ସନସାଇନ୍ ସ୍କୁଲରେ ଯୌନ ନିର୍ଯାତନା: କଳାହାଣ୍ଡି ଏସପିଙ୍କୁ ରିପୋର୍ଟ ତଲବ କଲେ ଏନସିପିସିଆର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ବୀଭତ୍ସ ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ(ଏନସିପିସିଆର) କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ମହାଲିଙ୍ଗସ୍ଥିତ ସନସାଇନ୍ ପବ୍ଲିକ ସ୍କୁଲରେ ଝିଅମାନଙ୍କୁ ଯୌନ ନିର୍ଯାତନା ମାମଲାରେ ବିସ୍ତୃତ ତଥ୍ୟ ୩ଦିନ ସୁଦ୍ଧା ଦାଖଲ କରିବାକୁ କଳାହାଣ୍ଡି ପୁଲିସ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନସିପିସିଆର ନିଜଆଡ଼ୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବଲାଙ୍ଗିର ପୁଲିସ ଏସପିଙ୍କୁ ଏନସିପିସିଆର ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେବା […]

mamita-meher

Ordigital Desk
  • Published: Friday, 12 November 2021
  • , Updated: 12 November 2021, 07:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ବୀଭତ୍ସ ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ(ଏନସିପିସିଆର) କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ମହାଲିଙ୍ଗସ୍ଥିତ ସନସାଇନ୍ ପବ୍ଲିକ ସ୍କୁଲରେ ଝିଅମାନଙ୍କୁ ଯୌନ ନିର୍ଯାତନା ମାମଲାରେ ବିସ୍ତୃତ ତଥ୍ୟ ୩ଦିନ ସୁଦ୍ଧା ଦାଖଲ କରିବାକୁ କଳାହାଣ୍ଡି ପୁଲିସ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନସିପିସିଆର ନିଜଆଡ଼ୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବଲାଙ୍ଗିର ପୁଲିସ ଏସପିଙ୍କୁ ଏନସିପିସିଆର ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ସହ ବ୍ୟକ୍ତିଗତ ହାଜର ହେବାକୁ କହିଥିଲେ। କିନ୍ତୁ ମାମଲା କଳାହାଣ୍ଡିର ହୋଇଥିବା ଦର୍ଶାଇ ବଲାଙ୍ଗିର ପୁଳିସ ଏସପି ପ୍ରାଥମିକ ରିପୋର୍ଟ ପ୍ରଦାନ କରିବାରେ ଅକ୍ଷମତା ପ୍ରକାଶ କରିଥିଲେ । ବଲାଙ୍ଗିର ପୁଲିସ ଏସପିଙ୍କଠୁ ଏଭଳି ଜବାବ ପାଇବା ପରେ ଏନସିପିସିଆର ଗତ ୧୦ତାରିଖରେ କଳାହାଣ୍ଡି ପୁଲିସ ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଏନସିପିସିଆର ରେଜିଷ୍ଟ୍ରାର ଅନୁ ଚୌଧୁରୀ ବୁଧବାର କଳାହାଣ୍ଡି ଜିଲ୍ଲା ପୁଲିସ ଏସପିଙ୍କୁ ନୋଟିସ ଜାରି କରି ମହାଲିଙ୍ଗସ୍ଥିତ ସନସାଇନ୍ ପବ୍ଲିକ ସ୍କୁଲରେ ପିଲାମାନଙ୍କୁ ନିର୍ଯାତନା ଦିଆଯିବା ଓ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଦ୍ୱାରା ଛୋଟ ଝିଅମାନଙ୍କୁ ଏକ ସ୍ୱତନ୍ତ୍ର ରୁମରେ ଯୌନ ଗତିବିଧିରେ ନିୟୋଜିତ କରାଯାଉଥିବା ଏବଂ ବିଜେଡି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସେହି ସ୍କୁଲକୁ ବାରମ୍ବାର ଗସ୍ତ କରୁଥିବା ନେଇ ଅଭିଯୋଗ କମିଶନଙ୍କ ନଜରକୁ ଆସିଛି। ତେଣୁ ଉପରୋକ୍ତ ପ୍ରସଙ୍ଗକୁ ବିଚାରକୁ ନେଇ କମିଶନ ପୋକସୋ ଆକ୍ଟ-୨୦୧୨ ଅନ୍ତର୍ଗତ ଏହାର ତଦନ୍ତ କରିବା ନିମନ୍ତେ କଳାହାଣ୍ଡି ପୁଲିସ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିସ୍ତୃତ ତଦନ୍ତ ରିପୋର୍ଟ ୩ଦିନ ସୁଦ୍ଧା ପଠାଇବାକୁ ପରାମର୍ଶ ଦେବା ସହ ତଦନ୍ତ ପ୍ରକ୍ରିୟାରେ ପୀଡ଼ିତାଙ୍କ ନାଁ ଯେଭଳି ସାର୍ବଜନୀନ ନହୁଏ ତାହା ସୁନିଶ୍ଚିତ କରିବାକୁ ମଧ୍ୟ କହିଛନ୍ତି।

କଳାହାଣ୍ଡି ପୁଲିସ ଏସପିଙ୍କୁ ପୀଡ଼ିତା ନାବଳିକାମାନଙ୍କ ଏଫଆଇଆର ରିପୋର୍ଟ, ସିଆରପିସିର ୧୬୪ ଧାରାରେ ପୀଡ଼ିତାଙ୍କ ବୟନା ରେକର୍ଡ, ଏହି ମାମଲାରେ ସିଡବ୍ଲ୍ୟୁସିଙ୍କ ନିର୍ଦ୍ଦେଶ, ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ସ୍କୁଲରେ ମୋଟ ପଢ଼ୁଥିବା ପୁଅ ଓ ଝିଅଙ୍କ ସଂଖ୍ୟା, ଯୌନ ନିର୍ଯାତନାର ଶିକାର ହେଉଥିବା ପୁଅ ଓ ଝିଅଙ୍କ ବୟସସୀମା ସମେତ ପୋକସୋ ଆକ୍ଟର ଧାରା ୧୯/୨୧ରେ ମାମଲା ରୁଜୁ ହୋଇଛି କି ନାହିଁ ସେ ସମ୍ପର୍କରେ ତଥ୍ୟ ଦେବାକୁ ମଧ୍ୟ ଏନସିପିସିଆର ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଶିକ୍ଷୟିତ୍ରୀ ମମିତା ମେହେରକୁ ବୀଭତ୍ସ ହତ୍ୟା ପରେ ଗୋବିନ୍ଦ ସାହୁର ମାଲିକାନାରେ ଥିବା ସ୍କୁଲ ଓ ହଷ୍ଟେଲ ପରିସରରେ ସେକ୍ସ ସ୍କାଣ୍ଡାଲର ଅଭିଯୋଗ ପଦାକୁ ଆସିଥିଲା । ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ନିଜଆଡ଼ୁ ତଦନ୍ତ ପାଇଁ ଗ୍ରହଣ କରିଥିଲେ । କମିଶନ ଏହି ମାମଲାରେ ପ୍ରଥମେ ବଲାଙ୍ଗିର ପୁଲିସ ଏସପିଙ୍କୁ ବ୍ୟକ୍ତିଗତ ହାଜର ହୋଇ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହା କଳାହାଣ୍ଡି ଜିଲ୍ଲାର ମାମଲା କହି ବଲାଙ୍ଗିର ଏସପି ନିଜ ଦୋଷ ଖସାଇ ଦେଇଛନ୍ତି । ଯଦିଓ ମମିତା ମେହେର ହତ୍ୟା ମାମଲା ପ୍ରଥମେ ବଲାଙ୍ଗିର ଜିଲ୍ଲାରେ ପଞ୍ଜିକୃତ ହୋଇଛି ଓ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବଲାଙ୍ଗିର ପୁଲିସ ଗିରଫ କରିଥିଲା । ଏନସିପିସିଆର ଏହି ଘଟଣାକୁ ନେଇ ବେଶ୍ କଠୋର ଥିବାରୁ ପୁଲିସ ନିଜ ଦୋଷ ଛଡ଼ାଇବା ପାଇଁ ଏବେ ମମିତା ମାମଲା ଓ ସ୍କୁଲରେ ଯୌନ ନିର୍ଯାତନା ମାମଲାକୁ ଭିନ୍ନ ଭିନ୍ନ ଦର୍ଶାଇବାକୁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି ।

Related story