ଯୋଗେଶଙ୍କ ପାଇଁ ଚୂଡ଼ାନ୍ତ ହୋଇପାରୁନି ନବୀନଙ୍କ ସୁନ୍ଦରଗଡ଼ ଗସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଚୂଡ଼ାନ୍ତ ହୋଇପାରୁନି। କଂଗ୍ରେସ ଛାଡ଼ିଥିବା ବିଧାୟକ ଯୋଗେଶ ସିଂଙ୍କୁ ବିଜେଡିରେ ସାମିଲ କରିବା ପାଇଁ ଚାଲିଥିବା ଉଦ୍ୟମକୁ ତୃଣମୂଳସ୍ତରର ବିଜେଡି କର୍ମୀମାନେ ତୀବ୍ର ବିରୋଧ କରୁଥିବାରୁ ନବୀନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦିଆଯାଇ ପାରିନଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବିଜେଡିରେ ସାମିଲ ହେବାକୁ ଗୋଡ଼ ଟେକି ବସିଥିବା ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ଦଳରେ ମିଶାଇବା ପାଇଁ ବିଜେଡି ନେତାମାନେ […]

jogesh

Manoranjan Sial
  • Published: Saturday, 02 February 2019
  • , Updated: 02 February 2019, 07:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଚୂଡ଼ାନ୍ତ ହୋଇପାରୁନି। କଂଗ୍ରେସ ଛାଡ଼ିଥିବା ବିଧାୟକ ଯୋଗେଶ ସିଂଙ୍କୁ ବିଜେଡିରେ ସାମିଲ କରିବା ପାଇଁ ଚାଲିଥିବା ଉଦ୍ୟମକୁ ତୃଣମୂଳସ୍ତରର ବିଜେଡି କର୍ମୀମାନେ ତୀବ୍ର ବିରୋଧ କରୁଥିବାରୁ ନବୀନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦିଆଯାଇ ପାରିନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବିଜେଡିରେ ସାମିଲ ହେବାକୁ ଗୋଡ଼ ଟେକି ବସିଥିବା ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ଦଳରେ ମିଶାଇବା ପାଇଁ ବିଜେଡି ନେତାମାନେ କରିଥିବା ଉଦ୍ୟମକୁ ଏବେ ଶକ୍ତ ଧକ୍କା ଲାଗିଛି। ଜାନୁୟାରୀ ୧୮ତାରିଖରୁ ସେ କଂଗ୍ରେସରୁ ଇସ୍ତଫା ଓ ୨୨ତାରିଖରେ ବିଧାୟକ ପଦରୁ ଇସ୍ତଫା ଦେବାପରଠୁ ତାଙ୍କୁ ବିଜେଡିରେ ସାମିଲ କରିବା ପାଇଁ ପ୍ରୟାସ ଚାଲିଛି।

ସୁନ୍ଦରଗଡ଼ ଜିଲ୍ଲା ବିଶେଷକରି ସୁନ୍ଦରଗଡ଼ ସହରର ଦଳୀୟ ପଦାଧିକାରୀ ଓ କର୍ମୀମାନେ କୌଣସି ପରିସ୍ଥିତିରେ ଯୋଗେଶଙ୍କ ଦଳରେ ସାମିଲ ହେବା କଥାକୁ ସହଜରେ ଗ୍ରହଣ କରିବା ମୁଡରେ ନଥିବା ଜଣାପଡ଼ିଛି। ଯେଉଁଥିପାଇଁ ଆଜି ସୁନ୍ଦରଗଡ଼ର ବିଜେଡି ନେତ୍ରୀ କୁସୁମ ଟେଟେ(ଯୋଗେଶଙ୍କ ପ୍ରତିଦ୍ୱନ୍ଦ୍ୱୀ)ଙ୍କ ଘରେ ଦଳୀୟ କର୍ମୀଙ୍କ ସହ ବିଚାରବିମର୍ଶ ନିମନ୍ତେ ବସିଥିବା ବୈଠକ ବିଫଳ ହୋଇଛି। ଯୋଗେଶଙ୍କ ପ୍ରସଙ୍ଗରେ ଆଲୋଚନା ପାଇଁ ଆଜି ଅନୁଷ୍ଠିତ ବୈଠକରେ ସୁନ୍ଦରଗଡ଼ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ପ୍ରଶାନ୍ତ ନନ୍ଦ ଓ ଦ୍ୱିତୀୟ କ୍ଷମତାକେନ୍ଦ୍ର(ତୃତୀୟ ମହଲା ବାବୁ)ଙ୍କ ଦୂତ ପ୍ରଣବ ପ୍ରକାଶ ଦାସ(ବବି) ଯୋଗ ଦେଇଥିଲେ। କିନ୍ତୁ ଦଳୀୟ କର୍ମୀଙ୍କ ଜୋରଦାର ବିରୋଧ ଓ ହଟ୍ଟଗୋଳ ଯୋଗୁ ପ୍ରଶାନ୍ତ ଓ ବବି ବୈଠକ ସ୍ଥଳ ଛାଡ଼ି ଅଧାରୁ ଉଠି ପଳାଇ ଆସିବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି।

ଯୋଗେଶଙ୍କ ନିକଟତମ ସୂତ୍ର ଅନୁସାରେ, ତାଙ୍କୁ ଦଳରେ ସାମିଲ କରିବା ପାଇଁ ବିଜେଡି ଗତ ଡିସେମ୍ବର ମାସରୁ ସବୁଜ ସଙ୍କେତ ଦେଇଥିଲା। ସେ ବିଜେଡି ପ୍ରତିଷ୍ଠା ଦିବସରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବାର ଥିଲା। କିନ୍ତୁ ସେବେଠୁ ବିଜେଡିର ସ୍ଥାନୀୟ ନେତୃତ୍ୱଙ୍କ ସହ କୌଣସି ପ୍ରକାରର ଆଲୋଚନା କରାଯାଇନଥିଲା। ଏପରିକି ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ଶ୍ରୀ ନନ୍ଦ ମଧ୍ୟ ଏନେଇ ବିଶେଷ ଆଗ୍ରହ ଦେଖାଇନଥିଲେ। ଜିଲ୍ଲାରେ ସଂଗଠନ ଗୋଷ୍ଠୀବିବାଦ ଭିତରେ ଫସି ରହି ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ଥିବାରୁ ଯୋଗେଶଙ୍କୁ ସାମିଲ କରିବାର ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ବିଜେଡି ଏବେଠୁ ଆଶଙ୍କା କଲାଣି।

ଅପରପକ୍ଷରେ ସମସ୍ତ ସର୍ଭେ ରିପୋର୍ଟ ଅନୁସାରେ ଯେଉଁ ୪ଟି ଜିଲ୍ଲାରେ ବିଜେଡିର ସ୍ଥିତି ଦୁର୍ବଳ ଅଛି ସେଥିରେ ସୁନ୍ଦରଗଡ଼ ରହିଛି। ତେଣୁ ଯୋଗେଶଙ୍କୁ ଦଳରେ ସାମିଲ କରି ବିଜେଡି ଯେଉଁ ସଫଳତା ସୁନ୍ଦରଗଡ଼ ଜିଲ୍ଲାରେ ପାଇବ ବୋଲି ରଣନୀତି ପ୍ରସ୍ତୁତ କରିଥିଲା ତାହା ତୃଣମୂଳସ୍ତରରେ ଦଳର ନେତାମାନଙ୍କ ବିରୋଧ ଯୋଗୁ ସହଜ ମନେ ହେଉନି। ତା’ଛଡ଼ା ସୁନ୍ଦରଗଡ଼ରେ ଦଳର ମଙ୍ଗଳା କିଷାନ, ରାଣୀ ପଦ୍ମିନୀ ଶେଖର ଦେଓ, ଗତଥରର ବିଧାନସଭା ପ୍ରାର୍ଥୀ କୁସୁମ ଟେଟେଙ୍କ ସମର୍ଥକମାନେ ଯୋଗେଶଙ୍କୁ ବିଜେଡିରେ ସାମିଲ କରିବା ସପକ୍ଷରେ ନଥିବା ଜଣାପଡ଼ିଛି।

ଆଗକୁ ନିର୍ବାଚନ ଥିବାରୁ କର୍ମୀଙ୍କୁ ନାଲିଆଖି ଦେଖାଇବା ମଧ୍ୟ ସମ୍ଭବପର ହେବନି। ବିଜେଡି ରାଜନୀତିରେ ଅଭିଜ୍ଞତା ଥିବା ନେତାମାନଙ୍କୁ ସୁନ୍ଦରଗଡ଼ର ସମସ୍ୟା ସମାଧାନ ପାଇଁ ନପଠାଯାଇ ବିଜେପିରୁ ଆମଦାନୀ ହୋଇଥିବା ପ୍ରଶାନ୍ତ ନନ୍ଦ ଓ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ଦୂତ ତଥା ରାଜନୀତିକ ଦୃଷ୍ଟିରୁ ଅନଭିଜ୍ଞ ପ୍ରଣବଙ୍କ ଉପରେ ବିଜେଡି ନେତୃତ୍ୱ ଭରସା କରିବା ମଧ୍ୟ ସୁନ୍ଦରଗଡ଼ର ପୁରୁଖା ଦଳୀୟ କର୍ମୀଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏସବୁ ଦୃଷ୍ଟିରୁ ଯୋଗେଶଙ୍କୁ ଦଳରେ ସାମିଲ କରିବା ପାଇଁ କେଉଁ ଫର୍ମୂଲାକୁ ବିଜେଡି ଆପଣାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ‘ଯୋଗେଶ’ଙ୍କୁ ବିଜେଡି ‘ଶିଶୁପାଳ’ କରିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ସମ୍ଭବତଃ ଯୋଗେଶ ବିବାଦର ସମାଧାନ ପରେ ହିଁ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି।

Related story