ନୀଳଗିରି(ଓଡ଼ିଶା ରିପୋର୍ଟର): ସେଇ ଗାଁ, ସେଇ ପୋଖରୀ ଆଉ ସେଇ ଝାଟି ମାଟିର ଘର। ସକାଳୁ ଉଠି ସେଇ ପୋଖରୀରେ ଗାଧୁଆପାଧୁଆ। ପୁଣି ସେଇ ଚାଳ ଛପର ଘର ଭିତରେ ଖାଇବା ପିଇବା । ଠିକ୍ ଆଗରୁ ଯେମିତି ଥିଲା ସେମିତି। ଜୀବନ ଶୈଳୀରେ କିଛି ବି ପରିବର୍ତ୍ତନ ହୋଇନି। କେନ୍ଦ୍ରମନ୍ତ୍ରୀ ହେଲା ପରେ ବି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ତାଙ୍କ ପୁରୁଣା ଚଲଣିକୁ ଛାଡ଼ିପାରି ନାହାନ୍ତି।
କେନ୍ଦ୍ରମନ୍ତ୍ରୀ ହେବା ପରେ ପ୍ରତାପ ଷଡ଼ଙ୍ଗୀ ତାଙ୍କ ଗାଁକୁ ଆସିଥିଲେ। ସମସ୍ତଙ୍କର ଧାରଣା ଥିଲା ମନ୍ତ୍ରୀପଦ ପାଇଲା ପରେ ପ୍ରତାପଙ୍କ ଚାଲିଚଳଣିରେ କିଛିଟା ପରିବର୍ତ୍ତନ ହୋଇ ଯିବ। କିନ୍ତୁ ତାହା କିଛି ବି ହୋଇ ନାହିଁ। ଯେମିତି ସବୁଦିନ ଗାଁ ପୋଖରୀକୁ ଯାଉଥିଲେ ଆଜି ବି ସେମିତି ଯାଇଛନ୍ତି। ଗାଧୁଆପାଧୁଆ ସାରି ନାଲି ଗାମୁଛା ଖଣ୍ଡେ ପିନ୍ଧି ପାଣି କଳସ ଧରି ଫେରୁଛନ୍ତି। ଆଉ ନିଜ କାମ କରୁଛନ୍ତି।
ତାଙ୍କର ଏହି ସରଳ ଓ ନିରାଡ଼ମ୍ବର ଜୀବନଶୈଳୀ ହିଁ ତାଙ୍କୁ ଦେଇଛି ପରିଚୟ। ମନ୍ତ୍ରୀ ହେଲା ପରେ ପ୍ରୋଟୋକଲ ଅନୁଯାୟୀ ତାଙ୍କର ସୁରକ୍ଷା ଲାଗି ସୁରକ୍ଷା କର୍ମୀ ମଧ୍ୟ ଯୋଗାଇ ଦିଆଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ସେଇ ଚାଳଘରେ ରହି ଆସିଥିବା ପ୍ରତାପ ନନା କିନ୍ତୁ ସେମିତି ହାଇଟେକ ଜୀବନ ଶେଳୀକୁ ପସନ୍ଦ କରିନ୍ତି ନାହିଁ। ତେଣୁ ପ୍ରତାପ ନିଜ ଘର ନୀଳଗିରିର ଗୋପିନାଥପୁରର ସେଇ ଛୋଟ କୁଡ଼ିଆ ଘରେ ରହିଥିବା ବେଳେ ସାଙ୍ଗରେ ଅସିଥିବା ସୁରକ୍ଷା କର୍ମୀ ନୀଳଗିରି ଡାକବଙ୍ଗଳାରେ ରହିଥିଲେ। ତେବେ ଏହାରି ଭିତରେ ପ୍ରତାପ ଷଡ଼ଙ୍ଗୀ ଦିଲ୍ଲୀ ଫେରି ଯାଇଥିବା ଜଣାପଡ଼ିଛି।
https://youtu.be/MSCR-Ofz7PE