ସାଥୀ ହୋଇ ରାତି କାଟିପାରୁନଥିଲେ, ମିଳନ ପାଇଁ ଛାଡ଼ିଲେ କଣ୍ଟକିତ ରାସ୍ତା

ରାଉରକେଲା (ପୱନ ତିୱାରୀ): ସାଥୀଙ୍କ କଥାରେ ଲାଲ୍‌ଗଡ଼କୁ ଆସିଥିଲେ। ହେଲେ କେବେ ସାଥୀ ହୋଇ ଏକାଠି ଦିନ କାଟି ପାରୁନଥିଲେ। ଉଭୟଙ୍କ ପ୍ରେମରେ ପ୍ରତିବନ୍ଧକ ସାଜିଥିଲା ଲାଲଗଡ଼ର କଠୋର ନୀତି। କଣ୍ଟକିତ ରାସ୍ତାରେ ଚାଲିବାକୁ ପ୍ରଥମରୁ ପଣ କରିଥିବା ଏହି ପ୍ରେମ ପକ୍ଷୀଙ୍କୁ କେବେକେମିତି ସୁଯୋଗ ମିଳିଲେ, ଏକାଠି ହୁଅନ୍ତି। ହେଲେ ମନ ବୁଝେନି। ସାଥୀ ହୋଇଥିଲେ ସତ, କିନ୍ତୁ ରାତି କଟୁନଥିଲା। ଆଉ ଶେଷରେ ପ୍ରେମ ପାଇଁ ଛାଡ଼ି ଚାଲି ଯାଇଥିବା ସେହି ଅଫେରା ବାଟକୁ […]

naxal

Manoranjan Sial
  • Published: Saturday, 07 March 2020
  • , Updated: 07 March 2020, 05:36 PM IST

ରାଉରକେଲା (ପୱନ ତିୱାରୀ): ସାଥୀଙ୍କ କଥାରେ ଲାଲ୍‌ଗଡ଼କୁ ଆସିଥିଲେ। ହେଲେ କେବେ ସାଥୀ ହୋଇ ଏକାଠି ଦିନ କାଟି ପାରୁନଥିଲେ। ଉଭୟଙ୍କ ପ୍ରେମରେ ପ୍ରତିବନ୍ଧକ ସାଜିଥିଲା ଲାଲଗଡ଼ର କଠୋର ନୀତି। କଣ୍ଟକିତ ରାସ୍ତାରେ ଚାଲିବାକୁ ପ୍ରଥମରୁ ପଣ କରିଥିବା ଏହି ପ୍ରେମ ପକ୍ଷୀଙ୍କୁ କେବେକେମିତି ସୁଯୋଗ ମିଳିଲେ, ଏକାଠି ହୁଅନ୍ତି। ହେଲେ ମନ ବୁଝେନି। ସାଥୀ ହୋଇଥିଲେ ସତ, କିନ୍ତୁ ରାତି କଟୁନଥିଲା। ଆଉ ଶେଷରେ ପ୍ରେମ ପାଇଁ ଛାଡ଼ି ଚାଲି ଯାଇଥିବା ସେହି ଅଫେରା ବାଟକୁ ଫେରିଲେ। ଲାଲଗଡ଼ର ରାସ୍ତା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଦମ୍ପତିଙ୍କ ପଛରେ ରହିଛି ଏମିତି ଏକ ରୋମାଞ୍ଚକର କାହାଣୀ।

ଝାଡ଼ଖଣ୍ଡର ରାଜୁ କାୟମ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ପାଠ ପଢ଼ା ପରେ ଚାଷ କରୁଥିଲେ। ଏହି ସମୟରେ ତାଙ୍କର ଦେଖାହୁଏ ନକ୍ସଲ ନେତା ସଗେନଙ୍କ ସହିତ। ତାଙ୍କ କଥାରେ ଅନୁପ୍ରାଣିତ ହୋଇ ରାଜୁ ୨୦୧୧ରେ ନକ୍ସଲରେ ସାମିଲ ହୋଇଥିଲେ। ସେ ଏରିଆକମାଣ୍ଡାରଣ୍ଟ ଜୟନ୍ତୀଙ୍କ ଅଧିନରେ କାମ କଲେ। ବର୍ଷେ ପରେ ଅର୍ଥାତ ୨୦୧୨ ମସିହାରେ ରାଜୁକୁ ଆର୍ମ୍ସ ଟ୍ରେନିଂ ଦିଆଯାଇଥିଲା। ତାଙ୍କୁ ସନ୍ଦୀପ ତାଲିମ ଦେଇଥିଲେ। ତାଲିମ ନେବା ପରେ ରାଜୁ ବିଭିନ୍ନ ନକ୍ସଲ ଅପରେଶନ୍‌ରେ ନିଜକୁ ସାମିଲ କରିଥିଲେ। ଏହି ସମୟରେ ତାଙ୍କର ସନୀତା ସର୍ଲା ଓରଫ କଳ୍ପନାଙ୍କ ସହିତ ଦେଖାହୁଏ। ସେତେବେଳେ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ କଳ୍ପନା। ପରେ ରାଜୁଙ୍କ କଥାରେ ସେ ନକ୍ସଲରେ ସାମିଲ ହୋଇଥିଲେ। ସେ ମଧ୍ୟ ସନ୍ଦୀପଙ୍କଠାରୁ ଆର୍ମ୍ସ ଟ୍ରେନିଂ ନେଇଥିଲେ। ଉଭୟ ମିଳିମିଶି ଓଡ଼ିଶା ଓ ଝାଡଖଣ୍ଡ ସୀମାରେ ବହୁ ନକ୍ସଲ କାର୍ଯ୍ୟକଳାପରେ ସାମିଲ ଥିଲେ। ଏପରିକି ନକ୍ସଲ ଅପରେଶନ୍‌କୁ ସଫଳ ରୂପାୟନ କରିଥିଲେ। ଏହା ଭିତରେ ଉଭୟ ଅତି ନିକଟତର ହୋଇଥିଲେ। କେହି କାହାକୁ ଛାଡ଼ିବାକୁ ରାଜି ନଥିଲେ।

ଶେଷରେ ଉଭୟଙ୍କ ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା। ୨୦୧୩ ମସିହାରେ ରାଜୁ ଓ କଳ୍ପନା ବିବାହ କରିଥିଲେ। ବିବାହ ପରେ ମଧ୍ୟ ଉଭୟ ନକ୍ସଲ କାର୍ଯ୍ୟକଳାପରେ ସକ୍ରିୟ ଥିଲେ। ହେଲେ ଲାଲଗଡ଼ର କଣ୍ଟକିଟ ରାସ୍ତା ଉଭୟଙ୍କୁ ଏକାଠି ହେବାକୁ ଦେଉନଥିଲା। କାରଣ ଏହି ପ୍ରେମ ପକ୍ଷୀ ଯାଉଥିଲେ ଭିନ୍ନ ଭିନ୍ନ ରାସ୍ତାରେ। ତଥାପି ଘଞ୍ଚ ଜଙ୍ଗଲ ଭିତରେ ଉଭୟଙ୍କର ସ୍ୱଳ୍ପ ସମୟ ମିଳନ ହେଉଥିଲା। ଯାହା ଅନ୍ୟ ନକ୍ସଲ ନେତାଙ୍କୁ ପସନ୍ଦ ହେଉନଥିଲା। ଯେଉଁଥିପାଇଁ ଉଭୟଙ୍କ ଉପରେ ବଢ଼ି ଚାଲିଲା ମାନସିକ ଓ ଶାରୀରିକ ନିର୍ଯାତନା। ଅନ୍ୟପକ୍ଷରେ ନକ୍ସଲମାନେ ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଉଥିବା ଉଭୟ ଦେଖିବାକୁ ପାଇଥିଲେ।

ତେବେ ୨୦୧୭ ମସିହାରେ ରାଜୁ ଓ କଳ୍ପନାଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଲା। ତେଣୁ ସେମାନେ ନକ୍ସଲ କାର୍ଯ୍ୟକଳାପଠାରୁ ଧୀରେଧୀରେ ଦୁରେଇ ଗଲେ। ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଯୋଜନା କଲେ। ଆଜି ଉଭୟ ରାଉରକେଲା ଏସ୍‌ପି କେ.ଶିବା ସୁବ୍ରମଣୀ ଓ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ନୀତି ନିୟମ ଅନୁସାରେ ସେମାନଙ୍କୁ ଅନୁକମ୍ପା ମିଳିବ ବୋଲି ଏସ୍‌ପି କକହିଛନ୍ତି।

Related story