ପୁରୀ(ଓଡ଼ିଶା ରିପୋର୍ଟର) କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତି ଦେଲା ଭଳି ଖବର ଆସିଛି। ଆସନ୍ତାବର୍ଷ ପୁଣି ପଡ଼ିପାରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଏମିତିକି କିଛି କ୍ୟାଲେଣ୍ଡରରେ ତିଥି ଓ ତାରିଖ ବି ପ୍ରକାଶ ପାଇଲାଣି । ତେବେ ଯେହେତୁ ନୂଆ ପାଞ୍ଜି ପ୍ରଚଳନ ହୋଇନାହିଁ, ତେଣୁ ଏବେଠୁ ଏ ସମ୍ପର୍କରେ କିଛି ବି କାହାକୁ ଜଣାନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ।
ଭକ୍ତର ଭାବକୁ ଯେ ଭଲ କରି ଜାଣନ୍ତି ଭାବଗ୍ରାହୀ। ସେ କଥା ପୁଣି ପ୍ରମାଣିତ ହେବା ଭଳି ମନେ ହେଉଛି । କରୋନା କଟକଣା ଯୋଗୁଁ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବାକୁ ଯାଉଥିବା ପ୍ରତିଟି ଜଗନ୍ନାଥ ଆଶ୍ରିତଙ୍କୁ ନିରାଶ ନହେବାକୁ ମିଳିଲାଣି ପରାମର୍ଶ। କାରଣ ଆସନ୍ତାବର୍ଷ ପୁଣି ପଡ଼ିପାରେ ଠାକୁରଙ୍କ ଏହି ଅଲଭ୍ୟ ବେଶ ପାଞ୍ଜି ଗଣନାକାରୀଙ୍କ ଏଭଳି ସ୍ପଷ୍ଟ ସଙ୍କେତ ପରେ ଉତ୍କଣ୍ଠିତ ହେଲାଣି ଭକ୍ତଙ୍କ ମନ ଓ ନୟନ । ସେବାୟତ ବି କହିଲେଣି ଲାଗ ଲାଗ ନାଗାର୍ଜ୍ଜୁନ ବେଶ ପଡ଼ିବା ନୂଆ କଥା ନୁହେଁ । ପୂର୍ବରୁ ୧୯୬୭ ଓ ୬୮ ଏବଂ ୧୯୯୩ ଓ ୯୪ ମସିହାରେ ବି ଏମିତି ଲାଗି ଲାଗି ନାଗାର୍ଜ୍ଜୁନ ବେଶ ପଡ଼ିଥିଲା । ତେବେ ଯେହେତୁ ଦୋଳପୂର୍ଣ୍ଣମୀ ପରେ ଶ୍ରୀମନ୍ଦିରରେ ନୂଆ ପାଞ୍ଜି ପ୍ରଚଳନ ହେବ, ତେଣୁ ଏତେ ଆଗରୁ ଏ ସମ୍ପର୍କରେ କାହାକୁ କିଛି ବି ଜଣାନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ।
ତେବେ ଦୀର୍ଘ ୨୬ବର୍ଷ ପରେ ଆସନ୍ତା ନଭେମ୍ବର ୨୭ରେ ପଡୁଛି ନାଗାର୍ଜ୍ଜୁନ ବେଶ । ହେଲେ କରୋନା କଟକଣା ପାଇଁ ବିନା ଭକ୍ତରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଉ ଏପଟେ ପ୍ରିୟ କାଳିଆ ଠାକୁରଙ୍କୁ ଦର୍ଶନ ନପାଇ ସିଂହଦ୍ୱାର ଆଗରୁ ଭଗ୍ନମନରେ ଫେରୁଛନ୍ତି ଭକ୍ତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।