ବିଜେଡିରେ ବବିଙ୍କ ଯୁଗ ଆରମ୍ଭ, ପୋଷ୍ଟରରୁ ଗାଏବ ନବୀନଙ୍କ ଫଟୋ

ଭୁବନେଶ୍ୱର(ପ୍ରକାଶ ସେଠୀ): ୨୩ବର୍ଷ ତଳେ ଗଢ଼ାଯାଇଥିବା ବିଜେଡିର ସାଂଗଠନିକ ବ୍ୟାପାରରେ ଦଳର ସର୍ବେସର୍ବା ନବୀନ ପଟ୍ଟନାୟକଙ୍କ ଯୁଗର ଅନ୍ତ ଘଟିଛି, ଆଉ ଯୁବନେତା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଯୁଗର ଆରମ୍ଭ ହୋଇଛି। ଦେଶର ସର୍ବାଧିକ ସଫଳ ଆଞ୍ଚଳିକ ଦଳ ଭାବେ ପରିଚିତ ବିଜେଡିର ସମସ୍ତ ସଂଗଠନର ମୁଖିଆ ଭାବେ ବବି ଦାୟିତ୍ୱ ତୁଲାଇବେ ବୋଲି ନବୀନ ଗତକାଲି ଘୋଷଣା କରିବାପରେ ଆଜି ଦଳୀୟ କାର୍ଯ୍ୟାଳୟରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆଉ […]

Naveen-Photo-is-missing-from-the-poster

Naveen-Photo-is-missing-from-the-poster

Manoranjan Sial
  • Published: Friday, 06 March 2020
  • Updated: 06 March 2020, 09:29 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ୨୩ବର୍ଷ ତଳେ ଗଢ଼ାଯାଇଥିବା ବିଜେଡିର ସାଂଗଠନିକ ବ୍ୟାପାରରେ ଦଳର ସର୍ବେସର୍ବା ନବୀନ ପଟ୍ଟନାୟକଙ୍କ ଯୁଗର ଅନ୍ତ ଘଟିଛି, ଆଉ ଯୁବନେତା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଯୁଗର ଆରମ୍ଭ ହୋଇଛି। ଦେଶର ସର୍ବାଧିକ ସଫଳ ଆଞ୍ଚଳିକ ଦଳ ଭାବେ ପରିଚିତ ବିଜେଡିର ସମସ୍ତ ସଂଗଠନର ମୁଖିଆ ଭାବେ ବବି ଦାୟିତ୍ୱ ତୁଲାଇବେ ବୋଲି ନବୀନ ଗତକାଲି ଘୋଷଣା କରିବାପରେ ଆଜି ଦଳୀୟ କାର୍ଯ୍ୟାଳୟରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆଉ ଏହି ସମ୍ବର୍ଦ୍ଧନା ସଭାରେ ଲାଗିଥିବା ବିଶାଳ ପୋଷ୍ଟର ହିଁ ବିଜେଡିର ଭବିଷ୍ୟତ ଓ ସାଂଗଠନିକ ସଂରଚନାର ଅନେକ କିଛି ଦିଗକୁ ଇସାରା କରୁଛି। ତେବେ ପୋଷ୍ଟରରୁ ନବୀନଙ୍କ ଫଟୋକୁ ସମ୍ପୂର୍ଣ୍ଣ ହଟାଇ ଦିଆଯିବା ଓ ବବିଙ୍କୁ ସାଙ୍ଗଠନିକ ମୁଖିଆ କରିବାକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି। ଅବଶ୍ୟ ‘ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ’ ଶୈଳୀରେ ଏବେ ଦଳୀୟ ନେତାମାନେ ସବୁ ଜାଣି ମଧ୍ୟ ନିଜର ରାଜନୀତିକ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିରବ ରହିବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଜୁବାବୁଙ୍କ ୧୦୪ତମ ଜୟନ୍ତୀ ଓ ନବୀନ ପଟ୍ଟନାୟକଙ୍କ ସରକାର ୨୦ବର୍ଷ ପୂର୍ତ୍ତି ଅବସରରେ ଦଳର ସମସ୍ତ ସାଂଗଠନିକ କାର୍ଯ୍ୟର ମୁଖ୍ୟ ଭାବେ ବବି କାର୍ଯ୍ୟ କରିବେ ବୋଲି ନିଜେ ଗତକାଲି ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଦଳର ସାଂଗଠନିକ ନେତୃତ୍ୱ ବବିଙ୍କ ହାତରେ ନ୍ୟସ୍ତ କରି ନିଜେ ଅଭିଭାବକ ଦାୟିତ୍ୱରେ ରହିବେ ବୋଲି ଆକଳନ କରାଯାଉଥିଲା। କିନ୍ତୁ ଆଜି ଦଳୀୟ କାର୍ଯ୍ୟାଳୟରେ ବବିଙ୍କୁ ଦଳ ପକ୍ଷରୁ ଦିଆଯାଇଥିବା ସମ୍ବର୍ଦ୍ଧନା ସଭା ହିଁ ଏସବୁ ଆକଳନକୁ ଭୁଲ୍ ପ୍ରମାଣିତ କରିଛି। ଏବେ ବିଜେଡିରେ ନବୀନ ନୁହେଁ ବବି ହିଁ ସର୍ବେସର୍ବା ଓ ଏକମାତ୍ର ଅପ୍ରତିଦ୍ୱନ୍ଦ୍ୱୀ ନେତା ବୋଲି ସନ୍ଦେଶ ଦିଆଯାଇଛି। ୨୦ବର୍ଷ ଧରି କ୍ରମାଗତ କ୍ଷମତାରେ ଥିବା ବିଜେଡିରେ ଏକ କୋଟିରୁ ଉର୍ଦ୍ଧ୍ୱ ସଭ୍ୟ ଥିବାବେଳେ ସାଂଗଠନିକ କାର୍ଯ୍ୟରୁ ନବୀନଙ୍କ ଏଭଳି ରହସ୍ୟଜନକ ସନ୍ୟାସକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ବିଜେଡି ସୂତ୍ର ଅନୁସାରେ, ବିଜେଡିକୁ ଏକ ସୁଦୃଢ଼ ଓ ସଫଳ ଦଳ ଭାବେ ଗଢ଼ିବାରେ ବିନ୍ଧାଣୀ ସାଜିଥିବା ପ୍ୟାରୀମୋହନ ମହାପାତ୍ରଙ୍କ ସହ ନବୀନଙ୍କ ମତାନ୍ତରର ମୁଖ୍ୟ କାରଣ ଥିଲା ଏହି ପୋଷ୍ଟର। ତାଙ୍କ ସହ ଅନ୍ୟ କାହାରି ପୋଷ୍ଟରକୁ ସମାନ ଭାବେ ଗୁରୁତ୍ୱ ମିଳିବାକୁ ନବୀନ ପସନ୍ଦ କରୁନଥିଲେ। ସେବେଠୁ ନବୀନଙ୍କୁ ଦଳର ଏକମାତ୍ର ଓ ଅଦ୍ୱିତୀୟ ନେତା ଭାବେ ପ୍ରତିପାଦନ କରିବା ନିମନ୍ତେ ବିଜେଡି ପକ୍ଷରୁ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରେ ମଞ୍ଚରେ କେବଳ ‘ଗୋଟିଏ ଚେୟାର’ ପକାଯାଇ ତା’ର ସନ୍ଦେଶ ଦିଆଯାଇଥିଲା। କିନ୍ତୁ ଆଜି ଦଳୀୟ କାର୍ଯ୍ୟାଳୟରେ ସଂଗଠନ ସମ୍ପାଦକ ତଥା ଦଳର ବିଭିନ୍ନ ସଂଗଠନର ମୁଖ୍ୟ ଭାବେ ନିଯୁକ୍ତି ପାଇଥିବା ପ୍ରଣବ ଓରଫ ବବିଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଲାଗିଥିବା ପୋଷ୍ଟରରେ କେବଳ ହିଁ ବବିଙ୍କ ଫଟୋ ଦେଖିବାକୁ ମିଳିଥିଲା। କୌଣସି ସ୍ଥାନରେ ବି ନବୀନଙ୍କ ଫଟୋ ନଥିଲା।

ରାଜନୀତିକ ବିଶ୍ଲେଷକଙ୍କ ମତରେ,ବିଜେଡି କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକ୍ରମରେ ନବୀନଙ୍କ ଫଟୋ ନରହିବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ କଥା। ହୁଏତ ଦଳ ପକ୍ଷରୁ ସେଭଳି ରଣନୀତି ପ୍ରସ୍ତୁତ କରାଯାଇ କର୍ମୀ ଓ ନେତାମାନଙ୍କ ମୁଡକୁ ପରଖା ଯାଉଥିବ। ନବୀନଙ୍କ ଉତ୍ତରାଧିକାରୀ ଭାବେ ବବିଙ୍କୁ ଉପସ୍ଥାପନ କରାଯାଉଛି। ଗତକାଲି ବବି ହିଁ ଦଳର ସମସ୍ତ ସଂଗଠନର ମୁଖ୍ୟ ଭାବେ କାର୍ଯ୍ୟ କରିବେ ବୋଲି ଘୋଷଣା କରାଯାଇଥିଲା। ଯଦି ବବି ଦଳର ସମସ୍ତ ସଂଗଠନର ମୁଖ୍ୟ ଭାବେ କାର୍ଯ୍ୟ କରିବେ ତା’ହେଲେ ଦଳର ମୁଖ୍ୟ ସଂଗଠନ ସହ ମହିଳା, ଯୁବ, ଛାତ୍ର, କୃଷକ, ଶ୍ରମିକ, ଆଇନ ସାମ୍ମୁଖ୍ୟ ଆଦିର ମୁଖିଆ ଭାବେ ଯେଉଁମାନଙ୍କୁ ଦାୟିତ୍ୱ ଦିଆଯିବ ସେମାନେ ବବିଙ୍କ ଅଧୀନରେ ହିଁ କାର୍ଯ୍ୟ କରିବାକୁ ବାଧ୍ୟ ହେବେ। ସାଂଗଠନିକ କାର୍ଯ୍ୟରୁ ନବୀନ ନିଜେ ଦୂରେଇ ଯାଇଥିବାରୁ ସେମାନଙ୍କୁ ବବିଙ୍କୁ ଦଳର ନେତା ମାନି କାର୍ଯ୍ୟ କରିବାକୁ ପଡ଼ିବ। ଏସବୁ ବ୍ୟତୀତ ୨୩ବର୍ଷର ବିଜେଡିକୁ ବବିଙ୍କ ଆଗମନ ମାତ୍ର ୧୧ବର୍ଷ ହୋଇଥିବାବେଳେ ଦଳରେ ସାଂଗଠନିକ କ୍ଷମତା ବିକେନ୍ଦ୍ରୀକରଣ ହେବା ପରିବର୍ତ୍ତେ କେବଳ ଜଣଙ୍କ ପାଖରେ ଠୁଳ ହେବାର ଦୂରଗାମୀ ପରିଣାନି ବି ରହିଛି। ଯାହାର ଆଭାସ ଏବେଠୁ ମିଳିଲାନି। ଯଦି ଦଳରେ ନେତାମାନଙ୍କ ମଧ୍ୟରେ କୌଣସି ମତାନ୍ତର ଅବା ମନାନ୍ତର ରହିଲା ତା’ର ସମାଧାନ ପାଇଁ ଏବେ ଆଉ କୌଣସି ଫୋରମ୍ ମଧ୍ୟ ନାହିଁ। ଯାହାକି ଏପର୍ଯ୍ୟନ୍ତ ଦଳରେ ରହି ଆସିଥିଲା। ନବୀନଙ୍କ ନାଁରେ ବିଜେଡିକୁ ଭୋଟ ରାଜନୀତିରେ ସଫଳତା ମିଳୁଥିବାରୁ ସମସ୍ତେ ତାଙ୍କୁ ନିଜର ନେତା ଭାବେ ସ୍ୱୀକାର କରିଥିଲେ। ଅବଶ୍ୟ ବବି ଜଣେ ସଫଳ ମ୍ୟାନେଜର କିନ୍ତୁ ନବୀନଙ୍କ ବିନା ବିଜେଡିକୁ ଭୋଟ ରାଜନୀତିରେ ସଫଳତା ମିଳିବା ସମ୍ଭାବନା ବି ନାହିଁ। ଯଦିଓ ଜାତୀୟ ରାଜନୀତିକ ପରିଦୃଶ୍ୟ ଏବେ ବିଜେଡି ପାଇଁ ସହାୟକ ହୋଇଛି ଓ ତାକୁ ଦୃଷ୍ଟିରେ ରଖି ଦଳର ନେତାମାନେ ଏଭଳି ସାଂଗଠନିକ ପରିବର୍ତ୍ତନକୁ ନେଇ ନିରବ ରହିଛନ୍ତି। ତେଣୁ ଏସବୁ ଦୃଷ୍ଟିରୁ ବିଜେଡିର ଗତି କୁଆଡ଼େ ତାକୁ ନେଇ କର୍ମୀ ଓ ନେତାମାନଙ୍କ ମଧ୍ୟରେ ପ୍ରଶ୍ନ ଉଠିବା ସ୍ୱାଭାବିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos