/odisha-reporter/media/post_attachments/uploads/2022/09/penson.jpg)
penson
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ମାସିକ ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ଗରିବ କଲ୍ୟାଣ ଯୋଜନାଗୁଡ଼ିକରେ ସେମାନଙ୍କୁ ଅଗ୍ରାଧିକାର ମିଳିବ । ଯେକୌଣସି ଗରିବ କଲ୍ୟାଣ କାର୍ଯ୍ୟକ୍ରମ ବା ଯୋଜନାର ହିତାଧିକାରୀ ଚୟନବେଳେ ଜାତୀୟ ସାମାଜିକ ସୁରକ୍ଷା ଯୋଜନା(ଏନଏସଏପି)ର ହିତାଧିକାରୀଙ୍କ ଡାଟାବେସରୁ ସେମାନଙ୍କ ଯୋଗ୍ୟତାକୁ ଦେଖି ସାମିଲ କରିବାକୁ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ମୋଟ ୨୦.୩୭ଲକ୍ଷ ହିତାଧିକାରୀ ବିଶେଷ ଉପକୃତ ହୋଇପାରିବେ ।
କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଗଷ୍ଟ ୨୩ତାରିଖରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏନଏସଏପି ଗାଇଡଲାଇନର ଅଷ୍ଟମ ଅନୁଚ୍ଛେଦ ସମ୍ପର୍କରେ ସ୍ମରଣ କରାଇବା ସହ ବିଭିନ୍ନ ଗରିବ କଲ୍ୟାଣ ଯୋଜନାର କାର୍ଯ୍ୟକାରୀ ବେଳେ ଏହି ମାସିକ ଭତ୍ତା ନେଉଥିବା ହିତାଧିକାରୀ(ଏନଏସଏପି) ଯେଭଳି ସ୍ୱତଃ ସେସବୁ କାର୍ଯ୍ୟକ୍ରମର ହିତାଧିକାରୀ ହେବେ ସେ ଦିଗରେ ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏହି ମାସିକ ଭତ୍ତାଧାରୀଙ୍କ ସାମାଜିକ, ଅର୍ଥନୀତିକ ଓ ସ୍ୱାସ୍ଥ୍ୟଗତ ସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଦ୍ରାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମରେ ହିତାଧିକାରୀ ଭାବେ ଯେପରି ସ୍ୱତଃ ସାମିଲ ହୋଇପାରିବେ ତାହା ସୁନିଶ୍ଚିତ କରିବାକୁ କହିଛନ୍ତି ।
କେନ୍ଦ୍ର ସରକାରଙ୍କ ଏହି ଚିଠି ପରେ ଆଜି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏହି ମାସିକ ଭତ୍ତାଧାରୀଙ୍କୁ ସେମାନଙ୍କ ଯୋଗ୍ୟତା ଆଧାରରେ ବିଭିନ୍ନ ଗରିବ କଲ୍ୟାଣ ଯୋଜନା ବା କାର୍ଯ୍ୟକ୍ରମରେ ସାମିଲ କରିବାକୁ କହିଛନ୍ତି ।
ଏହି ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀ ବା ମାସିକ ଭତ୍ତାଧାରୀଙ୍କୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟବୀମା ଅବା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟବୀମା ସମେତ ଆମ ଆଦମୀ ବୀମା ଯୋଜନାରେ ସାମିଲ, ଗୃହ ନିର୍ମାଣ ଯୋଜନାରେ ଘର ଆବଂଟନ, ଜାତୀୟ ଜୀବିକା ମିଶନ(ଗ୍ରାମ୍ୟ ଓ ସହାରାଂଚଳ) ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀରେ ମହିଳା ଭତ୍ତାଧାରୀଙ୍କୁ ନିଶ୍ଚିତ ସାମିଲ କରିବା, ଭତ୍ତାଧାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସ୍ୱତଃ ସାମିଲ କରିବା, ମନରେଗା ଯୋଜନାରେ ଭତ୍ତାଧାରୀ କିମ୍ବା ତାଙ୍କ ପରିବାରକୁ ଜବକାର୍ଡ ଯୋଗାଇ ଦେବା, ଜୀବିକା ଦକ୍ଷତା କାର୍ଯ୍ୟକ୍ରମରେ ଭତ୍ତାଧାରୀ କିମ୍ବା ତାଙ୍କ ପିଲାଙ୍କୁ ପ୍ରଶିକ୍ଷଣରେ ଅଗ୍ରାଧିକାର ଦେବା ନିମନ୍ତେ ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ଗାଇଡଲାଇନରେ ଥିବା ପ୍ରାବଧାନ ସମ୍ପର୍କରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ସ୍ମରଣ କରାଇଛନ୍ତି ।
କେବଳ ସେତିକି ନୁହେଁ, ତୃଣମୂଳସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ନେଟୱାର୍କ ତଥ୍ୟକୁ ଉପଯୋଗ କରି ପ୍ରତ୍ୟେକ ପରିବାରର ଆବଶ୍ୟକତାକୁ ବୁଝି ଆବଶ୍ୟକସ୍ଥଳେ ସେମାନଙ୍କୁ ଏସବୁ ଗରିବ କଲ୍ୟାଣ ଯୋଜନାରେ ସାମିଲ କରିବାକୁ କୁହାଯାଇଛି । ରାଜ୍ୟ ସରକାର ଚାହିଁଲେ ଗରିବ ପରିବାରର ଜୀବନଧାରଣର ମାନରେ ସୁଧାର ପାଇଁ ନିଜ ଯୋଜନାକୁ ମଧ୍ୟ ଲାଗୁ କରିପାରିବେ । ଅନ୍ୟ ଗରିବକଲ୍ୟାଣ ଯୋଜନାର ହିତାଧିକାରୀ ଚୟନବେଳେ ଏନଏସଏପିର ହିତାଧିକାରୀଙ୍କୁ ଅଗ୍ରାଧିକାର ଦେବା ନିମନ୍ତେ କ୍ରମାଗତ ପ୍ରୟାସ ଜାରି ରହିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଏବେ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ରାଜ୍ୟର ମୋଟ ୨୦.୩୭ଲକ୍ଷ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗଙ୍କୁ କେନ୍ଦ୍ର ସରକାର ମାସିକ ଭତ୍ତା ଯୋଗାଇ ଦେଉଛନ୍ତି । ରାଜ୍ୟ ସରକାର ବି ନିଜସ୍ୱ ମଧୁବାବୁ ପେନସନ ଯୋଜନାରେ ପ୍ରାୟ ୨୭.୭୦ଲକ୍ଷ ହିତାଧିକାରୀଙ୍କୁ ମାସିକ ଭତ୍ତା ଦେଉଛନ୍ତି । କିନ୍ତୁ ଜିଲ୍ଲାପାଳଙ୍କୁ ଜାରି ନିର୍ଦ୍ଦେଶନାମାରେ କେବଳ ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
