ଚର୍ଚ୍ଚାରେ କ୍ୟାବିନେଟ ନିଷ୍ପତ୍ତି: ଜଳସେଚନ ପ୍ରକଳ୍ପଠୁ ବିଜୁ ସେତୁ, ବିଫଳତା ଲୁଚାଇବାକୁ ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ଏକାଧିକ ନିଷ୍ପତ୍ତି ଏବେ ରାଜ୍ୟ ସରକାରଙ୍କ ବିଫଳତାକୁ ପଦାରେ ପକାଇଛି । ଉଠାଜଳସେଚନ ପ୍ରକଳ୍ପଠୁ ଆରମ୍ଭ କରି ବିଜୁ ସେତୁ ଓ ମୁଖ୍ୟମନ୍ତ୍ରୀ ସଡ଼କ ପର୍ଯ୍ୟନ୍ତ ଯୋଜନା ପାଇଁ ରାଜ୍ୟ କ୍ୟାବିନେଟରେ ଅର୍ଥବରାଦ କରିବା ସରକାରଙ୍କ ପ୍ରଚାରସର୍ବସ୍ୱ ନୀତିକୁ ଦର୍ଶାଇଛି। ପାର୍ବତୀଗିରି ବୃହତ୍ ଉଠାଜଳସେଚନ ଯୋଜନାରେ ୧୦୭୫୯କୋଟି ଟଙ୍କା ବ୍ୟୟରେ ୨.୬୪ଲକ୍ଷ ହେକ୍ଟର ଜମିକୁ ଜଳସେଚନ, ବିଜୁ ସେତୁ ଯୋଜନାରେ […]

Biju-Setu

Biju-Setu

Ordigital Desk
  • Published: Tuesday, 23 November 2021
  • Updated: 24 November 2021, 09:31 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ଏକାଧିକ ନିଷ୍ପତ୍ତି ଏବେ ରାଜ୍ୟ ସରକାରଙ୍କ ବିଫଳତାକୁ ପଦାରେ ପକାଇଛି । ଉଠାଜଳସେଚନ ପ୍ରକଳ୍ପଠୁ ଆରମ୍ଭ କରି ବିଜୁ ସେତୁ ଓ ମୁଖ୍ୟମନ୍ତ୍ରୀ ସଡ଼କ ପର୍ଯ୍ୟନ୍ତ ଯୋଜନା ପାଇଁ ରାଜ୍ୟ କ୍ୟାବିନେଟରେ ଅର୍ଥବରାଦ କରିବା ସରକାରଙ୍କ ପ୍ରଚାରସର୍ବସ୍ୱ ନୀତିକୁ ଦର୍ଶାଇଛି। ପାର୍ବତୀଗିରି ବୃହତ୍ ଉଠାଜଳସେଚନ ଯୋଜନାରେ ୧୦୭୫୯କୋଟି ଟଙ୍କା ବ୍ୟୟରେ ୨.୬୪ଲକ୍ଷ ହେକ୍ଟର ଜମିକୁ ଜଳସେଚନ, ବିଜୁ ସେତୁ ଯୋଜନାରେ ୫୧୮୨କୋଟି ଟଙ୍କା ବ୍ୟୟରେ ୫୫୦ଟି ସେତୁ ନିର୍ମାଣ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୨୦୦୦କୋଟି ଟଙ୍କା ବ୍ୟୟ ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୪୮୪କୋଟି ଟଙ୍କା ବ୍ୟୟ କରିବାର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅଧିକାଂଶ ପୁରୁଣା ଯୋଜନା ପାଇଁ ଅର୍ଥ ବ୍ୟୟବରାଦକୁ ଅନୁମୋଦନ ମିଳିଛି । ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମଓଡ଼ିଶାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ବିଜେଡି ସରକାର ୨୦୧୬ ଡିସେମ୍ବରରେ ପାର୍ବତୀଗିରି ବୃହତ୍ ଉଠା ଜଳସେଚନ ଯୋଜନା କାର୍ଯ୍ୟକାରୀ କଲେ । କିନ୍ତୁ ଏହି ଯୋଜନାକୁ ଘୋଷଣା କରି ସରକାର ଏହାପରେ ଭୁଲିଗଲେ । ଯେତିକି ଅର୍ଥ ବରାଦ କଲେ ତାହା ସମୁଦ୍ରକୁ ଶଙ୍ଖେ ପାଲଟିଲା । ଏବେ ପୁଣି ୫ବର୍ଷ ପରେ ପଂଚାୟତ ନିର୍ବାଚନକୁ ଆଖିରେ ରଖି ଏହି ବୃହତ୍ ଉଠାଜଳସେଚନ ଯୋଜନାରେ ଆସନ୍ତା ୫ବର୍ଷ ମଧ୍ୟରେ ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ୨ଲକ୍ଷ ୬୩ହଜାର ୮୦୧ ହେକ୍ଟର ଢିପ ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୧୦୭୫୯.୨୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ତେବେ ୫ବର୍ଷ ପୁରୁଣା ଯୋଜନା ପାଇଁ ବଜେଟରେ ସରକାର ଚାହିଁଥିଲେ ଅର୍ଥବରାଦ କରିପାରିଥାନ୍ତେ । ୨୦୨୧-୨୨ ମୂଳ ବଜେଟରେ ଏହି ଯୋଜନାରେ ମାତ୍ର ୮୬୦କୋଟି ଟଙ୍କା ବ୍ୟୟବରାଦ ହୋଇଛି । ତେବେ ଏହାକୁ କ୍ୟାବିନେଟର ମଞ୍ଜୁରୀ ପାଇଁ ଆଗତ କରି ବିଜେଡି ସରକାର ପଂଚାୟତ ନିର୍ବାଚନରେ ବାହାବା ନେବାକୁ ପ୍ରୟାସ କରିଛନ୍ତି।

ସେହିପରି ୨୦୧୪-୧୫ରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ବିଜେଡି ସରକାର ଅତୀତରେ ଅର୍ଥାଭାବ ଦେଖାଇ ଏହି ଯୋଜନାରେ ଅର୍ଥ ମଞ୍ଜୁର କରିବା ବନ୍ଦ କରିଦେଇଥିଲେ । ଏବେ ପଂଚାୟତ ନିର୍ବାଚନକୁ ଆଖିରେ ରଖି ଏହି ଯୋଜନାରେ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ କରାଇଛନ୍ତି । କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ପଂଚାୟତିରାଜ ବିଭାଗରୁ ଆସିଥିବା ୩୫୦ଟି ରାସ୍ତାର ଉନ୍ନତିକରଣ, ପୂର୍ବରୁ କାର୍ଯ୍ୟ ଚାଲିଥିବା ୧୫୭ଟି ରାସ୍ତା ଓ ନକ୍ସଲ ଉପଦ୍ରୁତ ଅଂଚଳରେ ୩୭ଟି ନୂଆ ରାସ୍ତା ନିର୍ମାଣ କରାଯିବ । ଏସବୁ ରାସ୍ତାକୁ ୫.୫ ମିଟର କରାଯିବ ତଥା ଆଗାମୀ ୩ବର୍ଷ ମଧ୍ୟରେ ୨୦୨୪ ମାର୍ଚ୍ଚ ସୁଦ୍ଧା ୨୦୦୦କୋଟି ଟଙ୍କା ବିନିମୟରେ ସମ୍ପୂର୍ଣ୍ଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ପୁରୁଣା ଯୋଜନା ପାଇଁ ଅର୍ଥବରାଦ ନିମନ୍ତେ କ୍ୟାବିନେଟକୁ ଆସିବାର ଆଇନଗତ ଆବଶ୍ୟକତା କ’ଣ ରହିଛି ତାହା ବୁଝାପଡ଼ିନି । ୨୦୨୧-୨୨ ଆର୍ଥିକ ବର୍ଷର ମୂଳବଜେଟରେ ଏହି ଯୋଜନାରେ ମାତ୍ର ୩୦୦କୋଟି ଟଙ୍କା ବ୍ୟୟବରାଦ ଅଛି ।

ସେହିପରି ‘ବିଜୁ ସେତୁ’ ଯୋଜନାରେ ଆଗାମୀ ୩ବର୍ଷ ମଧ୍ୟରେ ୫୧୮୨କୋଟି ଟଙ୍କାରେ ୫୫୦ଟି ନୂଆ ବ୍ରିଜ୍ ଓ ନିର୍ମାଣାଧୀନ ୩୯୬ଟି ବ୍ରିଜ୍ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅବଶ୍ୟ ୨୦୨୧-୨୨ ଆର୍ଥିକ ବର୍ଷର ମୂଳବଜେଟରେ ଏହି ଯୋଜନା ପାଇଁ ୯୧୨କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ଯୋଜନାକୁ ୨୦୧୧-୧୨ରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ।

ସେହିପରି ୨୦୧୮ ଜୁନରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପାଇଁ ଆଗାମୀ ୫ବର୍ଷରେ ୪୮୪.୧୦କୋଟି ଟଙ୍କା ବ୍ୟୟ କରାଯିବ । ରାଜ୍ୟ କ୍ୟାବିନେଟ ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ମାଧ୍ୟମରେ ରାଜ୍ୟରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି ହେବ ଓ କୃଷି କ୍ଷେତ୍ରରେ ଦ୍ରୁତ ଆଧୁନିକୀକରଣ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏହାବ୍ୟତୀତ ପ୍ରାୟ ୧୮୦୦କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ମଧ୍ୟ ଅନୁମୋଦନ କରିଛନ୍ତି । ସେହିପରି ଓଡ଼ିଶା ଆର୍ଟିସାନ ଗ୍ରେଡ୍ ଷ୍ଟୋନ ପଲିସି-୨୦୨୧ ପ୍ରଚଳନକୁ ମଧ୍ୟ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି । ଏହି ନୀତି କାରିଗର ଗ୍ରେଡ୍ ପଥରର ଚାହିଦା ଯୋଗାଣ ଆକଳନ, ପଥର ଉତ୍ସ ଚୟନ କରିବା, ପଥରର ଉତ୍ତୋଳନ, ସଠିକ୍ ଯୋଗାଣ ତଥା ଏହାର ବ୍ୟବହାରକୁ ତଦାରଖ କରିବା ନିମନ୍ତେ ସହାୟକ ହେବ । ଏହି ନୀତି ରାଜ୍ୟରେ ବେଆଇନ କାରିଗର ଗ୍ରେଡ୍ ପଥର ଖନନକୁ ରୋକିବାରେ ସହାୟକ ହେବା ସହ କାରିଗରମାନଙ୍କୁ ସେମାନଙ୍କୁ ପରମ୍ପରା ଜାରି ରଖିବାରେ ପ୍ରେରଣାଦାୟୀ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos