#ମି ଟୁ ଜାଲରେ ଫସିଥିବା ଯତୀନ୍ ଦାସଙ୍କ ପାଇଁ ବାହାରିଲେ ଝିଅ ନନ୍ଦିତା, ଫେସ୍ବୁକ୍ରେ ଲେଖିଲେ ଏମିତି କଥା
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍):#ମି ଟୁ ମାମଲାରେ ପ୍ରଖ୍ୟାତ ଓଡ଼ିଆ ଚିତ୍ରଶିଳ୍ପୀ ଯତୀନ୍ ଦାସ ଫସିବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଯତୀନ୍ ଦାସଙ୍କ ନାଁରେ ନିଶା ବୋରା ନାମ୍ନୀ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ପ୍ରାୟ ୧୫ ବର୍ଷ ତଳେ ଏକ ପ୍ରୋଜେକ୍ଟରେ ଯତୀନ୍ଙ୍କ ସହଯୋଗୀ ଭାବେ କାର୍ଯ୍ୟ କରିଥିବା ନିଶା ସେ ସମୟରେ ତାଙ୍କ ସହ ଘଟିଥିବା ଅସଦାଚରଣର ପୂରା କାହାଣୀକୁ ଟ୍ୱିଟ୍ କରି ବଖାଣିଛନ୍ତି।
ଏହି ଅଭିଯୋଗକୁ ନିଜେ ଯତୀନ ଦାସ୍ ଖଣ୍ଡନ କରିଥିବା ବେଳେ ତାଙ୍କ ଝିଅ ତଥା ବଲିଉଡ୍ ଅଭିନେତ୍ରୀ, ଫିଲ୍ମ ନିର୍ମାତା ତଥା ସମାଜସେବୀ ନନ୍ଦିତା ଦାସ୍ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସେ ଫେସ୍ବୁକ୍ରେ ଏକ ପୋଷ୍ଟ୍ କରିଛନ୍ତି। ଏଥିରେ ନନ୍ଦିତା କହିଛନ୍ତି ଯେ “#ମି ଟୁ ଅଭିଯାନ ଆରମ୍ଭରୁ ମୁଁଏହାକୁ ଦୃଢ଼ ସମର୍ଥନ କରି ଆସିଛି। ମୋ ବାପାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ପର୍ଯ୍ୟାୟ କ୍ରମେ ଖଣ୍ଡନ କରିସାରିଛନ୍ତି।
ଏମିତି ଅମୂଳକ ଅଭିଯୋଗ ସତ୍ୱେ ମୁଁ ମୋ ଆଭିମୁଖ୍ୟରୁ ହଟିଯିବି ନାହିଁ। ଏହି ମାମଲାରେ ମୋ ସ୍ୱର ଜାରି ରହିବ, ତାହା ମୁଁ ପୁଣିଥରେ ଦୋହରାଉଛି। ମୁଁ ମଧ୍ୟ ଅନ୍ୟ ମହିଳାମାନଙ୍କୁ ଆହ୍ୱାନ କରୁଛି, ସେମାନେ ଏହି ସ୍ୱର ସହ ଏକମତ ହୁଅନ୍ତୁ। ଏହି ଅଭିଯାନ ଯେମିତି ବିଫଳ ନହୁଏ, ସେନେଇ ମୁଁ ମୋର କିଛି ବନ୍ଧୁ ଏବଂ ବ୍ୟକ୍ତିଙ୍କ ସହ ଯୋଗାଯୋଗ ଜାରି କରିଛି, ଯେଉଁମାନେ ମତେ ଖୁବ୍ ବିଶ୍ୱାସ କରନ୍ତି। ଆଉ ମୋର ବିଶ୍ୱାସ୍, ସତ୍ୟ ଦିନେ ନା ଦିନେ ପଦାକୁ ଆସିବ। ଏହି ଘଟଣା ଉପରେ ବାସ୍ ମୋର ଏତିକି କହିବାର ଥିଲା।”
ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ନିଶା ନିଜ ଟ୍ୱିଟର୍ ପେଜ୍ରେ ଲେଖିଥିଲେ,୨୦୦୪ରେ ଯତୀନ୍ ଦାସଙ୍କ ସହ ଦିଲ୍ଲୀର ଇଣ୍ଡିଆ ଇଣ୍ଟର୍ନ୍ୟାଶନାଲ୍ ହଲ୍ରେ ଏକ ଡିନର ପାର୍ଟିରେ ତାଙ୍କର ସାକ୍ଷାତ୍ ହୋଇଥିଲା। ଏହି ଡିନର୍ଟି ତାଙ୍କ ଶ୍ୱଶୂର ଘର ପକ୍ଷରୁ ଆୟୋଜନ ହୋଇଥିଲା। ସେ ଲେଖିଛନ୍ତି, “ସେତେବେଳେ ମତେ ୨୮ ବର୍ଷ ହୋଇଥିଲା। ମୁଁ ନିୟମିତ ଭାବେ ଏମିତି ବେଙ୍ଗାଲୁରୁରୁ ଦିଲ୍ଲୀ ବୁଲିବା ପାଇଁ ଯାଏ। ଏହାରି ଭିତରେ ଯତୀନ୍ ଦାସ ମୋ ସହ ଚ୍ୟାଟ କରିବା ସହ ଏକ ପ୍ରୋଜେକ୍ଟରେ ସହଯୋଗ କରିବା ପାଇଁ ଅଫର୍ ଦେଲେ।
#MeToo One of India's most feted artists alive. Padma Bhushan recipient. My molestor. Long post alert. @IndiaMeToo and so MANY other women, starting with @Rxyxsx Thank you for so much. pic.twitter.com/a6VFC6iHys
— Nisha Bora (@NishaBora) October 16, 2018
ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ କାମ କରିବାର ସୁଯୋଗ ମିଳୁଥିବାରୁ ମୁଁ ଖୁସି ହୋଇଗଲି। ଖାଲି ସେତିକି ନୁହଁ, ସେ ବଲିଉଡ୍ ଅଭିନେତ୍ରୀ ନନ୍ଦିତା ଦାସଙ୍କ ବାପା ହୋଇଥିବାରୁ ମୁଁ ଅଧିକ ଉତ୍ସାହିତ ହୋଇଗଲି। ଏନେଇ ମୁଁ ମୋ ପରିବାର ସହ ଆଲୋଚନା କଲି। ପ୍ରଥମ ଦିନ ସେ ତାଙ୍କ ଘରକୁ ଡାକି ନିଜର ‘ପଙ୍ଖା’ ପ୍ରୋଜେକ୍ଟ ବିଷୟରେ ଆଲୋଚନା କଲେ। ଓଡ଼ିଶାର ଆର୍ଟ ସ୍କୁଲ ପାଇଁ ଯତୀନ୍ ଦାସଙ୍କର ଏହା ଡ୍ରିମ୍ ପ୍ରୋଜେକ୍ଟ ଥିଲା।”
“ଏଥିରେ ମୁଁ କିଛି କାମ କରିବା ଆରମ୍ଭ କଲି। ପରେ ସେ ମତେ ଏହି ‘ପଙ୍ଖା’ ପ୍ରୋଜେକ୍ଟ ଉପରେ ଏକ ସୁନ୍ଦର ଅଟୋଗ୍ରାଫ୍ ବୁକ୍ ଦେଇଥିଲେ। ପରଦିନ ସେ ମତେ ତାଙ୍କ ଷ୍ଟୁଡିଓକୁ ଡାକିଥିଲେ। ମୁଁ ମଧ୍ୟ ଯାଇଥିଲି। ସେଠାରେ ସେ ଡ୍ରିଙ୍କ୍ କରିବା ସହ ମତେ ବି ଅଫର୍ କରିଥିଲେ। ହେଲେ ମୁଁ ଏଥିରେ ରାଜି ହୋଇ ନଥିଲି। ଏହାରି ଭିତରେ ସେ ମୋ ଓଠକୁ ଏକ ବେଢଙ୍ଗୀ କିସ୍ କରିବାରେ ମ୍ୟାନେଜ୍ କରିନେଇଥିଲେ। ପରେ ପୁଣି ଥରେ ଡାକିବାରୁ ମୁଁ ଅରାଜି ହୋଇଥିଲି। ଏଥିରେ ଯତୀନ୍ କହିଥିଲେ, ‘ କମ୍ଅନ୍, ଇଟ୍ ଉଡ୍ ବି ନାଇସ୍’। ପରେ ମୁଁ ବିରକ୍ତ ହୋଇ ସେ ଜାଗା ଛାଡ଼ି ପଳାଇ ଯାଇଥିଲି।”
ତେବେ ନିଶା ବୋରା ଆଣିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଚିତ୍ରଶିଳ୍ପୀ ଯତୀନ ଦାସ। ସେ କହିଛନ୍ତି ଯେ,”ମୋ ନାଁରେ ଆସିଥିବା ଅଭିଯୋଗ ମୋତେ ବହୁତ କଷ୍ଟ ଦେଇଛି। ମୁଁ କାହାରି ସହ କୌଣସି ପ୍ରକାର ଦୁର୍ବ୍ୟବହାର କରିନାହିଁ। ଏହା ନିହାତି ଅଭଦ୍ରୋଚିତ କାର୍ଯ୍ୟ ଏବଂ ମୁଁ ଏତେ ତଳକୁ ଖସିପାରିବିନି। ବର୍ତ୍ତମାନ ଅନେକ ମହିଳା ଏ ପ୍ରକାର ଅଭିଯୋଗ ଆଣୁଛନ୍ତି। ଏକପାଖିଆ ଅଭିଯୋଗକୁ ଠିକ୍ ବୋଲି ନଭାବିବାକୁ ଆଶା କରୁଛି” ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।