ନେତାଜୀ ବସ୍ ଟର୍ମିନାଲ: ସରକାର ଜିଦରେ ଅଟଳ, ବିସ୍ଥାପିତ ହେବେ ଖାନନଗରବାସୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲକୁ ନିଜ ବ୍ଲୁ-ପ୍ରିଣ୍ଟ ଅନୁସାରେ ସ୍ଥାପନ କରିବା ଜିଦରେ ରାଜ୍ୟ ସରକାର ଅଟଳ ରହିଛନ୍ତି। ସ୍ଥାନୀୟ ଖାନନଗରବାସୀଙ୍କ ବିରୋଧ ସତ୍ତ୍ୱେ ରାଜ୍ୟ ସରକାର ପ୍ରସ୍ତାବିତ ସ୍ଥାନରେ ବସ୍ ଟର୍ମିନାଲ ସ୍ଥାପନ କରିବା ସହ କଟକସ୍ଥିତ ପ୍ରେସଛକରୁ ଖାନନଗର ଜଙ୍କସନ୍ ପର୍ଯ୍ୟନ୍ତ ରିଙ୍ଗରୋଡକୁ ୬ଲେନ୍ ବିଶିଷ୍ଟ ରାସ୍ତା କରିବା କାର୍ଯ୍ୟ ପାଇଁ ପଦକ୍ଷେପ ନେଇଛନ୍ତି। ଏହି ରିଙ୍ଗରୋଡ୍ ପାଇଁ ଖାନନଗରବାସୀ ଓ ଅନେକ ବ୍ୟବସାୟୀଙ୍କୁ ବିସ୍ଥାପିତ ହେବାକୁ ପଡ଼ିବାର ଆଶଙ୍କା […]

cuttack

Manoranjan Sial
  • Published: Friday, 05 February 2021
  • , Updated: 05 February 2021, 10:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲକୁ ନିଜ ବ୍ଲୁ-ପ୍ରିଣ୍ଟ ଅନୁସାରେ ସ୍ଥାପନ କରିବା ଜିଦରେ ରାଜ୍ୟ ସରକାର ଅଟଳ ରହିଛନ୍ତି। ସ୍ଥାନୀୟ ଖାନନଗରବାସୀଙ୍କ ବିରୋଧ ସତ୍ତ୍ୱେ ରାଜ୍ୟ ସରକାର ପ୍ରସ୍ତାବିତ ସ୍ଥାନରେ ବସ୍ ଟର୍ମିନାଲ ସ୍ଥାପନ କରିବା ସହ କଟକସ୍ଥିତ ପ୍ରେସଛକରୁ ଖାନନଗର ଜଙ୍କସନ୍ ପର୍ଯ୍ୟନ୍ତ ରିଙ୍ଗରୋଡକୁ ୬ଲେନ୍ ବିଶିଷ୍ଟ ରାସ୍ତା କରିବା କାର୍ଯ୍ୟ ପାଇଁ ପଦକ୍ଷେପ ନେଇଛନ୍ତି। ଏହି ରିଙ୍ଗରୋଡ୍ ପାଇଁ ଖାନନଗରବାସୀ ଓ ଅନେକ ବ୍ୟବସାୟୀଙ୍କୁ ବିସ୍ଥାପିତ ହେବାକୁ ପଡ଼ିବାର ଆଶଙ୍କା ଦେଖାଦେଇଛି। ବିସ୍ଥାପିତ ହେବାର ଆଶଙ୍କା ସତ୍ତ୍ୱେ ସରକାର ଏହି ରାସ୍ତା ନିର୍ମାଣ ନିମନ୍ତେ ତୁରନ୍ତ ଟେଣ୍ଡର ଡାକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ହେମନ୍ତ କୁମାର ପାଢ଼ୀ ଆଜି କଟକ ଜିଲ୍ଲାପାଳ ଓ କଟକ ମହାନଗର କମିଶନରଙ୍କ ସମେତ କେନ୍ଦ୍ରାଂଚଳ ରାଜସ୍ୱ କମିଶନର, ରାଜ୍ୟ ସଡ଼କ ଓ ପରିବହନ ସଚିବ, ଅର୍ଥ ସଚିବ, ନଗର ଉନ୍ନୟନ ସଚିବ ଏବଂ ଓବିସିସି ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖି କଟକରେ ନୂଆ ବସ୍ ଟର୍ମିନାଲ ବିକଶିତ କରିବା ନିମନ୍ତେ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଥିବା ନେଇ ଅବଗତ କରିଛନ୍ତି। ଏହି ବସ୍ ଟିର୍ମନାଲ ପାଇଁ ନଗର ଉନ୍ନୟନ ବିଭାଗ ବଜେଟ୍ ବ୍ୟୟବରାଦ କରିବ। ଏହି ପ୍ରଥମ ପର୍ଯ୍ୟାୟରେ ପ୍ରସ୍ତାବିତ ବସ୍ ଟର୍ମିନାଲକୁ ରାସ୍ତା ସଂଯୋଗ ନିମନ୍ତେ ରିଙ୍ଗରୋଡରେ ପ୍ରେସ୍ ଛକଠୁ ଖାନନଗର ଜଙ୍କସନ୍ ପର୍ଯ୍ୟନ୍ତ ରାସ୍ତାକୁ ୬ଲେନ୍ ବିଶିଷ୍ଟ ଭାବେ ବିକଶିତ କରାଯିବ। ପୂର୍ତ୍ତ ବିଭାଗ ଏହି ରାସ୍ତା କାମ ନିମନ୍ତେ ଖୁବଶୀଘ୍ର ଟେଣ୍ଡର ଆହ୍ୱାନ କରିବ। ନେତାଜୀ ବସ୍ ଟର୍ମିନାଲ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନ ଅନୁସାରେ ପ୍ରାୟ ୨ଏକର ଜମିରେ ପିପିପି ମଡେଲରେ କର୍ମସିଆଲ କମ୍ପେ୍ଲକ୍ସ ନିର୍ମାଣ କରାଯିବ। ଏହି କାର୍ଯ୍ୟ ମଧ୍ୟ ଏକ ସମୟରେ ହେବ। ପ୍ରକଳ୍ପ ନିର୍ମାଣ ଶେଷ ହେବାପରେ ଉକ୍ତ ବସ୍ ଟର୍ମିନାଲକୁ କଟକ ଉନ୍ନୟନ ପ୍ରାଧିକରଣ(ସିଡିଏ)କୁ ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ହସ୍ତାନ୍ତର କରାଯିବ। ଏହି ପ୍ରସ୍ତାବିତ ବସ୍ ଟର୍ମିନାଲର ପ୍ରକଳ୍ପ କାର୍ଯ୍ୟ ଆରମ୍ଭରୁ କାର୍ଯ୍ୟକ୍ଷମ ହେବାପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟର ତଦାରଖ ଓଡ଼ିଶା ବ୍ରିଜ୍ ଓ ନିର୍ମାଣ ନିଗମ ତଦାରଖ କରିବ। କଟକସ୍ଥିତ ଅନୁଗୁଳ ବସଷ୍ଟାଣ୍ଡ, ପୁରୀ ବସଷ୍ଟାଣ୍ଡ ଓ ବାଦାମବାଡ଼ି ଜମିକୁ କିଭଳି ଉପଯୋଗ କରାଯିବ ତା’ର ଆଡଭାନ୍ସ ପ୍ଲାନି ପୂର୍ତ୍ତ ବିଭାଗକୁ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ନେତାଜୀ ବସ୍ ଟର୍ମିନାଲ ନିର୍ମାଣକୁ ନେଇ ସ୍ଥାନୀୟ ଲୋକେ ବିସ୍ଥାପନ ହେବାର ଆଶଙ୍କା କରୁଥିବାବେଳେ କଟକ ସାଂସଦ ଭର୍ତ୍ତୃହରି ମହତାବ ନିଜେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିସାରିଛନ୍ତି। ଖାନନଗର ସାହିବାସୀ ଏକ ବୈଠକ କରି ବସ୍ ଟର୍ମିନାଲ ନିର୍ମାଣକୁ ସ୍ୱାଗତ କରୁଥିଲେ ମଧ୍ୟ କୌଣସି ପ୍ରକାରର ବିସ୍ଥାପନ କରାନଯିବ ବୋଲି ସରକାରଙ୍କଠୁ ଲିଖିତ ପ୍ରତିଶ୍ରୁତି ଦାବି କରୁଛନ୍ତି। ଜିଲ୍ଲା ପ୍ରଶାସନ ସହ ଆଲୋଚନାବେଳେ ମଧ୍ୟ ଏବେ ରାସ୍ତା ନିର୍ମାଣ ନେଇ କୌଣସି ଆଲୋଚନା ହୋଇନି ଓ ସର୍ଭେ ଚାଲିଥିବା ନେଇ ଖୋଦ୍ ଜିଲ୍ଲା ପ୍ରଶାସନ ଆଶ୍ୱାସନା ଦେଇଥିଲା। ମାତ୍ର ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ହିଁ କଟକ ସହରର ଶହ ଶହ ବର୍ଷର ଖାନନଗର ବାସିନ୍ଦାଙ୍କୁ ଏହି ବସ୍ ଟର୍ମିନାଲ ଓ ୬ଲେନ୍ ରାସ୍ତା ନିର୍ମାଣ ନିମନ୍ତେ ବିସ୍ଥାପନ ହେବାକୁ ପଡ଼ିବାର ଆଶଙ୍କା ଜଳଜଳ ହୋଇ ଦିଶୁଥିବା ସାଧାରଣରେ ଚର୍ଚ୍ଚା।

ସୂଚନାଯୋଗ୍ୟ, ଜାନୁୟାରୀ ୨୩ ତାରିଖ ନେତାଜୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରି ଖାନନଗରରେ ୧୨ଏକର ପରିମିତ ଅଂଚଳରେ ବସ୍ ଟର୍ମିନାଲ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଯାହାକୁ ପରବର୍ତ୍ତୀ ସମୟରେ କଟକ ସାଂସଦ ଶ୍ରୀ ମହତାବ ବାସ୍ତବରେ ସେତିକି ଜାଗା ସେଠାରେ ନାହିଁ ବୋଲ କହି ଗୁଗୁଲ୍ ଦେଖି ସଚିବାଳୟର ବାବୁମାନେ ଏଭଳି ନିଷ୍ପତ୍ତି ନେଇଥିବା କଟାକ୍ଷ କରିଥିଲେ। ଏବେ ସେହି ୧୨ଏକର ଜାଗାକୁ ଖାଲି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯାନ ଜାରି ରହିଛି।

Related story