କିଏ ସତ କହୁଛି: ନବୀନ କାହାକୁ ଭୟ କରୁଛନ୍ତି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଓ ସିବିଆଇ ମୁହାମୁହିଁ ହେବା ପରେ ବିଜେଡି ନିଜର ‘ସମଦୂରତ୍ୱ’ ଟ୍ୟାଗ୍ ଧୂମିଳ ହେବାର ଆଶଙ୍କା କରି ସୁବିଧାବାଦୀ ରଣନୀତି ଆପଣାଇଛି। ବିଜେଡି ପକ୍ଷରୁ ଗତକାଲି ସଫେଇ ଦିଆଯିବା ପରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁହଁ ଖୋଲି ମମତାଙ୍କ ତୃଣମୂଳ କଂଗ୍ରେସ ସହ କୌଣସି ସମ୍ପର୍କ ନଥିବାର ସନ୍ଦେଶ ଦେଇଛନ୍ତି। ମମତାଙ୍କ ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମ୍ପର୍କ […]

mamata-and-naveen

Manoranjan Sial
  • Published: Tuesday, 05 February 2019
  • , Updated: 05 February 2019, 06:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଓ ସିବିଆଇ ମୁହାମୁହିଁ ହେବା ପରେ ବିଜେଡି ନିଜର ‘ସମଦୂରତ୍ୱ’ ଟ୍ୟାଗ୍ ଧୂମିଳ ହେବାର ଆଶଙ୍କା କରି ସୁବିଧାବାଦୀ ରଣନୀତି ଆପଣାଇଛି। ବିଜେଡି ପକ୍ଷରୁ ଗତକାଲି ସଫେଇ ଦିଆଯିବା ପରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁହଁ ଖୋଲି ମମତାଙ୍କ ତୃଣମୂଳ କଂଗ୍ରେସ ସହ କୌଣସି ସମ୍ପର୍କ ନଥିବାର ସନ୍ଦେଶ ଦେଇଛନ୍ତି। ମମତାଙ୍କ ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମ୍ପର୍କ ଯୋଡ଼ି କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ସରକାରକୁ ଅସନ୍ତୁଷ୍ଟ କରିବାକୁ ନବୀନ ଚାହୁଁନଥିବା ଜଣାପଡ଼ିଛି। ଯେଉଁଥିପାଇଁ ଗଣମାଧ୍ୟମରେ ନବୀନଙ୍କ ନାଁ ମମତା ଉଚ୍ଚାରଣ କରିବାର ୨ଘଣ୍ଟା ନପୁରୁଣୁ ନବୀନ ନିଜେ ପ୍ରତିକ୍ରିୟା ଦେବାକୁ ଆଗେଇ ଆସିଥିଲେ ତଥା ମମତାଙ୍କ ସହ ସମ୍ପର୍କକୁ ଖଣ୍ଡନ କରିବାକୁ ବି ପଛାଇ ନଥିଲେ।

ସୂଚନା ଅନୁସାରେ, ମମତା ବାନାର୍ଜୀ ସରକାର ଓ ସିବିଆଇ ମଧ୍ୟରେ ଚାଲିଥିବା ଛକାପଞ୍ଝା ପ୍ରସଙ୍ଗରେ ଗତକାଲିଠୁ ସିବିଆଇକୁ କଡ଼ା ଭର୍ତ୍ସନା କରିଥିବା ବିଜେଡି କେତେକ ଗୋପନୀୟ କାରଣରୁ ତୃଣମୂଳ କଂଗ୍ରେସକୁ ସମର୍ଥନ କରିବାକୁ ପଛଘୁଞ୍ଚା ଦେଇଛି ଓ ସେହି ଦଳ ସହ କିଛି ସମ୍ପର୍କ ନାହିଁ ବୋଲି କହିବାକୁ ଖୋଦ୍ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ କ୍ୟାମେରା ଆଗକୁ ଆସିବାକୁ ପଡ଼ୁଛି। ତେବେ ପ୍ରଶ୍ନ ଉଠୁଛି, କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଗଣମାଧ୍ୟମକୁ ଦେଇଥିବା ବୟାନ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ବୟାନ ମଧ୍ୟରେ ତାଳମେଳ ରହୁନଥିବାରୁ ବାସ୍ତବରେ କିଏ ସତ କହୁଛି ଏବଂ କେଉଁ ଅଜଣା ଭୟରେ ଶ୍ରୀ ପଟ୍ଟନାୟକ ବାରମ୍ବାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁଛନ୍ତି ତାକୁ ନେଇ ଚର୍ଚ୍ଚା।

ଆଜି ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ କୋଲକାତାରେ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କର ଧାରଣା/ପ୍ରତିବାଦକୁ ସେ ଜାରି ରଖିବେ କି ନାହିଁ ସେଥିପାଇଁ ସମସ୍ତ ସମଭାବାପନ୍ନ ଦଳଗୁଡ଼ିକ ସହ ବିଚାରବିମର୍ଶ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଯେଉଁମାନେ ତାଙ୍କୁ ସମର୍ଥନ କରିଛନ୍ତି ସେ ସମସ୍ତଙ୍କ ମତାମତ ନେବେ। ଏପରିକି ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ, କାରଣ ସେ ତାଙ୍କୁ ଏ ପ୍ରସଙ୍ଗରେ ସମର୍ଥନ ଦେଇଥିଲେ।

ମମତାଙ୍କ ଏହି ବୟାନର ୨ଘଣ୍ଟା ନପୁରୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ପରୋକ୍ଷରେ ଖଣ୍ଡନ କରିଛନ୍ତି। ସିବିଆଇ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ଯୋଗାଯୋଗ ହୋଇଥିଲା କି ପ୍ରଶ୍ନର ଉତ୍ତରରେ ନବୀନ କହିଥିଲେ ଯେ, “ ପ୍ରାୟ ଏକବର୍ଷ ହେବ ତୃଣମୂଳ କଂଗ୍ରେସର କେହି ଆମ ସହ ଯୋଗାଯୋଗ କରିନାହାନ୍ତି। ଗତକାଲି ଆମ ଦଳର ମତାମତ ଓଡ଼ିଶା ସମ୍ପର୍କିତ ଥିଲା। ଅନ୍ୟମାନଙ୍କ ଭଳି ଆମେ ମଧ୍ୟ ଚାହୁଁଛୁ କି ସିବିଆଇ ବୃତ୍ତିଗତ ଭାବେ ଓ ଅଣରାଜନୀତିକ ଢଙ୍ଗରେ କାର୍ଯ୍ୟ କରୁ। ଏହି ମାମଲାରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ସମସ୍ତେ ପାଳନ କରିବା ଉଚିତ୍।” ସେହିପରି ତାଙ୍କୁ ସିବିଆଇ ପ୍ରଶ୍ନ କରିଥିବା ନେଇ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଆଣିଥିବା ଅଭିଯୋଗକୁ ଖଣ୍ଡନ କରି ଏହା ‘ସମ୍ପୂର୍ଣ୍ଣ ବକୱାସ’ ବୋଲି ନବୀନ କହିଛନ୍ତି।

ତେବେ ଗତକାଲି ପଶ୍ଚିମବଙ୍ଗ ସରକାର ଓ ସିବିଆଇ ମୁହାଁମୁହିଁ ହେବା ପ୍ରସଙ୍ଗରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଲୋକସଭାରେ ଓ ମୁଖପାତ୍ର ସସ୍ମିତ ପାତ୍ର ଭୁବନେଶ୍ୱରରେ ଦେଇଥିବା ବୟାନ ମମତାଙ୍କ ତୃଣମୂଳ କଂଗ୍ରେସକୁ ସମର୍ଥନ ପାଇଁ ଉଦ୍ଦିଷ୍ଟ ଥିବା କଥା ଗଣମାଧ୍ୟମରେ ପ୍ରସାରଣ ହେବାପରେ ବିଜେଡି ପୁଣିଥରେ ଏକ ସ୍ପଷ୍ଟୀକରଣ ଦେଇଥିଲା। ଏପରିକି ବିଜେଡିର ବୟାନକୁ ଭିତ୍ତିକରି କେତେକ ରାଜନୀତିକ ଦଳର ଗୋଷ୍ଠୀ ସହ ବିଜେଡିକୁ ଯୋଡ଼ାଯିବା ଅନୁଚିତ୍ ଓ ଭ୍ରମାତ୍ମକ ବୋଲି ଦଳ କହିଥିଲା।

ଗତକାଲି ଦଳର ସ୍ପଷ୍ଟୀକରଣ ଓ ଆଜି ବିଜେଡି ସଭାପତିଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସମଦୂରତ୍ୱର ଆଳ ଦେଖାଉଥିବା ବିଜେଡି କୌଣସି ପରିସ୍ଥିତିରେ ବିଜେପି ଶୀର୍ଷ ନେତୃତ୍ୱକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନି।

Related story