ଦୁର୍ଘଟଣା ପରେ ଦାରୁଠେଙ୍ଗରେ ସାମୟିକ ଭାବେ ଅଳିଆ ଡମ୍ପିଂ ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗର ଭୁଆସୁଣୀରେ ଅଳିଆ ଡମ୍ପିଂକୁ ସାମୟିକ ସମୟ ପାଇଁ ବନ୍ଦ କରି ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଆଜି ସକାଳେ ଏଠାରେ ଏକ ଅଳିଆ ବୋଝେଇ ଟ୍ରକ୍ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିବା ପରେ ବିଏମ୍‌ସି ଏହି ନିଷ୍ପତ୍ତି ନେଇଥିବା ମେୟର ସୁଲୋଚନା ଦାସ କହିଛନ୍ତି। ମେୟର କହିଛନ୍ତି, ଦାରୁଠେଙ୍ଗବାସୀଙ୍କ ସହିତ ପରବର୍ତ୍ତୀ ଆଲୋଚନା ପର୍ଯ୍ୟନ୍ତ ଏଠାରେ ଡମ୍ପିଂ ବନ୍ଦ ରଖାଯିବ। ନିଶ୍ଚିତ ଭାବେ ସେମାନଙ୍କ ସହିତ […]

Mayor

  • Published: Sunday, 30 October 2022
  • , Updated: 30 October 2022, 12:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗର ଭୁଆସୁଣୀରେ ଅଳିଆ ଡମ୍ପିଂକୁ ସାମୟିକ ସମୟ ପାଇଁ ବନ୍ଦ କରି ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଆଜି ସକାଳେ ଏଠାରେ ଏକ ଅଳିଆ ବୋଝେଇ ଟ୍ରକ୍ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିବା ପରେ ବିଏମ୍‌ସି ଏହି ନିଷ୍ପତ୍ତି ନେଇଥିବା ମେୟର ସୁଲୋଚନା ଦାସ କହିଛନ୍ତି।

ମେୟର କହିଛନ୍ତି, ଦାରୁଠେଙ୍ଗବାସୀଙ୍କ ସହିତ ପରବର୍ତ୍ତୀ ଆଲୋଚନା ପର୍ଯ୍ୟନ୍ତ ଏଠାରେ ଡମ୍ପିଂ ବନ୍ଦ ରଖାଯିବ। ନିଶ୍ଚିତ ଭାବେ ସେମାନଙ୍କ ସହିତ ଆଉ ଗୋଟିଏ ପର୍ଯ୍ୟାୟ ଆଲୋଚନା ହେବ। ସେହିପରି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରର ଜଣଙ୍କୁ ଆମେ ଠିକା ନିଯୁକ୍ତି ଦେବୁ। ତା’ସହିତ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦିଆଯିବ।

ମେୟର ଶ୍ରୀମତୀ ଦାସ ଆହୁରି କହିଛନ୍ତି, ଏଠାରେ ଟ୍ରାଫିକର ବ୍ୟବସ୍ଥା କରାଯିବ। ହଂପ୍‌ସ ନିର୍ମାଣ କରାଯିବ। ତା’ସହିତ ଆମର ପ୍ରତ୍ୟେକ ଏଜେନ୍ସୀର ଗାଡ଼ିଗୁଡ଼ିକୁ ଆମେ ଯାଞ୍ଚ କରିବୁ। ସେଗୁଡ଼ିକର ଫିଟ୍‌ନେସ୍‌ ସହିତ ନିୟମ ଅନୁଯାୟୀ ଆଉ ଯାହା ସବୁ ରହିବା କଥା, ସେଥିପ୍ରତି ଧ୍ୟାନ ଦେବୁ।

ମେୟରଙ୍କ ଏହି ଘୋଷଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକରୁ ଓହରି ଯାଇଥିଲେ ଓ ଶବକୁ ସଂସ୍କାର ପାଇଁ ନେବାକୁ ଦେଇଥିଲେ। ତେବେ ମେୟରଙ୍କ ଘୋଷଣାରେ ସଂପୂର୍ଣ୍ଣ ଖୁସି ନାହାନ୍ତି ଦାରୁଠେଙ୍ଗବାସୀ। ମେୟର ଆଉ ଏକ ପର୍ଯ୍ୟାୟ ଆଲୋଚନା କଥା କହୁଥିବା ବେଳେ କିଛି ଲୋକ କହୁଛନ୍ତି ଆଉ ଆଲୋଚନା ହେବ ନାହିଁ। ଦାରୁଠେଙ୍ଗରେ ଡମ୍ପିଂୟାର୍ଡ ସବୁ ଦିନ ପାଇଁ ବନ୍ଦ ହେଲା। ଅନ୍ୟ କିଛି ଲୋକ କହୁଛନ୍ତି ଯଦି ଆଲୋଚନା ହେବ ତା’ହେଲେ ଦାରୁଠେଙ୍ଗରେ ହେବ, ବିଏମ୍‌ସି ଅଫିସ୍‌ରେ ନାହିଁ।

ସୂଚନାଯୋଗ୍ୟ, ଦାରୁଠେଙ୍ଗରେ ଅଳିଆ ବୋଝେଇ ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହେଲାଣି। ଆଜିର ଘଟଣାଟି ସକାଳେ ଘଟିଥିଲା। ରାମଚନ୍ଦ୍ର ଗାଗାରାଇ (୪୬) ନାମକ ଜଣେ ବ୍ୟକ୍ତି ଦାରୁଠେଙ୍ଗରୁ ଭୁବନେଶ୍ୱରର ଏକ ଆବସିକ ସ୍କୁଲ୍‌ରେ ପଢୁଥିବା ତାଙ୍କ ପିଲାଙ୍କୁ ଭେଟିବାକୁ ସାଇକେଲ୍‌ରେ ଆସୁଥିବା ବେଳେ ବିଏମ୍‌ସିର ଏକ ଅଳିଆ ବୋଝେଇ ଟ୍ରକ୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ଏହି ରାସ୍ତାରୋକରେ ଜଟଣୀ ବିଧାୟକ ସୁର ରାଉତରାୟ ବି ସାମିଲ ହୋଇଥିଲେ। ଖବର ପାଇ ବିଏମ୍‌ସି ମେୟର ସୁଲୋଚନା ଦାସ ଓ କମିଶନର ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଲୋକଙ୍କୁ ବୁଝାସୁଝା କରିବା ସହିତ ମୃତକଙ୍କ ପରିବାରକୁ ସହାୟତା ନେଇ ଘୋଷଣା କରିବା ପରେ ରାସ୍ତାରୋକ ହଟିଥିଲା।

Related story