ପାହାଡ଼ରେ ଚାଲିଛି ବ୍ଲାଷ୍ଟିଂ, ଗାଁରେ ହେଉଛି କୃତ୍ରିମ ଭୂମିକମ୍ପ; ଭୟଭୀତ ଲୋକେ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପଥର ମାଫିଆ ପାହାଡ଼ରେ ପଥର ବ୍ଲାଷ୍ଟିଂ କରୁଛନ୍ତି। ଆଉ ଏହାର ପ୍ରଭାବ ପଡୁଛି ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ୪ ପଞ୍ଚାୟତରେ। ପଥର ବ୍ଲାଷ୍ଟିଂ ଯୋଗୁ ଗାଁରେ ସୃଷ୍ଟି ହେଉଛି କୃତ୍ରିମ ଭୂମିକମ୍ପ। ଯାହାଦ୍ୱାରା ଘରର କାନ୍ଥ ଫାଟି ଯାଉଛି। ଯେଉଁଥିପାଇଁ ଭୟଭୀତ ଅବସ୍ଥାରେ ଗାଁ ଲୋକ ଜୀବନ ଅତିବାହିତ କରୁଛନ୍ତି। ଏପରି ଚିତ୍ର ଆସିଛି ନୟାଗଡ଼ ଜିଲ୍ଲାରୁ। ପଥର ବ୍ଲାଷ୍ଟିଂ ପରେ ସବୁଜ ସଫଳା ପାହାଡ ତା’ର ଅସ୍ତିତ୍ୱ ହରାଇ ବସିଛି। ସେପଟେ ଦିନରାତି କ୍ରସର […]

Nayagarh

Manoranjan Sial
  • Published: Friday, 10 September 2021
  • , Updated: 10 September 2021, 08:25 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପଥର ମାଫିଆ ପାହାଡ଼ରେ ପଥର ବ୍ଲାଷ୍ଟିଂ କରୁଛନ୍ତି। ଆଉ ଏହାର ପ୍ରଭାବ ପଡୁଛି ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ୪ ପଞ୍ଚାୟତରେ। ପଥର ବ୍ଲାଷ୍ଟିଂ ଯୋଗୁ ଗାଁରେ ସୃଷ୍ଟି ହେଉଛି କୃତ୍ରିମ ଭୂମିକମ୍ପ। ଯାହାଦ୍ୱାରା ଘରର କାନ୍ଥ ଫାଟି ଯାଉଛି। ଯେଉଁଥିପାଇଁ ଭୟଭୀତ ଅବସ୍ଥାରେ ଗାଁ ଲୋକ ଜୀବନ ଅତିବାହିତ କରୁଛନ୍ତି। ଏପରି ଚିତ୍ର ଆସିଛି ନୟାଗଡ଼ ଜିଲ୍ଲାରୁ। ପଥର ବ୍ଲାଷ୍ଟିଂ ପରେ ସବୁଜ ସଫଳା ପାହାଡ ତା’ର ଅସ୍ତିତ୍ୱ ହରାଇ ବସିଛି। ସେପଟେ ଦିନରାତି କ୍ରସର ଚାଲୁଥିବାରୁ ପଥର ଗୁଣ୍ଡ ଚାଷ ଜମିରେ ପଡୁଛି। ଯାହାଫଳରେ ଚାଷ ଜମି ବନ୍ଧ୍ୟ ହେଉଥିବା ଅଭିଯୋଗ ହେଉଛି। ଏନେଇ ଅଭିଯୋଗ କଲେ ହତ୍ୟାର ଧମକ ଦିଆଯାଉଛି।

ନୟାଗଡ଼ ଜିଲ୍ଲା ଭାପୁର ତହସିଲ ଅଧୀନରେ ବାଘୁଆପଲ୍ଲୀ ଗାଁ ନିକଟରେ ରହିଛି ‘କାଶିଆ ପାହାଡ଼’। ୪ଟି ପଞ୍ଚାୟତର କେନ୍ଦ୍ରସ୍ଥଳରେ ଥିବା ଏହି ପାହାଡ଼ଟି ସବୁଜ ବନାନୀ ପରିପୂର୍ଣ୍ଣ ଥିଲା। ହେଲେ ଆଜି ସବୁ ଛାରଖାର ହୋଇଯାଇଛି। ପଥର ମାଫିଆମାନେ ପାହାଡ଼କୁ କବ୍‌ଜାକୁ ନେଇ ଯାଇଛନ୍ତି। ପାହାଡ଼କୁ ଖୋଳି ପଥର ନେଇଯାଉଛନ୍ତି। ଦିନ ଦ୍ୱି’ପହରରେ ପ୍ରତିଦିନ ଶହଶହ ଟ୍ରିପ୍‌ ପଥର ଲୁଟି ନେଉଛନ୍ତି। ଦିନ ରାତି ବ୍ଲାଷ୍ଟିଙ୍ଗ କରି ପାହାଡ଼ରୁ ଶହ ଶହ ଟ୍ରିପ୍‌ ପଥର ଚକ୍ରଧର ପ୍ରସାଦ ନିମାଣୀଠାରେ ଥିବା ଅଟୋମେଟିକ କ୍ରସର ୟୁନିଟକୁ ଚାଲାଣ ହେଉଛି।

ଭାପୁର ତହସିଲ ପ୍ଲଟ୍‌ ନମ୍ବର ୧୮୦ ଖାତା ନମ୍ବର ୩କ ମୋଟ ୮ ଏକର  ଜାଗାକୁ ୫ ବର୍ଷ ପାଇଁ ନିଲାମ ଦିଆଯାଇଥିଲା। ନିଲାମ ଅବଧି ୫ ବର୍ଷ ପାଇଁ ଅବଧି ଥିଲା। ସମୁଦାୟ ୫ ହଜାର ସିଏମ୍‌ ପଥର ଖନନ ପାଇଁ ପ୍ରଶାସନ ଅନୁମତି ଦେଇଥିଲା। ମାତ୍ର ନିଲାମଧାରୀ ନିର୍ଦ୍ଧାରିତ ସ୍ଥାନକୁ ଛାଡ଼ି ୫୦୦ ମିଟର ବ୍ୟାସାର୍ଦ୍ଧ ଜଙ୍ଗଲ ଜମି ପଦା କରି ପଥର ଖନନ କରୁଥିବା ଅଭିଯୋଗ ହୋଇଛି।

ଖାଲି ସେତିକି ନୁହେଁ, ଅତ୍ୟଧିକ ପଥର ବ୍ଲାଷ୍ଟିଙ୍ଗ ସହ ଏହି କ୍ରସର ୟୁନିଟ୍‌ ଯୋଗୁ ଆଉ ଚାଷ ସମ୍ଭବ ହୋଇ ପାରୁନାହିଁ। ପଥର ଗୁଣ୍ଡ ଉଡ଼ି ଜମିରେ ପଡ଼ୁଛି। ଯେଉଁଥିପାଇଁ ଜମିର ଉର୍ବରତ ନଷ୍ଟ ହେବା ସହ ବିସ୍ଫୋରଣ ଯୋଗୁ ଗାଁରେ ସୃଷ୍ଟି ହେଉଛି କୃତ୍ରିମ ଭୂକମ୍ପ। ଯାହାଫଳରେ ଅନେକ ଘର କାନ୍ଥ ଫାଟି ଆଁ କଲାଣି। ଗାଁ ରାସ୍ତାକୁ ଛାରଖାର କଲାଣି ଶହଶହ ଓଭର ଲୋଡିଂ ହାଇୱା। ଗାଁ ଲୋକେ ଏନେଇ ପ୍ରଶାସନ ପାଖରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରୁଛନ୍ତି ସ୍ଥାନୀୟ ସରପଞ୍ଚ। ସ୍ଥାନୀୟ ପ୍ରଶାସନଠାରୁ ନିରାଶ ହୋଇ ପାହାଡ଼ ପାର୍ଶ୍ୱବର୍ତ୍ତୀ ଗାଁ ଲୋକେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି।

ଗାଁ ଲୋକଙ୍କ ଅଭିଯୋଗ ସମ୍ପର୍କରେ କ୍ରସର ମାଲିକ ଶୁଣିବା ପରେ ତାଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି। ପାହାଡ଼ ଓ କ୍ରସର ୟୁନିଟ୍‌ରେ ପ୍ରବେଶ ଉପରେ ସ୍ଥାନୀୟ ଲୋକଙ୍କ ଉପରେ କଟକଣା ଲଗାଇଛନ୍ତି। କେବଳ ସେତିକି ନୁହେଁ, ମୁହଁ ଖୋଲିଲେ ମିଳୁଛି ହତ୍ୟା ଧମକ। ଗଣମାଧ୍ୟମ ପ୍ରତିନିଧିମାନେ ଏହି ସ୍ଥାନକୁ ଯିବାକୁ ସାହସ ଜୁଟାଇ ପାରୁନାହାନ୍ତି। ତେବେ କ୍ରସର ମାଲିକଙ୍କ ଦାଦାଗିରି କଥାକୁ ସ୍ୱୀକାର କରିଛନ୍ତି ଖୋଦ ନୟାଗଡ଼ ଡିଏଫ୍‌ଓ। ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ରାଜରାସ୍ତାରେ ଆନ୍ଦୋଳନ ହେବ ବୋଲି କହିଛନ୍ତି ଅତିଷ୍ଠ ପଞ୍ଚାୟତ ପ୍ରତିନିଧି।

Related story