ଭୁବନେଶ୍ୱର/ଦନ୍ତେୱାଡା: ୨୦୧୮ ମସିହା ଛତିଶଗଡ଼ ବିଧାନସଭା ନିର୍ବାଚନର କିଛିଦିନ ପୂର୍ବରୁ ଦନ୍ତେୱାଡାରେ ହୋଇଥିବା ନକ୍ସଲ ଆକ୍ରମଣରେ ସମ୍ପୃକ୍ତ ଜଣେ ନକ୍ସଲକୁ ଦନ୍ତେୱାଡା ପୁଲିସ୍ ଗିରଫ କରିଛି। ଏହି ନକ୍ସଲ ଆକ୍ରମଣରେ ଦୂରଦର୍ଶନ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁ ଓ ୨ ଜଣ ଯବାନ ସହିଦ ହୋଇଥିଲେ। ଗିରଫ ନକ୍ସଲର ନାଁ କେଶା କୋହରାମ।
ଅଚ୍ୟୁତାନନ୍ଦଙ୍କ ଘର ବଲାଙ୍ଗିର ଜିଲ୍ଲାରେ। ସେ ଦିଲ୍ଲୀରେ କାର୍ଯ୍ୟରତ ଥିଲେ।
ସୂଚନାଥାଉ କି, ଦନ୍ତେୱାଡାର ଆରନପୁରରେ ନିର୍ବାଚନ ସଂପର୍କିତ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଦୂରଦର୍ଶନ ଟିମ୍ ଓ ସୁରକ୍ଷା କର୍ମୀଙ୍କ ଉପରେ ନକ୍ସଲମାନେ ଆକ୍ରମଣ କରିଥିଲେ।
ମିଳିଥିବା ସୂଚନା ଅନୁସାରେ, ନିଲାୱାୟା ଜଙ୍ଗଲରେ କେଶା ଲୁଚି ରହିଥିବା ଖବର ମିଳିବା ପରେ ଡିଆର୍ଜି ଓ ପୋଟାଲି ପୁଲିସ୍ର ଏକ ମିଳିତ ଟିମ୍ ପୂରା ଜଙ୍ଗଲକୁ ଘେରି ଯାଇଥିଲେ। ଏହାପରେ କେଶାକୁ ଧରିବାରେ ସଫଳ ହୋଇଥିଲା। କେଶା ନାଁରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ତା’ନିକଟରୁ ପୁଲିସ୍ wire, ଡିଟୋନେଟର୍ ଜବତ କରିଛି।
ପୁଲିସ୍ର ସୂଚନା ଅନୁସାରେ, କେଶା, ନକ୍ସଲ ସଂଗଠନ ଦରଭା ଆକ୍ସନ ଟିମ୍ର ଜଣେ ସଦସ୍ୟ। ତେବେ ପଚରାଉଚରା ବେଳେ ତା’ନିକଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରାଯାଇପାରିବ ବୋଲି ଆଶଙ୍କା କରାଯାଉଛି।
ଦନ୍ତେୱାଡା ପୁଲିସ୍ର ସୂଚନା ଅନୁସାରେ, କେଶାକୁ ଧରିବା ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ପ୍ରେସର୍ IED ଓ ସ୍ପାଇକ୍ ହୋଲ୍ ଲଗାଇବାରେ ସେ ପୂରାପୂରି ମାହିର ବୋଲି ପୁଲିସ୍ ଦାବି କରିଛି।
ପୁଲିସ୍ର ସୂଚନା ଅନୁସାରେ, ନିଲାୱାୟା ନକ୍ସଲ ଆକ୍ରମଣରେ ସମ୍ପୃକ୍ତ ବହୁ ନକ୍ସଲଙ୍କୁ ପୂର୍ବରୁ ଗିରଫ କରାଯାଇ ସାରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।