ଆସନ୍ତାବର୍ଷ ବି ରାଜ୍ୟ କର୍ମଚାରୀଙ୍କୁ ଏଲଟିସି ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ପ୍ରଭାବ ରାଜ୍ୟ ରାଜକୋଷ ଉପରେ ପଡ଼ିଥିବାବେଳେ ରାଜ୍ୟ ସରକାର ୨୦୨୨ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଆର୍ଥିକ କଟକଣା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ରାଜ୍ୟ କର୍ମଚାରୀମାନଙ୍କୁ ୨୦୨୧-୨୨ ଆର୍ଥିକ ବର୍ଷରେ ମଧ୍ୟ ଏଲଟିସି (ଲିଭ୍ ଟ୍ରାଭେଲ କନସେସନ) ସୁବିଧା ମିଳିବ ନାହିଁ। ଚଳିତବର୍ଷ ମଧ୍ୟ ଏହି ଏଲଟିସି ସୁବିଧାକୁ ସ୍ଥଗିତ ରଖାଯାଇଛି। ପରିବାର ସହ ଅନ୍ୟତ୍ର ଛୁଟି ବିତାଇବା ନିମନ୍ତେ କର୍ମଚାରୀମାନେ ଏଲଟିସି ଉପଯୋଗ କରିଥାନ୍ତି। ଅର୍ଥ ବିଭାଗ ପକ୍ଷରୁ […]

Manoranjan Sial
  • Published: Friday, 06 November 2020
  • , Updated: 06 November 2020, 06:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ପ୍ରଭାବ ରାଜ୍ୟ ରାଜକୋଷ ଉପରେ ପଡ଼ିଥିବାବେଳେ ରାଜ୍ୟ ସରକାର ୨୦୨୨ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଆର୍ଥିକ କଟକଣା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ରାଜ୍ୟ କର୍ମଚାରୀମାନଙ୍କୁ ୨୦୨୧-୨୨ ଆର୍ଥିକ ବର୍ଷରେ ମଧ୍ୟ ଏଲଟିସି (ଲିଭ୍ ଟ୍ରାଭେଲ କନସେସନ) ସୁବିଧା ମିଳିବ ନାହିଁ। ଚଳିତବର୍ଷ ମଧ୍ୟ ଏହି ଏଲଟିସି ସୁବିଧାକୁ ସ୍ଥଗିତ ରଖାଯାଇଛି। ପରିବାର ସହ ଅନ୍ୟତ୍ର ଛୁଟି ବିତାଇବା ନିମନ୍ତେ କର୍ମଚାରୀମାନେ ଏଲଟିସି ଉପଯୋଗ କରିଥାନ୍ତି।

ଅର୍ଥ ବିଭାଗ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷର ବାର୍ଷିକ ବଜେଟ୍ ପ୍ରସ୍ତୁତ ନିମନ୍ତେ ବିଭାଗଗୁଡ଼ିକୁ ଦିଆଯାଇଥିବା ଗାଇଡଲାଇନ ଅନୁସାରେ କରୋନାକୁ ଦୃଷ୍ଟିରେ ରଖି ୨୦୨୦ ଜୁଲାଇ ୭ତାରିଖରେ ରାଜ୍ୟ ସରକାର ନେଇଥିବା ଆର୍ଥିକ କଟକଣା ନିଷ୍ପତ୍ତି ୨୦୨୨ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେଣୁ କର୍ମଚାରୀଙ୍କୁ ଏହି ଅବଧି ମଧ୍ୟରେ ଏଲଟିସି ସୁବିଧା ମିଳିବ ନାହିଁ। ଅବଶ୍ୟ ବାର୍ଷିକ ୩ ପ୍ରତିଶତ ଇନକ୍ରିମେଣ୍ଟ ଜାରି ରହିବ ଓ ମହଙ୍ଗା ଭତ୍ତାକୁ ମୂଳ ଦରମାର ୨୮% କରିବା ନିମନ୍ତେ ୨୦୨୧-୨୨ ବାର୍ଷିକ ବଜେଟରେ ଆବଶ୍ୟକ ଅର୍ଥବରାଦ ପାଇଁ ପ୍ରଶାସନିକ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି କର୍ମଚାରୀମାନଙ୍କୁ ଘରଭଡ଼ାବାବଦରେ ମୂଳ ଦରମାର ୧୨ପ୍ରତିଶତ କିମ୍ବା ୨୦୧୯-୨୦ରେ ପାଉଥିବା ଘରଭଡ଼ାର ଦ୍ୱିଗୁଣ ମଧ୍ୟରୁ ଯେଉଁଟି କମ୍ ଥିବ ତାହା ଦେବା ନିମନ୍ତେ ପ୍ରଶାସନିକ ବିଭାଗଗୁଡ଼ିକ ବଜେଟରେ ବ୍ୟୟବରାଦ କରିବେ। କର୍ମଚାରୀମାନଙ୍କ ସପ୍ତମ ବେତନ କମିଶନ ବକେୟା ଅର୍ଥ ନିମନ୍ତେ ପ୍ରଶାସନିକ ବିଭାଗଗୁଡ଼ିକ ସେମାନଙ୍କ ବଜେଟରେ କୌଣସି ବ୍ୟୟବରାଦ ନକରିବାକୁ ଅର୍ଥ ବିଭାଗ କହିଛି। କର୍ମଚାରୀମାନଙ୍କୁ କେବଳ କମ୍ପ୍ୟୁଟର କିଣିବା ପାଇଁ ଆଡ଼ଭାନ୍ସ ବା ଋଣ ମିଳିପାରିବ। ବିଭାଗଗୁଡ଼ିକ ଯେତିକି କର୍ମଚାରୀ ଏବେ କାମ କରୁଛନ୍ତି ସେମାନଙ୍କ ନିମନ୍ତେ ହିଁ ବଜେଟରେ ଦରମା ପ୍ରାବଧାନ କରିବେ। ଖାଲି ପଡ଼ିଥିବା ପଦଗୁଡ଼ିକ ପାଇଁ ଦରମା ପ୍ରାବଧାନ ନକରିବାକୁ ଅର୍ଥ ବିଭାଗ ତାଗିଦ୍ କରିଛି।

ସୂଚନାଯୋଗ୍ୟ, କରୋନା ଯୋଗୁ ରାଜ୍ୟ ରାଜକୋଷ ପ୍ରଭାବିତ ହେବାର ଆଶଙ୍କା ରହିଛି। ରାଜ୍ୟର ଅଭିବୃଦ୍ଧି ହାର ୧ରୁ ୨ପ୍ରତିଶତ ଓ ବାର୍ଷିକ ରାଜସ୍ୱ ପ୍ରାୟ ୨୫% ହ୍ରାସ ପାଇବ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି।

Related story