ଅଧ୍ୟାପକଙ୍କ ଦାବି ଯଥାର୍ଥ, ସରକାର ମାନି ନିଅନ୍ତୁ: ନରସିଂହ ମିଶ୍ର

ବଲାଙ୍ଗିର: ଆନ୍ଦୋଳନରତ ଚୁକ୍ତିଭିତ୍ତିକ ଅଧ୍ୟାପକମାନଙ୍କ ଦାବି ଯଥାର୍ଥ ଓ ସରକାର ସେମାନଙ୍କ ଦାବି ମାନି ନେବା ଉଚିତ୍ ବୋଲି ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ସେ କହିଛନ୍ତି,“ମୁଁ ଆଶା କରୁଥିଲି ରାଜ୍ୟ ସରକାରଙ୍କର ଜ୍ଞାନ ଉଦୟ ହେବ ଓ ଶୀଘ୍ର ଅଧ୍ୟାପକମାନଙ୍କ ସହିତ ଆଲୋଚନା କରିବେ। ରାଜ୍ୟ ସରକାରଙ୍କ ମନୋଭାବ ନିନ୍ଦନୀୟ। ଅଧ୍ୟାପକମାନଙ୍କ ଦାବିଗୁଡ଼ିକୁ ଗ୍ରହଣ କରି ନେବାକୁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି। ସେମାନଙ୍କର ଦାବିଗୁଡ଼ିକ ଯଥାର୍ଥ ଓ ଯୁକ୍ତିଯୁକ୍ତ। […]

narasingha

Rakesh Mallick
  • Published: Saturday, 09 April 2016
  • , Updated: 09 April 2016, 03:49 PM IST

ବଲାଙ୍ଗିର: ଆନ୍ଦୋଳନରତ ଚୁକ୍ତିଭିତ୍ତିକ ଅଧ୍ୟାପକମାନଙ୍କ ଦାବି ଯଥାର୍ଥ ଓ ସରକାର ସେମାନଙ୍କ ଦାବି ମାନି ନେବା ଉଚିତ୍ ବୋଲି ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

ସେ କହିଛନ୍ତି,“ମୁଁ ଆଶା କରୁଥିଲି ରାଜ୍ୟ ସରକାରଙ୍କର ଜ୍ଞାନ ଉଦୟ ହେବ ଓ ଶୀଘ୍ର ଅଧ୍ୟାପକମାନଙ୍କ ସହିତ ଆଲୋଚନା କରିବେ। ରାଜ୍ୟ ସରକାରଙ୍କ ମନୋଭାବ ନିନ୍ଦନୀୟ। ଅଧ୍ୟାପକମାନଙ୍କ ଦାବିଗୁଡ଼ିକୁ ଗ୍ରହଣ କରି ନେବାକୁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି। ସେମାନଙ୍କର ଦାବିଗୁଡ଼ିକ ଯଥାର୍ଥ ଓ ଯୁକ୍ତିଯୁକ୍ତ। ସେମାନଙ୍କ ଦାବି ଆଇନସଂଗତ ମଧ୍ୟ।”

ବିରୋଧୀ ଦଳ ନେତା କହିଛନ୍ତି,“ଚୁକ୍ତିଭିତ୍ତିକ ଅଧ୍ୟାପକମାନଙ୍କ ଦ୍ୱାରା ଶିକ୍ଷାର ମାନ ବୃଦ୍ଧି କରାଯାଇପାରିବ ନାହିଁ। ଏହା ଦ୍ୱାରା ଶିକ୍ଷାର ଅଧୋଗତି ହେବ। ତେଣୁ ରାଜ୍ୟ ସରକାରଙ୍କୁ ମୁଁ ଅନୁରୋଧ କରୁଛି ତୁରନ୍ତ ଅଧ୍ୟାପକମାନଙ୍କ ସହିତ ଆଲୋଚନା କରନ୍ତୁ ଓ ସେମାନଙ୍କ ଦାବି ମାନି ନିଅନ୍ତୁ।”

ସେ କହିଛନ୍ତି ,“ରାଜ୍ୟ ଓ ରାଜ୍ୟବାସୀଙ୍କ ଦୁର୍ଭାଗ୍ୟ ଦୀର୍ଘଦିନ ଧରି ଚୁକ୍ତିଭିତ୍ତିକ ଅଧ୍ୟାପକମାନେ ଆନ୍ଦୋଳନରେ ବସିଥିଲେ ମଧ୍ୟ ସେମାନଙ୍କ ଦାବି ପୂରଣ ହୋଇନାହିଁ। ପ୍ରତିଶ୍ରୁତି ଦେଇ ମଧ୍ୟ ସରକାର ସେମାନଙ୍କ ଦାବି ପୂରଣ କରୁ ନାହାନ୍ତି। ଯାହା ଫଳରେ ଛାତ୍ର ସମାଜ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି। ପରୀକ୍ଷା ଖାତା ମୂଲ୍ୟାଙ୍କନ କରିବା ପାଇଁ ରାଜ୍ୟ ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି, ତାହା ସାଂଘାତିକ। ଏହା ଦ୍ୱାରା ଠିକ୍ ଭାବେ ମୂଲ୍ୟାଙ୍କନ ହୋଇପାରିବ ନାହିଁ। ଯେଉଁମାନେ ମୂଲ୍ୟାଙ୍କନ କରିବେ, ସେମାନଙ୍କର ସେ ଦିଗରେ ଅଭିଜ୍ଞତା ଓ ଯୋଗ୍ୟତା ନାହିଁ।”

ସେହିପରି ବଲାଙ୍ଗିରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ଆନ୍ଦୋଳନରତ ଅଧ୍ୟାପକମାନଙ୍କ ଦାବି ଯୁକ୍ତିଯୁକ୍ତ। ସରକାର ସେମାନଙ୍କ ଦାବିକୁ ମାନି ନେବା ଉଚିତ୍। ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାଙ୍କନ ପ୍ରସଙ୍ଗରେ ସରକାର ଉଦାସୀନତନା ଦେଖାଉଛନ୍ତି ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଉଛନ୍ତି।

ପ୍ରସାଦ କହିଛନ୍ତି,“କଂଗ୍ରେସ ନିର୍ଦ୍ଦିଷ୍ଟ ଭାବେ ବ୍ଲକ୍ ଗ୍ରାଣ୍ଟ୍ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ଦାବି କରୁଛି। ସରକାର ବ୍ଲକ୍ ଗ୍ରାଣ୍ଟକୁ ଉଚ୍ଛେଦ କରି ଚୁକ୍ତିଭିତ୍ତିକ ଅଧ୍ୟାପକମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦିଅନ୍ତୁ।”

ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି,“ଆମେ ବାଧ୍ୟ ହୋଇ ବିକଳ୍ପ ବ୍ୟବସ୍ଥା କରିଛୁ। ବିକଳ୍ପ ବ୍ୟବସ୍ଥାରେ ଖାତା ଦେଖୁଥିବା ଅଧ୍ୟାପକମାନେ ଅଭିଜ୍ଞ। ପିଲାମାନଙ୍କ ପରୀକ୍ଷା ଖାତାର ଉଚିତ୍ ମୂଲ୍ୟାୟନ କରାଯିବ। ଏଥିପାଇଁ ଉଭୟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଭରସା ରଖନ୍ତୁ।”

ସେ କହିଛନ୍ତି,“ଛାତ୍ରଛାତ୍ରୀଙ୍କ କ୍ୟାରିୟର ଦୃଷ୍ଟିରୁ ପରୀକ୍ଷା ଫଳ ପ୍ରକାଶନକୁ ପ୍ରାଥମିକତା ଦିଆଯାଉଛି। ଏବେ ଏହାକୁ ନେଇ ରାଜନୀତି କରିବାର ସମୟ ନୁହେଁ।”

ସୂଚନାଯୋଗ୍ୟ, ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ଦାବିରେ ୬୬୨ ଓ ୪୮୮ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଆନ୍ଦୋଳନ ଜାରି ରଖିଛନ୍ତି।

Related story