ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀରେ ଯୋଗ ଦେବେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲିଠୁ ୫ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ଦିନିକିଆ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୨୦୧୬ ଏପ୍ରିଲ ୨୪ ତାରିଖରେ ଶେଷଥର ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ଅପରାହ୍ନ ସାଢ଼େ ୧ଟାରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ । ଏପ୍ରିଲ ୩୦ତାରିଖ ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀର ବିଜ୍ଞାନଭବନ ପରିସରରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀରେ ଯୋଗ ଦେବେ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ମେ’ ୧ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କର କୌଣସି ସରକାରୀ କାର୍ଯ୍ୟକ୍ରମ ନଥିବାବେଳେ ୨ତାରିଖରେ ଭାରତ ସରକାରଙ୍କ ଅନୁମତି ଅପେକ୍ଷାରେ ପଡ଼ି ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ବୋଲି ଜଣାପଡ଼ିଛି । ୩ ତାରିଖ ଅପରାହ୍ନ ସାଢ଼େ ୧ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।