କ୍ୟାବିନେଟ୍ ନିଷ୍ପତ୍ତି: ନୂଆ ଏମଏସଏମଇ ପଲିସି, ୧୨୧୯ କୋଟି ଟଙ୍କାର ଜଳକର ବକେୟା ପାଇଁ ଓଟିଏସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏମଏସଏମଇ କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ କ୍ୟାବିନେଟ୍ ଆଜି ନୂଆ ଏମଏସଏମଇ ପଲିସି-୨୦୨୨କୁ ଅନୁମୋଦନ କରିଛନ୍ତି । ଏହି ନୂଆ ଏମଏସଏମଇ ନୀତିରେ ପୁରୁଣା ଏମଏସଏମଇ ଉଦ୍ୟୋଗଗୁଡ଼ିକୁ ମଧ୍ୟ ରାଜ୍ୟ ସରକାର କ୍ୟାପିଟାଲ ଇନଭେଷ୍ଟମେଂଟ ସବସିଡି ପ୍ରଦାନ କରିବେ । ପୂର୍ବରୁ କେବଳ ନୂଆ ଏମଏସଏମଇ ଉଦ୍ୟୋଗକୁ ସବସିଡି ମିଳୁଥିଲା । ସେହିପରି ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ ବକେୟା ଥିବା ୧୨୧୯କୋଟି ଟଙ୍କାର ଜଳକର ଆଦାୟ ନିମନ୍ତେ […]

MSME

Ordigital Desk
  • Published: Tuesday, 27 December 2022
  • , Updated: 27 December 2022, 10:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏମଏସଏମଇ କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ କ୍ୟାବିନେଟ୍ ଆଜି ନୂଆ ଏମଏସଏମଇ ପଲିସି-୨୦୨୨କୁ ଅନୁମୋଦନ କରିଛନ୍ତି । ଏହି ନୂଆ ଏମଏସଏମଇ ନୀତିରେ ପୁରୁଣା ଏମଏସଏମଇ ଉଦ୍ୟୋଗଗୁଡ଼ିକୁ ମଧ୍ୟ ରାଜ୍ୟ ସରକାର କ୍ୟାପିଟାଲ ଇନଭେଷ୍ଟମେଂଟ ସବସିଡି ପ୍ରଦାନ କରିବେ । ପୂର୍ବରୁ କେବଳ ନୂଆ ଏମଏସଏମଇ ଉଦ୍ୟୋଗକୁ ସବସିଡି ମିଳୁଥିଲା । ସେହିପରି ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ ବକେୟା ଥିବା ୧୨୧୯କୋଟି ଟଙ୍କାର ଜଳକର ଆଦାୟ ନିମନ୍ତେ ରାଜ୍ୟ ସରକାର ଓଟିଏସ୍ (ୱାନ୍ ଟାଇମ୍ ସେଟେଲମେଂଟ) କରିବାକୁ ନିଷ୍ପତ୍ତି ନେଇଛନ୍ତି । ଖିଲାପୀ ସଂସ୍ଥାଗୁଡ଼ିକ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ପାଳନ କରି ଏହି ଓଟିଏସର ସୁବିଧା ନେଇପାରିବେ । ରାଜ୍ୟ କ୍ୟାବିନେଟ୍ ଆଜି ଏହି ପ୍ରସ୍ତାବକୁ ମଧ୍ୟ ସ୍ୱୀକୃତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ନୂଆ ଏମଏସଏମଇ ନୀତିରେ ରାଜ୍ୟ ସରକାର ସମସ୍ତ ନୂଆ ଓ ପୁରୁଣା ଏମଏସଏମଇ ଉଦ୍ୟୋଗକୁ ଟ୍ରେଡ୍ ମାର୍କ ହାସଲ ନିମନ୍ତେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦେବେ । ସେହିପରି ଦେଶ ଓ ବିଦେଶରେ ପେଟେଣ୍ଟ ରେଜିଷ୍ଟ୍ରେସନ ନିମନ୍ତେ ଶତପ୍ରତିଶତ ଖର୍ଚ୍ଚ ଅବା ସର୍ବାଧିକ ୫ଲକ୍ଷ ଟଙ୍କା ସବସିଡି ସରକାର ଦେବେ । କ୍ୱାଲିଟି ସାର୍ଟିଫିକେଟ୍ ହାସଲ, ୱାଟର ଅଡିଟ୍ କଷ୍ଟ, ଏନର୍ଜି ଅଡିଟ୍ କଷ୍ଟ , ଏସଏମଇ ଏକ୍ସଚେଞ୍ଜ ମାଧ୍ୟମରେ କ୍ୟାପିଟାଲ ସହାୟତା ସଂଗ୍ରହ ଆଦି ପାଇଁ ମଧ୍ୟ ସରକାର ୱାନଟାଇମ୍ ଆର୍ଥିକ ସହାୟତା ଯୋଗାଇ ଦେବେ। ସରକାରୀ, ଇଡକୋ ଓ ଘରୋଇ ଜମି ବା ସେଡ୍ କ୍ରୟ ଓ ଲିଜ ଟ୍ରାନ୍ସଫରରେ ଉଭୟ ନୂଆ ଓ ପୁରୁଣା ଏମଏସଏମଇ ଉଦ୍ୟୋଗୀଙ୍କୁ ଷ୍ଟାମ୍ପ ଡ୍ୟୁଟି ଛାଡ, ଶିଳ୍ପାଂଚଳ ନିମନ୍ତେ ଜମି କିସମ ପରିବର୍ତ୍ତନରେ ମଧ୍ୟ ପ୍ରିମିୟମ ପୈଠରେ ସୁବିଧା ମିଳିବ।

ସେହପରି କୋର୍ଟକଚେରୀରେ ଥିବା ମାମଲା ଯୋଗୁ ଦୀର୍ଘଦିନ ଧର ଶିଳ୍ପଂସସ୍ଥାଗୁଡ଼ିକ ଉପରେ ବକେୟା ଥିବା ଜଳକର ଆଦାୟକୁ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଆଜି ଓଟିଏସ୍ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ରାଜ୍ୟର ୨୧ଟି ବୃହତ୍ ଶିଳ୍ପ ଓ ୬୪୫ଟି ଶିଳ୍ପ ସଂସ୍ଥା ଉପରେ ପ୍ରାୟ ୧୨୧୯କୋଟି ଟଙ୍କା ଜଳକର ବକେୟା ପଡ଼ିଛି । କୋର୍ଟରେ ମାମଲା ଯୋଗୁ ଏସବୁ ଟଙ୍କା ଆଦାୟ ହୋଇପାରୁନଥିବାରୁ କୋର୍ଟ ବାହାରେ ଏସବୁର ସମାଧାନ ପାଇଁ ଓଟିଏସ୍ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଥିପାଇଁ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ବିଧିବଦ୍ଧ ଭାବେ ଜଳସମ୍ପଦ ବିଭାଗକୁ ଆବେଦନ କରି ଏହାର ଫାଇଦା ନେଇପାରିବେ । ସେଥିପାଇଁ ସେମାନଙ୍କୁ କୋର୍ଟରୁ ମାମଲା ପ୍ରତ୍ୟାହାର କରିବା ନେଇ ଲିଖିତ ଭାବେ ଦେବାକୁ ପଡ଼ିବ । ଏହି ଓଟିଏସ୍ ବ୍ୟବସ୍ଥା ସ୍ପଳ୍ପ ସମୟ ପାଇଁ ବଳବତ୍ତର ରହିବ।

ଅନ୍ୟ ଯେଉଁ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ସେଥିରେ ବିଶ୍ୱବ୍ୟାଙ୍କ ଋଣ ସହାୟତାରେ ରାଜ୍ୟରେ ‘ଦକ୍ଷତା ଓ ସ୍ଥିର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମ’ କରାଯିବ । ବିଶେଷକରି ସାମାଜିକ ସୁରକ୍ଷା ପ୍ରଦାନର ପ୍ଲାଟଫର୍ମ, ପରିସଂଖ୍ୟାନ ପ୍ରଣାଳୀର ସୁଦୃଢ଼ୀକରଣ ଓ ଓସଡମା ମାଧ୍ୟମରେ ଭିତ୍ତିଭୂମି ବିକାଶ ପାଇଁ ମୋଟ ୧୧୮୩କୋଟି ଟଙ୍କାର ଋଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏଥିରେ ବିଶ୍ୱବ୍ୟାଙ୍କ ୮୧୬ କୋଟି ଟଙ୍କା ଓ ରାଜ୍ୟ ସରକାର ୩୬୭କୋଟି ଟଙ୍କା ଖର୍ଚ୍ଚ କରିବେ।

ଓଡ଼ିଶା ଅମଲା ସେବା(ଜିଲ୍ଲା ଅଫିସ ଓ ଅଧସ୍ତନ ଅଫିସରେ)ର କନିଷ୍ଠ ସହାୟକ, ବରିଷ୍ଠ ସହାୟକ ଓ ଉପବିଭାଗ ଅଧିକାରୀଙ୍କ ନିଯୁକ୍ତି ପଦ୍ଧତି ନିୟମାବଳୀର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ଫଳରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏଣିକି କନିଷ୍ଠ ସହାୟକ ପଦବୀକୁ ପଦୋନ୍ନତି ପାଇଁ ୩ଘଂଟା ଅବଧିର ୧୮୦ମାର୍କ ବିଶିଷ୍ଟ ଲିଖିତ ପରୀକ୍ଷା, କମ୍ପ୍ୟୁଟର ଦକ୍ଷତାର ସମ୍ମୁଖୀନ ହେବେ । ତାଙ୍କର ବରିଷ୍ଠତାକୁ ମଧ୍ୟ ବିଚାରକୁ ନିଆଯିବ । ପୂର୍ବର ନିୟମକୁ ଅଧିକ କୋହଳ କରାଯାଇଛି।

ଗ୍ରୁପ-ସି ବର୍ଗର ବିଭିନ୍ନ ବିଭାଗର ପଦବୀ ପାଇଁ ଏଣିକି ରାଜ୍ୟ ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ୱାରା ଏକକ ପରୀକ୍ଷା କରାଯିବ । ୧୦+୨ ସ୍ତରୀୟ ଅବା ସମାନସ୍ତରର ପଦବୀ ପାଇଁ କମ୍ବାଇନଡ ନିଯୁକ୍ତି ପରୀକ୍ଷା ହେବ । ଏହି ପରୀକ୍ଷା ନିୟମାବଳୀକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହାଦ୍ୱାରା ବିଭିନ୍ନ ବିଭାଗର ସି ବର୍ଗର ପଦବୀରେ ନିଯୁକ୍ତି ପ୍ରକ୍ରିୟା ପାଇଁ ଆଉ ଭିନ୍ନ ଭିନ୍ନ ପରୀକ୍ଷା କରିବାକୁ ପଡ଼ିବ ନାହିଁ ।

ବିଏସଏନଏଲକୁ ୩୦ବର୍ଷ ପାଇଁ ରାଜ୍ୟର ୧୬୮୭ଟି ସ୍ଥାନରେ ୨ହଜାର ବର୍ଗଫୁଟ ସରକାରୀ ଜମି ବିନା ବିମାନରେ ଯୋଗାଇ ଦିଆଯିବ । ସେଠାରେ ବିଏସଏନଏଲ ଦ୍ୱାରା ୪ଜି ମୋବାଇଲ ଟାୱାର ଓ ଭିତ୍ତିଭୂମି ନିର୍ମାଣ କରିପାରିବ । ଏସବୁ ସ୍ଥାନ ପାଇଁ ବିଏସଏନଏଲ ଭଡ଼ା ଓ ସେସ୍ ବାବଦରେ ବାର୍ଷିକ ମାତ୍ର ୧ଟଙ୍କା ଟୋକନ୍ ରାଶି ପ୍ରଦାନ କରିବ।

ଏସବୁ ବ୍ୟତୀତ ରାଉରକେଲା ଇସ୍ପାତ କାରଖାନା ଉପରେ ଜଳକର ବାବଦ ସୁଧ ଟଙ୍କାକୁ ଛାଡ଼ କରାଯାଇଛି । ୧୯୯୪ରୁ ୨୦୧୩ ପର୍ଯ୍ୟନ୍ତ ରାଉରକେଲା ଇସ୍ପାତ କାରଖାନା ଉପରେ ୭୧.୪୬କୋଟି ଟଙ୍କାର ଜଳକର ଓ ୨୨୦.୬୭କୋଟି ଟଙ୍କାର ସୁଧ ରହିଥିଲା । ତେବେ ମୂଳ ପୈଠ କରିଥିବା ରାଉରକେଲା ଇସ୍ପାତ କାରଖାନାର ସୁଧକୁ ଛାଡ଼ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ମନ୍ଦିରା ଡ୍ୟାମର ରକ୍ଷଣାବେକ୍ଷଣ ଓ ପରିଚାଳନା ରାଉରକେଲା ଇସ୍ପାତ କାରଖାନା କରୁଥିବାରୁ କ୍ୟାବିନେଟ୍ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି।

 

Related story