‘ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ, ନଦୀବନ୍ଧ ଭାଙ୍ଗିବା ସ୍ଥିତି ବି ଉପୁଜିନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ହୋଇନାହିଁ। ତେଣୁ ବନ୍ୟା  ଆଶଙ୍କା ନାହିଁ । ଯେଉଁ ସବୁ ନଦୀରେ ଜଳ ପତ୍ତନ ଅଧିକ ଥିଲା, ସେସବୁ ନଦୀରେ ସକାଳୁ ଜଳ ପତ୍ତନ ସ୍ଥିର ହୋଇ ହ୍ରାସ ପାଉଛି । ବନ୍ୟା ଆଶଙ୍କାରେ କଲବଲ ହେଉଥିବା ରାଜ୍ୟବାସୀଙ୍କୁ ଏପରି ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବୈତରଣୀ ନଦୀର ଆଖୁଆପଦାଠାରେ […]

Dhiren Samal

Niharika Rout
  • Published: Wednesday, 15 September 2021
  • , Updated: 15 September 2021, 02:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ହୋଇନାହିଁ। ତେଣୁ ବନ୍ୟା  ଆଶଙ୍କା ନାହିଁ । ଯେଉଁ ସବୁ ନଦୀରେ ଜଳ ପତ୍ତନ ଅଧିକ ଥିଲା, ସେସବୁ ନଦୀରେ ସକାଳୁ ଜଳ ପତ୍ତନ ସ୍ଥିର ହୋଇ ହ୍ରାସ ପାଉଛି । ବନ୍ୟା ଆଶଙ୍କାରେ କଲବଲ ହେଉଥିବା ରାଜ୍ୟବାସୀଙ୍କୁ ଏପରି ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଂକେତ ଉପରେ ଜଳସ୍ତର ପ୍ରବାହିତ ହେଉଥିଲେ ମଧ୍ୟ ଜଳ ପତ୍ତନ ହ୍ରାସ ପାଇବା ଆରମ୍ଭ କରିଛି । ସେହିପରି ବ୍ରାହ୍ମଣୀ ନଦୀରେ ମଧ୍ୟ ଜଳସ୍ତର କମିବା ଆରମ୍ଭ କରିଛି  । ତା’ ଛଡ଼ା ଉପର ମୁଣ୍ଡରେ ଆଉ ବର୍ଷା ହେଉ ନ ଥିବାରୁ ବନ୍ୟା ଆଶଙ୍କା ନାହିଁ । ତେବେ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି ଓ ନିଷ୍କାସନ ସମସ୍ୟା ଥିବାରୁ କିଛି ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ରାଜ୍ୟର କୌଣସି ସ୍ଥାନରେ ନଦୀବନ୍ଧ ଭାଙ୍ଗିବା ଭଳି ସ୍ଥିତି ଉପୁଜି ନ ଥିବା ସେ କହିଛନ୍ତି ।

ତେବେ ଉପରମୁଣ୍ଡରେ ବର୍ଷା ହେଉଥିବାରୁ ହୀରାକୁଦ ଜଳ ଭଣ୍ଡାରରେ ଜଳ ପତ୍ତନ ନିୟନ୍ତ୍ରଣରେ ରଖିବା ଲାଗି ଗତକାଲି ୬ଟି ଓ  ଆଜି ଆଉ ୬ଟି ଗେଟ୍ ଖୋଲାଯାଇଛି  । ଏହାବାଦ ଆଜି ଅପରାହ୍ନରେ ଆଉ ୬ଟି ଗେଟ୍‌ ଖୋଲାଯିବ ବୋଲି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି।   ବର୍ତ୍ତମାନ ହୀରାକୁଦ ଭିତରକୁ ୨ ଲକ୍ଷ ୯୮ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୧୨ଟି ଗେଟ୍, ପାୱାର ହାଉସ ଓ ସ୍ଲୁଇସ୍ ମାଧ୍ୟମରେ ୨ ଲକ୍ଷ ୩୦ହଜାର କ୍ୟୁସେକ୍ ପାଣି ନିଷ୍କାସନ କରାଯାଉଛି  ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

ଜଳଭଣ୍ଡାରର ଜଳଧାରଣା କ୍ଷମତା ୬୩୦ ଫୁଟ୍ ଥିବାବେଳେ ଏବେ ଜଳପତ୍ତନ ୬୨୮.୩ ଫୁଟ୍ ରହିଛି । ସେହିପରି କଟକର ମୁଣ୍ଡଳି ଦେଇ ଆଜି ସକାଳୁ ୬ ଲକ୍ଷ ୪୦ ହଜାର  କ୍ୟୁସେକ୍ ପାଣି ନିଷ୍କାସନ ହେଉଛି । ହୀରାକୁଦ ପାଣି ପହଞ୍ଚିବାକୁ ୩୬ ଘଣ୍ଟା ଲାଗିବାକୁ ଥିବାରୁ ତଳ ମୁଣ୍ଡରେ ବନ୍ୟା ଆଶଙ୍କା ନାହିଁ ବୋଲି ସେ କହିଛନ୍ତି ।

Related story