ସୁଶାନ୍ତ ନାଥଙ୍କୁ କେନ୍ଦ୍ରରେ ନିଯୁକ୍ତି, ଏଣେ ନିଯୁକ୍ତି ଅପେକ୍ଷାରେ ୫ ଆଇପିଏସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୯୩ ବ୍ୟାଚ୍ ଆଇପିଏସ ସୁଶାନ୍ତ କୁମାର ନାଥଙ୍କୁ ବିଏସଏଫ୍ ଆଇଜି ଭାବେ ନିଯୁକ୍ତି ମିଳିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ରାଜ୍ୟ ସରକାରକୁ ଅବଗତ କରାଯିବା ସହ ତାଙ୍କୁ ରିଲିଭ୍ କରିବା ନିମନ୍ତେ କୁହାଯାଇଛି। ଏପଟେ କେନ୍ଦ୍ରରୁ ଡେପୁଟେସନ ସାରି ଫେରିଥିବା ଓଡ଼ିଶା କ୍ୟାଡ଼ରର ୫ଜଣ ବରିଷ୍ଠ ଆଇପିଏସଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁସଚିବ ଅଞ୍ଜନ ସର୍କାର ଆଜି […]

susant

Manoranjan Sial
  • Published: Monday, 21 September 2020
  • , Updated: 21 September 2020, 10:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୯୩ ବ୍ୟାଚ୍ ଆଇପିଏସ ସୁଶାନ୍ତ କୁମାର ନାଥଙ୍କୁ ବିଏସଏଫ୍ ଆଇଜି ଭାବେ ନିଯୁକ୍ତି ମିଳିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ରାଜ୍ୟ ସରକାରକୁ ଅବଗତ କରାଯିବା ସହ ତାଙ୍କୁ ରିଲିଭ୍ କରିବା ନିମନ୍ତେ କୁହାଯାଇଛି। ଏପଟେ କେନ୍ଦ୍ରରୁ ଡେପୁଟେସନ ସାରି ଫେରିଥିବା ଓଡ଼ିଶା କ୍ୟାଡ଼ରର ୫ଜଣ ବରିଷ୍ଠ ଆଇପିଏସଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁସଚିବ ଅଞ୍ଜନ ସର୍କାର ଆଜି ରାଜ୍ୟ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ଚିଠି ଲେଖି ଆଇପିଏସ୍ ସୁଶାନ୍ତ କୁମାର ନାଥଙ୍କୁ ବିଏସଏଫ ଆଇଜି ଭାବେ ନିଯୁକ୍ତି ମିଳିଥିବା ସମ୍ପର୍କରେ ଅବଗତ କରାଇଛନ୍ତି। ତାଙ୍କୁ ଦାୟିତ୍ୱ ନେବା ଦିନଠୁ ୫ବର୍ଷ କେନ୍ଦ୍ରୀୟ ଡେପୁଟେସନରେ ରହିବେ, ତେଣୁ ତାଙ୍କୁ ରିଲିଭ୍ କଲେ ସେ କେନ୍ଦ୍ର ସରକାରଙ୍କ ଅଧୀନରେ ତାଙ୍କ ନୂଆ ଦାୟିତ୍ୱ ଗ୍ରହଣ କରିବେ ବୋଲି କହିଛନ୍ତି। ଏପଟେ କେନ୍ଦ୍ର ସରକାରରୁ ଡେପୁଟେସନରୁ ଫେରିଥିବା ଓଡ଼ିଶା କ୍ୟାଡ଼ରର ୪ ବରିଷ୍ଠ ଆଇପିଏସ୍ ଓ କ୍ୟାଡ଼ର ପରିବର୍ତ୍ତନ କରିଥିବା ଜଣେ ଆଇପିଏସଙ୍କୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ନିଯୁକ୍ତି ଦେବାରେ ସକ୍ଷମ ହୋଇପାରିନଥିବା ଜଣାପଡ଼ିଛି।

୨୦୧୩ ବ୍ୟାଚ୍ ପଶ୍ଚିମବଙ୍ଗ କ୍ୟାଡ଼ର ଆଇପିଏସ୍ ଭି. ଲୋଗାନାୟାଗୀ ଦିବ୍ୟା ଜୁଲାଇ ୩୦ତାରିଖରୁ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଛନ୍ତି। ସେ ନିଜର କ୍ୟାଡ଼ର ପରିବର୍ତ୍ତନ କରି ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ କୌଣସି ନୂଆ ଦାୟିତ୍ୱ(ନିଯୁକ୍ତି) ମିଳିନାହିଁ। ଶ୍ରୀମତୀ ଦିବ୍ୟା ଓଡ଼ିଶା କ୍ୟାଡ଼ରର ୨୦୧୩ ବ୍ୟାଚ୍ ଆଇପିଏସ୍ ରାହୁଲ ପିଆରଙ୍କୁ ବିବାହ କରିଥିବାରୁ ସେ ନିଜର କ୍ୟାଡ଼ର ପରିବର୍ତ୍ତନ କରିଛନ୍ତି। ସେହିପରି ୫ବର୍ଷିଆ କେନ୍ଦ୍ରୀୟ ଡେପୁଟେସନ ଅବଧି ସରିବା ପୂର୍ବରୁ ରାଜ୍ୟକୁ ଫେରିଥିବା ୧୯୯୫ ବ୍ୟାଚ୍ ଆଇପିଏସ ରୀତୁ ଅରୋରା ଏବେ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି। ଶ୍ରୀମତୀ ଅରୋରା ୨୦୧୬ ଏପ୍ରିଲ ମାସରେ କେନ୍ଦ୍ରୀୟ ଡେପୁଟେସନରେ ଯୋଗ ଦେଇଥିଲେ। ଏଡିଜି ପାହ୍ୟାର ଅଫିସର ଶ୍ରୀମତୀ ଅରୋରାଙ୍କ ସ୍ୱାମୀ ବିଜୟ ଅରୋରା ରାଜ୍ୟ ପବ୍ଲିକ ଏଣ୍ଟରପ୍ରାଇଜେସ୍ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

ସେହିପରି ୨୦୦୩ ବ୍ୟାଚ୍ ଆଇପିଏସ୍ ହିମାଂଶୁ ଲାଲ ମଧ୍ୟ ନିଯୁକ୍ତି ଅପେକ୍ଷାରେ ଅଛନ୍ତି। ଆଇଜି ପାହ୍ୟାର ଏହି ଅଫିସରଙ୍କର ଗୁଇନ୍ଦା ସଂସ୍ଥା ‘ର’ରେ ନିଯୁକ୍ତି କନଫର୍ମ ନହେବାରୁ କେନ୍ଦ୍ର ସରକାର ତାଙ୍କୁ ରାଜ୍ୟକୁ ଫେରାଇ ଦେଇଛନ୍ତି। ସେ ଦୁଇ ସପ୍ତାହ ହେଲା ରାଜ୍ୟ ସରକାରରେ ଯୋଗ ଦେଇ ନିଯୁକ୍ତି ଅପେକ୍ଷା ରହିଛନ୍ତି।

ସେହିପରି ୨୦୦୮ ବ୍ୟାଚ୍ ଆଇପିଏସ ସତ୍ୟଜିତ୍ ନାଏକ ୨୦୧୯ ଫେବୃୟାରୀରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ଏନଆଇଏ ଏସପି ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ୫ବର୍ଷିଆ ଅବଧି ସରିବା ପୂର୍ବରୁ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ରାଜ୍ୟକୁ ଫେରାଇ ଦେଇଥିବାବେଳେ ସେ ମଧ୍ୟ ପ୍ରାୟ ୧୫ଦିନ ହେଲା ଗୃହ ବିଭାଗରେ ଯୋଗ ଦେଇ ବସି ରହିଛନ୍ତି।

ସେହିପରି ୧୯୯୪ ବ୍ୟାଚ ଆଇପିଏସ ଯଶବନ୍ତ ଜେଠୁୱାଙ୍କର ୫ବର୍ଷିଆ କେନ୍ଦ୍ରୀୟ ଡେପୁଟେସନ ଅବଧି ଜୁନ ମାସରୁ ଶେଷ ହୋଇସାରିଛି। କେନ୍ଦ୍ର ସରକାର ତାଙ୍କର ନିଯୁକ୍ତି ଅବଧି ସମ୍ପ୍ରସାରଣ କରିନଥିବାବେଳେ ସେ ରାଜ୍ୟକୁ ଫେରିଥିବା ଜଣାପଡ଼ିଛି। ଏଡିଜି ପାହ୍ୟାର ଏହି ଅଫିସରଙ୍କୁ ମଧ୍ୟ ଏବେ ନିଯୁକ୍ତି ଅପେକ୍ଷାରେ ରହିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଏହି ଆଇପିଏସ ଅଫିସରମାନଙ୍କ ନିଯୁକ୍ତି ସଂକ୍ରାନ୍ତ ଫାଇଲ୍ ଏବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଅପେକ୍ଷାରେ ତୃତୀୟ ମହଲାରେ ପଡ଼ି ରହିଛି। ରାଜ୍ୟରେ ପୁଲିସ ଅଫିସରଙ୍କ ଅଭାବ ଥିବାବେଳେ ଆଇପିଏସ ଅଫିସରମାନଙ୍କୁ ନିଯୁକ୍ତି ନଦେଇ କେବଳ ରାଜକୋଷରୁ ଦରମା ଦେବା କେତେ ଯୁକ୍ତିଯୁକ୍ତ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି।

Related story