୧୬ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୋଟ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି। ବିଧାନସଭା ଅଧିବେଶନ ଚାଲିଥିବାରୁ କ୍ୟାବିନେଟ୍ ବୈଠକ ସମ୍ପର୍କରେ ଆନୁଷ୍ଠାନିକ ଭାବେ କେହି କିଛି କହିନାହାନ୍ତି। ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସର୍ବାଧିକ ୫ଟି ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ମୋହର ଲଗାଇଛନ୍ତି। ଏଥିରେ ଗୋବର୍ଦ୍ଧନ ପୀଠକୁ ଶ୍ରୀମନ୍ଦିର […]

secretariat-odisha

Tapas Behera
  • Published: Saturday, 27 July 2019
  • , Updated: 27 July 2019, 10:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୋଟ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି। ବିଧାନସଭା ଅଧିବେଶନ ଚାଲିଥିବାରୁ କ୍ୟାବିନେଟ୍ ବୈଠକ ସମ୍ପର୍କରେ ଆନୁଷ୍ଠାନିକ ଭାବେ କେହି କିଛି କହିନାହାନ୍ତି।

ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସର୍ବାଧିକ ୫ଟି ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ମୋହର ଲଗାଇଛନ୍ତି। ଏଥିରେ ଗୋବର୍ଦ୍ଧନ ପୀଠକୁ ଶ୍ରୀମନ୍ଦିର ପ୍ରଶାସନର ଜମି ହସ୍ତାନ୍ତର ନିମନ୍ତେ ଆବଶ୍ୟକ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯାଇଛି। ଏହି ଷ୍ଟାମ୍ପ ଡ୍ୟୁଟି ବାବଦରେ ପ୍ରାୟ ଦେଢ କୋଟି ଟଙ୍କା ଛାଡ଼ ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏହା ସହିତ ଟାଟାର ଏକ ପ୍ରକଳ୍ପକୁ ସରକାରୀ ଜମି ଆବଣ୍ଟନ ଓ ଢେଙ୍କାନାଳରେ ଏକ ସରକାରୀ ଜମିକୁ ମଧ୍ୟ ହସ୍ତାନ୍ତର ପାଇଁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି।

ସେହିପରି ପଞ୍ଚାୟତିରାଜ ବିଭାଗର ୩ଟି ଟେଣ୍ଡର ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ନବରଙ୍ଗପୁର କୋଷାଗୁମୁଡ଼ା ଓ ବ୍ରହ୍ମଗିରି ବ୍ଲକ ସମେତ ମୋଟ ୩ଟି ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ସେହିପରି ଉଚ୍ଚଶିକ୍ଷା ବିଭାଗର ୨ଟି ପ୍ରସ୍ତାବ ଯଥା ଏସିଆନ୍ ସ୍କୁଲ ଅଫ୍ ବିଜନେସ ମ୍ୟାନେଜମେଣ୍ଟ(ଏଏସବିଏମ)କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ଆବଶ୍ୟକ ଆଇନ ପ୍ରଣୟନ ନିମନ୍ତେ ଚିଠା ବିଲ୍ ଏବଂ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।

ସେହିପରି ଗୃହ ବିଭାଗର ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବାବେଳେ ଏସବୁ କ୍ୟାଡର ସଂଶୋଧନ ସଂକ୍ରାନ୍ତ ବୋଲି ଜଣାପଡ଼ିଛି। ସେହିପରି ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ନିଯୁକ୍ତିକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିବାବେଳେ ପୁଲିସ ଡିଜି ଆର.ପି.ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ଉପରେ କ୍ୟାବିନେଟ୍ ମୋହର ଲଗାଇଛନ୍ତି। ଉଲ୍ଲେଖଯୋଗ୍ୟ ଆଜି କ୍ୟାବିନେଟରେ ପ୍ରଥମେ ୧୧ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ଥିବାବେଳେ ପରବର୍ତ୍ତୀ ସମୟରେ ଆଉ ୫ଟି ପ୍ରସ୍ତାବକୁ ଏଥିରେ ସାମିଲ କରାଯାଇଥିଲା। ସମସ୍ତ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି।

Related story