରୁ ବାହାରକୁ ବସିବାକୁ କହିଥିଲେ। କାରଣ ସଭାମଞ୍ଚର ସିଟ୍ଗୁଡ଼ିକ ଭିଆଇପିଙ୍କ ପାଇଁ ରହିଥିଲା। ପଚାରିବା ବେଳେ ଖୁବ୍ ଶାଳିନତା ରକ୍ଷା କରାଯାଇଥିଲା। ଅଫିସ୍ ବନ୍ଦ କରିବା ଘଟଣାରେ ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ପୁଲିସ ହିଁ ପଦକ୍ଷେପ ନେବ ବୋଲି ଅନ୍ୟା ଦାସ କହିଛନ୍ତି।