ଦିନକ ପରେ ବିଧାନସଭା: ସର୍ବଦଳୀୟ ବୈଠକ ବର୍ଜନ କଲା ବିଜେପି, ୫ଘଣ୍ଟା ବସିବ ଅଧିବେଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକ ପରେ ଅର୍ଥାତ୍ ବୁଧବାରଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକକୁ ମୁଖ୍ୟ ବିରୋଧୀ ଦଳ ବିଜେପି ବର୍ଜନ କରିଥିବାବେଳେ ଅଧିବେଶନ ପ୍ରତ୍ୟେକ ଦିନ ୫ଘଣ୍ଟା ପାଇଁ ବସିବ ବୋଲି ଜଣାପଡ଼ିଛି। ସର୍ବଦଳୀୟ ବୈଠକରେ କହିବାର ସୁଯୋଗ ପାଉନଥିବାରୁ ବିଜେପି ବୈଠକ ବର୍ଜନ କରିଥିବା କହିଛି। ଆଜି ବିଜେପିର ବର୍ଜନ ମଧ୍ୟରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି […]

odisha assembly

Ordigital Desk
  • Published: Monday, 29 November 2021
  • , Updated: 29 November 2021, 07:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକ ପରେ ଅର୍ଥାତ୍ ବୁଧବାରଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକକୁ ମୁଖ୍ୟ ବିରୋଧୀ ଦଳ ବିଜେପି ବର୍ଜନ କରିଥିବାବେଳେ ଅଧିବେଶନ ପ୍ରତ୍ୟେକ ଦିନ ୫ଘଣ୍ଟା ପାଇଁ ବସିବ ବୋଲି ଜଣାପଡ଼ିଛି। ସର୍ବଦଳୀୟ ବୈଠକରେ କହିବାର ସୁଯୋଗ ପାଉନଥିବାରୁ ବିଜେପି ବୈଠକ ବର୍ଜନ କରିଥିବା କହିଛି।

ଆଜି ବିଜେପିର ବର୍ଜନ ମଧ୍ୟରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ଆସନ୍ତା ୧ରୁ ୩୧ତାରିଖ ପର୍ଯ୍ୟନ୍ତ ୨୬ଦିନ ବିଧାନସଭା ଚାଲିବ। ପ୍ରତ୍ୟେକ ଦିନ ଦୁଇଟି ପର୍ଯ୍ୟାୟରେ ୫ଘଣ୍ଟା ଗୃହର କାର୍ଯ୍ୟ ଚାଲିବ। ସକାଳ ସାଢ଼େ ୧୦ଟାରୁ ଦିନ ସାଢ଼େ ୧ଟା ଓ ଅପରାହ୍ନ ୪ରୁ ୬ଟା ପର୍ଯ୍ୟନ୍ତ ଗୃହ ପରିଚାଳିତ ହେବ। ତେବେ ପ୍ରଥମ ଦିନ ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ସେହି ଦିନ ଅପରାହ୍ନ ୫ଟାରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ। ସପ୍ତାହରେ ୪ଦିନ ବିଜେପି ଓ ୨ଦିନ କଂଗ୍ରେସକୁ ମୁଲତବୀ ପ୍ରସ୍ତାବ ଉପସ୍ଥାପନ ପାଇଁ ସୁଯୋଗ ମିଳିବ। ମୁଲତବୀ ପ୍ରସ୍ତାବ ଉପରେ ୯୦ମିନିଟ୍ ଆଲୋଚନା ହେବ। ଏଥିରେ ବିରୋଧୀ ଦଳକୁ ୫୫ମିନିଟ୍ ଏବଂ ଶାସକ ଦଳକୁ ୩୫ମିନିଟ୍ ସମୟ ଦିଆଯିବ। ଶାସକ ଦଳ ପାଇଁ ରହିଥିବା ଅବଧି ମଧ୍ୟରେ ମନ୍ତ୍ରୀଙ୍କ ଉତ୍ତର ମଧ୍ୟ ସାମିଲ ରହିବ। ରାଜ୍ୟପାଳଙ୍କ ଅଭିଭାଷଣ ଓ ପ୍ରଶ୍ନକାଳରେ ହଟ୍ଟଗୋଳ ନକରିବାକୁ ବାଚସ୍ପତି ଅପିଲ କରିଛନ୍ତି। ଯଦି କେହି ଏହାର ଅବମାନନା କରିବେ ତା’ହେଲେ ଆଇନ ଅନୁସାରେ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ସେହିପରି ବିଜେପିର ବର୍ଜନ ପ୍ରସଙ୍ଗରେ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ନିୟମ ଅନୁସାରେ ସବୁ କରାଯାଉଛି। ବିଧାୟକ ବିଷ୍ଣୁ ସେଠୀ ଯେଉଁ ଅଭିଯୋଗ କରୁଛନ୍ତି ତାହା ତାଙ୍କର ବିଧାୟକ ଦଳ ଲିଖିତ ଭାବେ ଦିଅନ୍ତୁ। ତା’ପରେ ବିଚାର କରାଯିବ।

ଆଜି ପୂର୍ବାହ୍ନରେ ବାଚସ୍ପତିଙ୍କ ଦ୍ୱାରା ସର୍ବଦଳୀୟ ବୈଠକରୁ ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ ଅଧାରୁ ଉଠି ଆସିଥିଲେ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ବିଜେପି ମୁଖ୍ୟ ବିରୋଧୀ ଦଳ ହୋଇଥିଲେ ମଧ୍ୟ ବୈଠକରେ ତାଙ୍କୁ କହିବାର ସୁଯୋଗ ମିଳିଲା ନାହିଁ। ତାଙ୍କୁ ଚୁପ୍ ବସିବାକୁ କୁହାଗଲା। ବିରୋଧୀ ଦଳ ନେତା ଅସୁସ୍ଥ ଥିବାରୁ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଯୋଗ ଦେବେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। କିନ୍ତୁ ତାହା ଗ୍ରହଣୀୟ ହେଲା ନାହିଁ। କେଉଁ କାରଣରୁ ବିଜେପି ନେତାମାନଙ୍କୁ ନେଇ ଏଭଳି ପାତରଅନ୍ତର ଓ ଭୟ ସରକାର କରୁଛନ୍ତି ତାହା ସେ ବୁଝିପାରୁନାହାନ୍ତି। ଯେଉଁ ବୈଠକରେ କହିବାର ସୁଯୋଗ ନାହିଁ ସେଠାରେ କାହିଁକି ଚୁପ୍ ହୋଇ ବସିବେ ବୋଲି ଶ୍ରୀ ସେଠୀ କହିବା ସହ ବୈଠକ ବର୍ଜନକୁ ଯଥାର୍ଥ କହିଛନ୍ତି।

ସୂଚନାଯୋଗ୍ୟ, ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ହିଁ ଉଷ୍ମ ଓ ସରଗରମ ହେବାର ସମ୍ଭାବନା ରହିଛି। ବିଶେଷକରି ମମିତା ମେହେର ହତ୍ୟା ପ୍ରସଙ୍ଗରେ ଗୃହମନ୍ତ୍ରୀଙ୍କ ବହିଷ୍କାର, ଚାଷୀଙ୍କ ସମସ୍ୟା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବାବେଳେ ଶାସକ ଦଳ ଦ୍ୱାରା ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ଗୃହରେ ମୁଖ୍ୟ ପ୍ରସଙ୍ଗ କରାଯିବ ବୋଲି ସୂଚନା ମିଳିଛି।

Related story