ବାଚସ୍ପତିଙ୍କ ରୁଲିଂକୁ ନେଇ ଗୃହ ୯ଥର ମୁଲତବୀ, ସନ୍ଧ୍ୟାରେ ଗୃହ ସ୍ୱାଭାବିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଅଧିବେଶନର ଆଜି ଦ୍ୱିତୀୟ ଦିନର ଆରମ୍ଭରୁ ଗୃହରେ ବାଚସ୍ପତିଙ୍କ ରୁଲିଂକୁ ନେଇ ବିରୋଧୀ ଦଳର ହଟ୍ଟଗୋଳ ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ଗୃହ ଆଜି ୯ଥର ମୁଲତବୀ ହେବାପରେ ଅପରାହ୍ନରେ ସର୍ବଦଳୀୟ ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ରୁଲିଂ କେବଳ ଗୋଟିଏ ଦିନ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସ୍ପଷ୍ଟ କରିବାପରେ ସନ୍ଧ୍ୟାରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ […]

assam

Manoranjan Sial
  • Published: Saturday, 15 February 2020
  • , Updated: 15 February 2020, 08:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଅଧିବେଶନର ଆଜି ଦ୍ୱିତୀୟ ଦିନର ଆରମ୍ଭରୁ ଗୃହରେ ବାଚସ୍ପତିଙ୍କ ରୁଲିଂକୁ ନେଇ ବିରୋଧୀ ଦଳର ହଟ୍ଟଗୋଳ ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ଗୃହ ଆଜି ୯ଥର ମୁଲତବୀ ହେବାପରେ ଅପରାହ୍ନରେ ସର୍ବଦଳୀୟ ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ରୁଲିଂ କେବଳ ଗୋଟିଏ ଦିନ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସ୍ପଷ୍ଟ କରିବାପରେ ସନ୍ଧ୍ୟାରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି।

ବାଚସ୍ପତି ଶ୍ରୀ ପାତ୍ର ଗତକାଲି ରୁଲିଂ ଦେଇ ଗୃହରେ ବିଧାୟକମାନେ ହଟ୍ଟଗୋଳ କରୁଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇବ ନାହିଁ ବୋଲି କହିଥିଲେ। ଯାହାକୁ ନେଇ ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏଥିଯୋଗୁ ଗୃହକୁ ବାଚସ୍ପତି ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ହଟ୍ଟଗୋଳ ପ୍ରଶ୍ନକାଳ ଚାଲିପାରି ନଥିବାବେଳେ ଶୂନ୍ୟକାଳରେ ହଟ୍ଟଗୋଳ ଜାରି ଯୋଗୁ ମାତ୍ର ୪ମିନିଟ୍ ଚାଲିଥିଲା। ଏହାପରେ ଗୃହ ବାରମ୍ବାର ମୁଲତବୀ ହୋଇଥିଲା। ଶେଷରେ ଅପରାହ୍ନରେ ବାଚସ୍ପତି ଶ୍ରୀ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ। ବିରୋଧୀ ଦଳ ସଦସ୍ୟମାନେ ନିଜ ଜିଦରେ ଅଟଳ ରହି ବାଚସ୍ପତି ଦେଇଥିବା ରୁଲିଂ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ବାଚସ୍ପତି ଦେଇଥିବା ରୁଲିଂ ଗୋଟିଏ ଦିନ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ମତ ଦେବାପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ସର୍ବଦଳୀୟ ବୈଠକରେ ସହମତି ପରେ ବାଚସ୍ପତି ଗୃହକୁ ଆସି ଦେଇଥିବା ରୁଲିଂ ସମ୍ପର୍କରେ ସ୍ପଷ୍ଟ କରିଥିଲେ। ବିରୋଧୀ ଦଳ ସଦସ୍ୟମାନେ ନିଜ ଆସନରେ ବସିଥିଲେ ଓ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଦେଇଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାକୁ ବିରୋଧୀ ଦଳର ନେତା ଆଲୋଚନା ଆରମ୍ଭ କରିଥିଲେ।

ଉଲ୍ଲେଖଯୋଗ୍ୟ, ଗତକାଲି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ସମୟରେ ଅଫିସର ଗ୍ୟାଲେରୀ ଖାଲିଥିବାରୁ ଏହାକୁ ନେଇ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଯାହାକୁ ନେଇ ବାଚସ୍ପତି ରୁଲିଂ ଦେଇ କହିଥିଲେ ଯେ, ଗୃହରେ ଆଲୋଚନାବେଳେ ସମ୍ପୃକ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହିବେ। ଏନେଇ ମୁଖ୍ୟ ସଚିବ ନିଶ୍ଚିତ କରାଇବେ, ତେବେ ଗଣମାଧ୍ୟମ ଏହାକୁ ପ୍ରଚାର କରିପାରିବ ନାହିଁ। ଯାହାକୁ ନେଇ ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ।

Related story