ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଚଳିତ ମାସରେ ଖୋଲିବ ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ୍ । ତୃତୀୟ ସପ୍ତାହରେ ସ୍କୁଲ୍ ଖୋଲିବା ପାଇଁ ଯୋଜନା କରୁଛି ଗଣଶିକ୍ଷା ବିଭାଗ । ପ୍ରକ୍ରିୟା ବି ଆରମ୍ଭ ହୋଇଛି । ତେବେ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଅଂଶୀଦାରଙ୍କ ସହ ଗଣଶିକ୍ଷା ବିଭାଗ ଆଲୋଚନା କରି ଖୁବ୍ ଶୀଘ୍ର ଏସ୍ଓପି ଜାରି କରିବ । ସେପଟେ ଗାଇଡ୍ ଲାଇନ୍ ପାଳନ କରି ସ୍କୁଲ୍ ଖୋଲିବାକୁ ଛାତ୍ରଛାତ୍ରୀ ସ୍ୱାଗତ କରିଥିବାବେଳେ ଅଭିଭାବକ ଓ ଶିକ୍ଷକଙ୍କ ଭିତରେ ଆଶଙ୍କା ପ୍ରକାଶ ପାଇଛି।
ନଭେମ୍ବର ୧୫ ପରେ ସ୍କୁଲ୍ ଖୋଲିବାକୁ ଅନୁମତି ଦେବାପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଉଛି ଏସ୍ଓପି । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ କେତେ ପିଲା ଅଛନ୍ତି ତାର ତାଲିକା ପ୍ରସ୍ତୁତ ହେଉଛି । ସେହିପରି ବିଦ୍ୟାଳୟକୁ ଆସିବା ବେଳେ ସଂକ୍ରମଣ ନ ବ୍ୟାପିବା ପାଇଁ କଣ ସବୁ ନିୟମ ପାଳନ କରାଯିବ ତାର ବ୍ଲୁ ପ୍ରିଣ୍ଟ କରୁଛି ବିଭାଗ । ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ଅଭିଭାବକ ସଂଘ ଓ ଶିକ୍ଷକ ସଂଘ ଭଳି ଅଂଶୀଦାରମାନଙ୍କ ସହ ଆଲୋଚନା କରି ଏସ୍ଓପି ଅଣାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସେହିପରି ଆଉ ସିଲାବସ୍ ହ୍ରାସ ନକରି କିପରି ବଳକା ୭୦ ପ୍ରତିଶତ ସିଲାବସକୁ କ୍ଲାସ୍ ରୁମରେ ଶେଷ କରାଯିବ ସେନେଇ ନୂଆ କ୍ୟାଲେଣ୍ଡର କରିବ ବିଭାଗ । ଯାହା ଫଳରେ ଛାତ୍ରଛାତ୍ରୀଙ୍କର ଶିକ୍ଷା ଆହରଣ କରିବାରେ କୌଣସି ଅସୁବିଧା ହେବନାହିଁ । ସେପଟେ ଯେଉଁ ଛାତ୍ରଛାତ୍ରୀ ସ୍କୁଲ୍ ଆସିବାକୁ ଚାହିଁବେ ନାହିଁ ସେମାନଙ୍କ ଲାଗି ଅନ୍ ଲାଇନରେ ପାଠ ପଢ଼ାଯିବାର ବ୍ୟବସ୍ଥା କରୁଛି ଗଣଶିକ୍ଷା ବିଭାଗ। ସ୍କୁଲ୍ ଖୋଲିବା ନିଷ୍ପତ୍ତି ପରେ ଏବେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଅନେକ ପ୍ରଶ୍ନ । ସ୍କୁଲକୁ ପ୍ରତିଦିନ କିପରି ସାନିଟାଇଜ କରାଯିବ? ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ କରାଯିବା ପାଇଁ ସାଧନ ଯୋଗାଇ ଦିଆଯିବ ନା ନାହିଁ? ସେହିପରି ଯେଉଁ ସବୁ ସ୍କୁଲ୍ ବା ଉଚ୍ଚ ମାଧ୍ୟମିକ ସ୍କୁଲ୍ ଗୁଡିକରେ କୋଭିଡ କେୟାର ସେଣ୍ଟର କରାଯାଇଥିଲା ସେଠାରେ ଶିକ୍ଷାଦାନ କେତେ ସୁରକ୍ଷିତ? ସେପଟେ ଗାଇଡ ଲାଇନ୍ ଅନୁପାଳନ କରି ସ୍କୁଲ୍ ଖୋଲିବାକୁ କିନ୍ତୁ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍ୱାଗତ କରିଛନ୍ତି।
ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନଭେମ୍ବର ୨୦ ରୁ ୨୫ ଭିତରେ ଖୋଲିପାରେ ନବମରୁ ଦ୍ୱାଦଶ ଶ୍ରେଣୀ କ୍ଲାସ୍ । ଏନେଇ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଏସ୍ଓପି ପ୍ରକାଶ ପାଇବ । ତେବେ ପ୍ରାଥମିକ ଶ୍ରେଣୀ ପାଇଁ କିନ୍ତୁ ପୂର୍ବପରି ଅନ୍ ଲାଇନ୍ ଶିକ୍ଷା ଜାରି ରହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।