'ଆଧାର' ନଥିଲେ ମିଳିବନି ଫସଲ ଋଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଧାର ନମ୍ବର ନଥିଲେ ଚାଷୀଙ୍କୁ ଆଉ ଫସଲ ଋଣ ମିଳିବ ନାହିଁ। ଏହି ନିୟମ କେବଳ ସମବାୟ ବ୍ୟାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିରେ ସାମିଲ ଥିବା ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ। ଚଳିତ ଖରିଫ ଋତୁରେ ଫସଲ ଋଣ ବଣ୍ଟନବେଳେ ଏହି ନିୟମ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ସମବାୟ ରେଜିଷ୍ଟ୍ରାର ଆଜି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟରେ ଚାଷୀ ଚିହ୍ନଟ […]

No-agri-loan-to-farmers-who-do-not-have-Aadhar-card

Manoranjan Sial
  • Published: Friday, 30 August 2019
  • , Updated: 30 August 2019, 08:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଧାର ନମ୍ବର ନଥିଲେ ଚାଷୀଙ୍କୁ ଆଉ ଫସଲ ଋଣ ମିଳିବ ନାହିଁ। ଏହି ନିୟମ କେବଳ ସମବାୟ ବ୍ୟାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିରେ ସାମିଲ ଥିବା ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ। ଚଳିତ ଖରିଫ ଋତୁରେ ଫସଲ ଋଣ ବଣ୍ଟନବେଳେ ଏହି ନିୟମ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ସମବାୟ ରେଜିଷ୍ଟ୍ରାର ଆଜି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ରାଜ୍ୟରେ ଚାଷୀ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ କିଷାନ କ୍ରେଡିଟ୍ କାର୍ଡ ନେଇଥିବା ଚାଷୀମାନଙ୍କ ଡାଟାବେସ୍ ପ୍ରସ୍ତୁତ କରିବା ନିମନ୍ତେ ଫସଲ ଋଣ ପ୍ରଦାନବେଳେ ଚାଷୀଙ୍କ ଆଧାର ନମ୍ବର ଯାଞ୍ଚ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ୨୦୧୯-ଖରିଫ ଋତୁରେ ଫସଲ ଋଣ ବଣ୍ଟନ ପ୍ରକ୍ରିୟାବେଳେ ଚାଷୀଙ୍କ କିଷାନ କେଡ୍ରିଟ୍ କାର୍ଡ ସହ ସେମାନଙ୍କ ଆଧାର ନମ୍ବରର ଡାଟାବେସ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ଖରିଫ ଋତୁରେ ଯେଉଁ ଚାଷୀମାନେ ଫସଲ ଋଣ ନେଇସାରିଛନ୍ତି ସେମାନଙ୍କର ଆଧାର ନମ୍ବରକୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବା ସହ ଏଣିକି ବିନା ଆଧାର ନମ୍ବରରେ ଚାଷୀଙ୍କୁ ଫସଲ ଋଣ ନଦେବାକୁ ସମବାୟ ରେଜିଷ୍ଟ୍ରାର ନିର୍ଦ୍ଦେଶ ଦେଇଛନ୍ତି।

ଫସଲ ଋଣ ବଣ୍ଟନ ପ୍ରକ୍ରିୟା ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଜାରି ରହିବାକୁ ଥିବାରୁ ଏହି ଅବଧି ମଧ୍ୟରେ ଚାଷୀଙ୍କ କିଷାନ କେଡ୍ରିଟ୍ କାର୍ଡ ସହ ଆଧାର ନମ୍ବରକୁ ସାମିଲ କରି ଡାଟାବେସ୍ ପ୍ରସ୍ତୁତ କରିବାକୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨୦୧୭-ଖରିଫ ଋତୁ ପରଠୁ ଚାଷୀଙ୍କୁ ଫସଲ ଋଣ ଦେବାବେଳେ ଆଧାର ନମ୍ବରକୁ ବାଧ୍ୟତାମୂଳକ କରାଯାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ରାଜ୍ୟରେ ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନି। ଚାଷୀଙ୍କୁ ଫସଲ ଋଣରେ ଦିଆଯାଉଥିବା ସୁଧ ରିହାତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଦାନ ରହୁଥିବାରୁ ପ୍ରକୃତ ଚାଷୀ ଯେଭଳି ସୁଧ ରିହାତିର ଫାଇଦା ନେବେ ସେଥିପାଇଁ ‘ଆଧାର ନମ୍ବର’କୁ ବାଧ୍ୟତାମୂଳକ କରିବାକୁ କୁହାଯାଇଥିଲା। କିନ୍ତୁ ରାଜ୍ୟରେ ଥିବା ୪୯ଲକ୍ଷ ୪୪ହଜାର ୩୪୩ଜଣ କିଷାନ କ୍ରେଡିଟ୍ କାର୍ଡଧାରୀ ଚାଷୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ୨୧.୬୧ ପ୍ରତିଶତ ଅର୍ଥାତ୍ ୧୦ଲକ୍ଷ ୮୦ହଜାର ୨୧୯ଜଣ ଚାଷୀଙ୍କ ଆଧାର ନମ୍ବର ଯାଞ୍ଚ ହୋଇପାରିଛି।

ଗତ ଏକବର୍ଷ ଧରି ଏହି କିଷାନ୍ କ୍ରେଡିଟ୍ କାର୍ଡଧାରୀ ଚାଷୀଙ୍କ ଆଧାର ନମ୍ବର ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ଧିମା ହୋଇଯାଇଛି। ତେଣୁ ଫସଲ ଋଣ ଉପରେ ସୁଧ ରିହାତିର ଫାଇଦା ଯେଭଳି ପ୍ରକୃତ ଚାଷୀ ନେବେ, ସେଥିପାଇଁ ରାଜ୍ୟ ସରକାର ଆଜି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଜେନେରାଲ ମ୍ୟାନେଜର ଓ ସମବାୟ ବ୍ୟାଙ୍କଗୁଡ଼ିକର ସମ୍ପାଦକମାନଙ୍କୁ ଚିଠି ଲେଖି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ସରକାର ଚଳିତ ଖରିଫ ଋତୁରେ ୭୫୦୦କୋଟି ଟଙ୍କାର ଫସଲ ଋଣ ବଣ୍ଟନ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଏହି ଫସଲ ଋଣ ବଣ୍ଟନ କରାଯିବ।

Related story