‘୭ ବର୍ଷ ସୁଦ୍ଧା ଓଡ଼ିଶାରେ ୩୦ ହଜାର କୋଟି ନିବେଶ କରିବ ନାଲକୋ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋରେ ଆସନ୍ତା ୭-୮ବର୍ଷ ସୁଦ୍ଧା ୩୦ ହଜାର କୋଟି ଟଙ୍କା ନିବେଶ କରାଯିବ ବୋଲି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ଆଜି ଭୁବନେଶ୍ୱରଠାରେ ନାଲକୋର ୪୧ତମ ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଯେ, ୨୦୨୭-୨୮ ଆର୍ଥିକ ବର୍ଷ ସୁଦ୍ଧା ଏହି ୩୦ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ସେଥିରୁ ୭ହଜାର କୋଟି ଟଙ୍କା ପଂଚମ ଷ୍ଟ୍ରିମ୍ ରିଫାଇନାରୀ, ପଟାଙ୍ଗୀ […]

ps

Manoranjan Sial
  • Published: Thursday, 07 January 2021
  • , Updated: 07 January 2021, 08:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋରେ ଆସନ୍ତା ୭-୮ବର୍ଷ ସୁଦ୍ଧା ୩୦ ହଜାର କୋଟି ଟଙ୍କା ନିବେଶ କରାଯିବ ବୋଲି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି।

ଆଜି ଭୁବନେଶ୍ୱରଠାରେ ନାଲକୋର ୪୧ତମ ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଯେ, ୨୦୨୭-୨୮ ଆର୍ଥିକ ବର୍ଷ ସୁଦ୍ଧା ଏହି ୩୦ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ସେଥିରୁ ୭ହଜାର କୋଟି ଟଙ୍କା ପଂଚମ ଷ୍ଟ୍ରିମ୍ ରିଫାଇନାରୀ, ପଟାଙ୍ଗୀ ଖଣିର ବିକାଶ, ସାଉଥ ବ୍ଲକ ଓ ଉତ୍କଳ-ଡି ଓ ଇ ଖଣିର ଉତ୍ତୋଳନ ଏବଂ ପରିବହନ କାର୍ଯ୍ୟରେ ଖର୍ଚ୍ଚ କରାଯିବ। ଅବଶିଷ୍ଟ ୨୨ହଜାର କୋଟି ଟଙ୍କା ସ୍ମେଲଟର ପ୍ଲାଣ୍ଟ, କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ସମ୍ପ୍ରସାରଣରେ ଖର୍ଚ୍ଚ କରାଯିବ। ଏହି ସମ୍ପ୍ରସାରଣ କାର୍ଯ୍ୟରେ ଅନୁଗୁଳ ସ୍ମେଲଟର ପ୍ଲାଣ୍ଟ ସାମିଲ ଅଛି। ଏଥିରେ ୧୪୦୦ ମେଗାୱାଟ ଶକ୍ତି ସମ୍ପନ୍ନ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ନିର୍ମାଣ ସହିତ ଏହାର ଫିଡର ବ୍ୟବସ୍ଥା ମଧ୍ୟ କରାଯିବ। ନାଲକୋର ଉତ୍ପାଦନ ବୃଦ୍ଧି ସହ ଉତ୍ତମମାନର ଆଲୁମିନା ଓ ଆଲୁମିନିୟମ ଯୋଗାଇ ନାଲକୋ ଏ କ୍ଷେତ୍ରରେ ନୂଆ ଉପଲବ୍‌ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ଖଣିଜସମୃଦ୍ଧ ଓଡ଼ିଶାକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି। ରାଜ୍ୟ ସରକାରମାନଙ୍କ ଅନୁରୋଧରେ କେନ୍ଦ୍ର ସରକାର କେତେକ ଆଇନକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଫଳରେ ଖଣିଜ ପଦାର୍ଥର ଉତ୍ତୋଳନ ସୁଗମ ଓ ସୁନିଶ୍ଚିତ ହୋଇପାରିବ। ଆହୁରି ମଧ୍ୟ ଖଣିଗୁଡ଼ିକର ନିଲାମରେ ଉପର ଠାଉରିଆ ନିଲାମଧାରୀମାନେ ଯେପରି ଅଂଶଗ୍ରହଣ କରିନପାରନ୍ତି ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯିବ ଓ ସେମାନଙ୍କୁ ଏଥିରୁ ବାଦ୍ ଦିଆଯିବ ବୋଲି ସେ କହିଛନ୍ତି। ଓଡ଼ିଶାରେ ଖଣିଗୁଡ଼ିକର ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏ କ୍ଷେତ୍ରରେ ଥିବା କେତେକ ନୀତିନିୟମକୁ କୋହଳ କରିବାକୁ ଚିନ୍ତା କରାଯାଉଛି।

ସେ କହିଛନ୍ତି ଯେ ନୂଆ ଏମଏମଡିଆର ଆକ୍ଟ-୨୦୧୫ ଆଇନରେ ସଂଶୋଧନ କରାଯାଇ ଦେଶବ୍ୟାପୀ ଖଣିଗୁଡ଼ିକର ଆବଣ୍ଟନ ନିମନ୍ତେ ନୂଆ ନିଲାମ ବ୍ୟବସ୍ଥା କରାଯାଇଥିଲା। ଏହି ନୂଆ ନୀତି ଓ ବିଧିବ୍ୟବସ୍ଥା କାର୍ଯ୍ୟକାରୀ ହେବାବେଳକୁ ଦେଶର ୪୬ଟି ଖଣିର ଲିଜ୍ ମିଆଦ ୨୦୨୦ ମାର୍ଚ୍ଚସୁଦ୍ଧା ଶେଷ ହୋଇସାରିଥିଲା। ସେଥିରୁ ସର୍ବାଧିକ ଖଣି ଓଡ଼ିଶାରେ ରହିଛି। ତେଣୁ ଏହି ଖଣିଜ ଉତ୍ପାଦନ ପ୍ରକ୍ରିୟାକୁ ଅବ୍ୟାହତ ରଖିବା ପାଇଁ କେନ୍ଦ୍ର ସରକାର ଏହି ନୂଆ ସଂଶୋଧିତ ଖଣି ଆଇନ ୨୦୨୦କୁ ଏକ ଅଧ୍ୟାଦେଶ ମାଧ୍ୟମରେ ଆଣିଥିଲେ ବୋଲି ସେ କହିଛନ୍ତି। ଏହାସହିତ ଓଡ଼ିଶା ସରକାରଙ୍କ ଦାବି ଅନୁରୂପ ୩ଟି ଲୁହାପଥର ଖଣି ମଧ୍ୟ ଓଏମସି ଓ ଓଇଏମସିକୁ ଦେବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ଯୋଶୀ କହିଛନ୍ତି।

Related story