ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ବୟଫ୍ରେଣ୍ଡ କିଶୋର ଆଞ୍ଚଲ ଓରଫ୍ ରାଜା ପୁଲିସ୍ ହାବୁଡ଼ରେ ପଡ଼ିଛି। କିଛି ଦିନର ଲୁଚକାଳି ପରେ ନିଜେ ପୁଲିସ୍ ହାତରେ ଧରା ଦେଇଛି ରାଜା । ଆଜି ପୁଲିସ୍ ନିକଟକୁ ଆସି ସେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।
ଅପରପକ୍ଷେ ମୃତଦେହର ସଠିକ୍ ଚିହ୍ନଟ ଲାଗି ଡିଏନଏ ଟେଷ୍ଟ କରାଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି କ୍ୟାପିଟାଲ ହସ୍ପିଟାଲରେ ନିହାରିକାଙ୍କ ବାପାମା’ଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି।
ଗତ ୮ ତାରିଖରୁ ନର୍ସ ନିହାରିକା ନିଖୋଜ ଥିଲେ । ଏହାର କିଛି ଦିନ ପରେ ରହସ୍ୟଜନକ ଭାବେ ବିଲୁଆଖାଇ ନଦୀ ପଠାରୁ ତାଙ୍କ ମୃତଦେହ ମିଳିଥିଲା । ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ବସ୍ତାରୁ ପୋଲିସ ମୃତଦେହ ଉଦ୍ଧାର କରିଥିଲା ।
ନିହାରିକା ଚାକିରୀ କରୁଥିବା କଟକର ଏକ ନର୍ସିଂହୋମ୍ରୁ ରାଜା ସହ ଗତ ୮ ତାରିଖରେ କେଉଁଆଡେ ଯାଇଥିଲେ। ନର୍ସିଂହୋମ୍ ନିକଟ ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ହୋଇଥିଲା। ତାପରଠୁ ନିଖୋଜ ହୋଇ ଯାଇଥିଲା ରାଜା । ପୁଲିସ୍ ରାଜା ଉପରେ ସନ୍ଦେହ କରି ଖୋଳତାଡ଼ ଜାରି ରଖିଥିବା ବେଳେ ଆଜି ପୁଲିସ୍ ହାତରେ ସେ ଆପେ ଆପେ ଧରା ଦେଇଛି ।
ପୁଲିସ୍ ପଚରାଉଚରା ପରେ ନିହାରିକା ମୃତ୍ୟୁ ପଛର ଗୁମର ଖୋଲିବ ବୋଲି ଆଲୋଚନା ହେଉଛି। ବିରିଡି ସ୍ଥିତ ନିଜ ମାମୁଁ ଘରକୁ ଯିବା ଆସିବା ଭିତରେ ନିହାରିକା ଏବଂ ରାଜାଙ୍କ ମଧ୍ୟରେ ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ । କୁହାଯାଉଛି ଉଭୟେ ପରସ୍ପରକୁ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ।