କେନାଲ୍‌ ଅଛି, ହେଲେ ବିଲକୁ ପାଣି ମାଡ଼ୁନି

ଆଳି(ବନମାଳୀ ସାହୁ): ଚାଷୀଙ୍କ କ୍ଷେତକୁ ପାଣି ଯିବ। ଆଉ ଫଳିବ ସୁନାର ଫସଲ। ଏଥିପାଇଁ ନିର୍ମାଣ ହୋଇଛି କେନାଲ୍‌। ହେଲେ କେନାଲ୍‌ କେଉଁଠି ଶୁଖିଲା ପଡ଼ିଛି ତ ଆଉ କେଉଁଠି ଏଥିରେ ଆଣ୍ଠୁଏ ଉଚ୍ଚର ଦଳ ଭର୍ତ୍ତି ହୋଇ ରହିଛି। କିଛି କିଛି ସ୍ଥାନରେ ଘାସ ଉଠି ସେଠାରେ କେନାଲ ଥିବା ଭଳି ଦେଖାଯାଉନି। ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ୍ ଅନ୍ତର୍ଗତ ଖରସ୍ରୋତା ନଦୀରୁ ବାହାରି ଗିରିଆ ଗାଁ ପର୍ଯ୍ୟନ୍ତ ଲମ୍ବିଥିବା କେନାଲର ଅବସ୍ଥା। […]

auli-3-1..

Niharika Rout
  • Published: Thursday, 03 October 2019
  • , Updated: 03 October 2019, 01:51 PM IST

ଆଳି(ବନମାଳୀ ସାହୁ): ଚାଷୀଙ୍କ କ୍ଷେତକୁ ପାଣି ଯିବ। ଆଉ ଫଳିବ ସୁନାର ଫସଲ। ଏଥିପାଇଁ ନିର୍ମାଣ ହୋଇଛି କେନାଲ୍‌। ହେଲେ କେନାଲ୍‌ କେଉଁଠି ଶୁଖିଲା ପଡ଼ିଛି ତ ଆଉ କେଉଁଠି ଏଥିରେ ଆଣ୍ଠୁଏ ଉଚ୍ଚର ଦଳ ଭର୍ତ୍ତି ହୋଇ ରହିଛି। କିଛି କିଛି ସ୍ଥାନରେ ଘାସ ଉଠି ସେଠାରେ କେନାଲ ଥିବା ଭଳି ଦେଖାଯାଉନି। ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ୍ ଅନ୍ତର୍ଗତ ଖରସ୍ରୋତା ନଦୀରୁ ବାହାରି ଗିରିଆ ଗାଁ ପର୍ଯ୍ୟନ୍ତ ଲମ୍ବିଥିବା କେନାଲର ଅବସ୍ଥା। ୧୯୭୧ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଏହି କେନାଲରୁ ମାଟି ମୁଠାଏ ମଧ୍ୟ ଉଠାଯାଇ ପାରି ନାହିଁ।

ଦୀର୍ଘ ବର୍ଷ ହେବ ଏହାର ପୁନରୁଦ୍ଧାର ହୋଇ ନ ଥିବାରୁ ବିଲକୁ ପାଣି ମାଡ଼ି ପାରୁନି। ଏଥିଯୋଗୁ କେନାଲ କଡ଼ରେ ଥିବା ଏକର ଏକର ଚାଷ ଜମି ପଡିଆ ପଡୁଛି। ଏନେଇ ପ୍ରଶାସକଙ୍କଠାରୁ ଆରମ୍ଭ କରି ନେତାଙ୍କ  ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କେନାଲ ଥାଇ ବି ପାଣି ମାଡ଼ୁ ନ ଥିବାରୁ ସେମାନେ ହତାଶ ହୋଇ ପଡ଼ିଛନ୍ତି। ସବୁ ଆଡ଼ୁ ନିରାଶ ହେବା ପରେ କେନାଲର ପୁନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ରାଜକନିକା ବ୍ଲକର ଚାଷୀମାନେ।

ସ୍ଥାନୀୟ ବାସିନ୍ଦା ହରିହର ରାଉତ କହିଛନ୍ତି,  କେନାଲରେ ଦଳ, ଘାସ ଭର୍ତ୍ତି ହୋଇଯାଇଛି। ତେଣୁ ଟୋପେ ପାଣି ଆସୁନି। ଏଣୁ ଚଳିତ ବର୍ଷ ମୁଗ ଚାଷ  ହୋଇପାରିନି। ପଡ଼ିଆ ଶୁଖିଲା ପଡ଼ିଛି। ଏତେ ସବୁ ସମସ୍ୟା ସତ୍ତ୍ୱେ ପ୍ରଶାସନ ଚେଇଁ ଶୋଇଛି।

କୃଷକ ନେତା ଉମେଶ ମଲ୍ଲହ କହିଛନ୍ତି, ସ୍ଥାନୀୟ ଅଞ୍ଚଳବାସୀ ମୁଖ୍ୟତଃ କୃଷି ଉପରେ ନିର୍ଭର କରନ୍ତି। କିନ୍ତୁ ଦୀର୍ଘ ଦିନ ହେଲା କେନାଲରୁ ମାଟି କଢ଼ା ଯାଇ ନଥିବାରୁ ଏହା ପୋତି ହୋଇଗଲାଣି। ଏଣୁ ଚାଷ କରି ନ ପାରି ଲୋକେ ଦାଦନ ଖଟିବାକୁ ପଳାଉଛନ୍ତି।

ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି,“ଘଟଣାର ଅନୁଧ୍ୟାନ କରି ଦେଖିବୁ। ସମସ୍ୟା ଥିଲେ, ଏହାକୁ ଦୂର କରିବାକୁ ନିହାତି ଭାବେ ପଦକ୍ଷେପ ନେବୁ।”

Related story