ଡ୍ରାଇଭଙ୍କ କବଜାରେ ରାଜଧାନୀ, ପଦାରେ ପଡ଼ିଲା ଟ୍ରାଫିକ୍ ପୁଲିସର ଅପାରଗତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ୧୧ ଦଫା ଦାବି ନେଇ ଆଜି ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛି ଓଡ଼ିଶା ଡ୍ରାଇଭର ମହାସଂଘ । ଆଜି ଭୋରରୁ ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକ ଓଡ଼ିଶା ଡ୍ରାଇଭର ମହାସଂଘର କବଜାରେ ରହିଥିଲା । ଯାହାକି ପରୋକ୍ଷରେ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୁଲିସର ପାରିବାପଣିଆ ଓ ଟ୍ରାଫିକ୍ ବନ୍ଦୋବସ୍ତର ନଗ୍ନ ଚିତ୍ର ପଦାରେ ପକାଇଛି । ପରିସ୍ଥିତି ଏପରି ହୋଇଛି ଯେ, ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକକୁ ସଂଯୋଗ କରୁଥିବା ସବୁ ମୁଖ୍ୟ ରାସ୍ତାଗୁଡ଼ିକରେ ଚଳପ୍ରଚଳ […]

Driver-protest

Ordigital Desk
  • Published: Monday, 18 April 2022
  • , Updated: 19 April 2022, 02:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ୧୧ ଦଫା ଦାବି ନେଇ ଆଜି ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛି ଓଡ଼ିଶା ଡ୍ରାଇଭର ମହାସଂଘ । ଆଜି ଭୋରରୁ ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକ ଓଡ଼ିଶା ଡ୍ରାଇଭର ମହାସଂଘର କବଜାରେ ରହିଥିଲା । ଯାହାକି ପରୋକ୍ଷରେ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୁଲିସର ପାରିବାପଣିଆ ଓ ଟ୍ରାଫିକ୍ ବନ୍ଦୋବସ୍ତର ନଗ୍ନ ଚିତ୍ର ପଦାରେ ପକାଇଛି । ପରିସ୍ଥିତି ଏପରି ହୋଇଛି ଯେ, ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକକୁ ସଂଯୋଗ କରୁଥିବା ସବୁ ମୁଖ୍ୟ ରାସ୍ତାଗୁଡ଼ିକରେ ଚଳପ୍ରଚଳ ଏକରକମ୍ ଠପ୍ ହୋଇଯାଇଥିଲା । ଭୁବନେଶ୍ୱର ସହରର ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜଣେ ଏସପି ପାହ୍ୟାର ଅଫିସରଙ୍କୁ ସ୍ୱତନ୍ତ୍ର ଭାବେ ନିଯୁକ୍ତି ହୋଇଥିଲେ ମଧ୍ୟ ରାଜଧାନୀର ପ୍ରମୁଖ ରାଜରାସ୍ତାରେ ଚଳପ୍ରଚଳ ସ୍ୱାଭାବିକ ନିମନ୍ତେ ସତେ ଯେପରି କିଛି ବି ଆକ୍ସନ୍ ପ୍ଲାନ୍ କି ପୂର୍ବ ପ୍ରସ୍ତୁତି ନଥିବା ଜଳଜଳ ହୋଇ ବାରିହୋଇ ପଡ଼ିଛି ।

ସୂଚନା ଅନୁସାରେ, ଆଜି ସୋମବାର ଭୋର ୫ଟାରୁ ରାଜଧାନୀର ପ୍ରମୁଖ ରାସ୍ତା ଯଥା- ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍ ଦେଇ ରାମମନ୍ଦିର ଛକ, ବିଧାନସଭା ସମ୍ମୁଖ ଟ୍ରାଫିକ ଛକରୁ ୪ ନମ୍ବର ଟ୍ରାଫିକ୍ ଛକ, ରାମମନ୍ଦିର ଛକରୁ ବିଗବଜାର ଫ୍ଲାଇଓଭର ଓ ରାମମନ୍ଦିରରୁ ରୂପାଲି ଛକ ପର୍ଯ୍ୟନ୍ତ ସ୍ମାର୍ଟସିଟିର ଏହି ରାସ୍ତାଗୁଡ଼ିକ ସାଧାରଣ ଲୋକଙ୍କ ପାଇଁ ଚଳପ୍ରଚଳ ଏକପ୍ରକାର ଠପ୍ ହୋଇଯାଇଥିଲା । ରାଜଧାନୀ ଭୁବନେଶ୍ୱରରେ ଶହ ଶହ ଟ୍ରାଫିକ୍ ପୁଲିସ ଥାଇ ମଧ୍ୟ ଆନ୍ଦୋଳନ କରିବାକୁ ଆସିଥିବା ଡ୍ରାଇଭରଙ୍କ କବଳରୁ ରାସ୍ତାକୁ ସୁରକ୍ଷିତ ରଖି ସାଧାରଣ ଲୋକଙ୍କ ଚଳପ୍ରଚଳ ସ୍ୱାଭାବିକ କରିବା ନିମନ୍ତେ କୌଣସି ପୂର୍ବପ୍ରସ୍ତୁତି କିମ୍ବା ମାଷ୍ଟରପ୍ଲାନ୍ ମଧ୍ୟ ନଥିଲା ।

ଯଦିଓ ଡ୍ରାଇଭର ମହାସଂଘର ଆନ୍ଦୋଳନ ଡାକରା ପୂର୍ବରୁ ସ୍ଥିରୀକୃତ ଥିଲା ଓ କମିଶନରେଟ ପୁଲିସର ଜାଣତରେ ହୋଇଥିଲା ତଥାପି ରାଜଧାନୀର ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଗାଡ଼ିମୋଟର ଚଳପ୍ରଚଳକୁ ସ୍ୱାଭାବିକ କରିବା ନିମନ୍ତେ ଟ୍ରାଫିକ ପୁଲିସ ତତ୍ପରତା ଦେଖାଇ ନଥିଲା । ହାତରେ ଗୋଟିଏ ଲେଖାଏଁ ବାଡ଼ି ଧରି ଆନ୍ଦୋଳନକୁ ଓହ୍ଲାଇଥିବା ଏହି ଡ୍ରାଇଭରମାନେ ସ୍ମାର୍ଟସିଟିର ରାସ୍ତାକୁ ଏଭଳି କବଜା କରିଥିଲେ ଯେ, ରେଳଷ୍ଟେସନ ଓ ଏୟାରପୋର୍ଟକୁ ଆସୁଥିବା ଯାତ୍ରୀ ଏପରିକି ଆମ୍ବୁଲାନ୍ସ ମଧ୍ୟ ଯିବା ପାଇଁ ନାକେଦମ ହେବାକୁ ପଡ଼ିଥିଲା । ଘଣ୍ଟାଘଣ୍ଟା ଧରି ଗାଡ଼ି ଆଗକୁ ବଢ଼ୁନଥିଲା । ଏପରିକି ସ୍କୁଲ ଯିବାଆସିବା କରୁଥିବା କୋମଳମତି ଛାତ୍ରଛାତ୍ରୀଙ୍କୁ ବି ଏଭଳି ହଇରାଣର ସମ୍ମୁଖୀନ ହେବାକୁ ପଡ଼ିଥିବା ଦେଖିବାକୁ ମିଳିଛି । ପୁଲିସ କେବଳ ଦେଖଣାହାରୀ ହୋଇ ଚାହିଁ ରହିଥିଲା ।

ଭୁବନେଶ୍ୱର ସ୍ମାର୍ଟସିଟିରେ ସାଧାରଣ ଲୋକଙ୍କ ଚଳପ୍ରଚଳ ପାଇଁ ଟ୍ରାଫିକକୁ ସ୍ୱାଭାବିକ କରିବା ଦାୟିତ୍ୱ କମିଶନରେଟ ପୁଲିସର । ଭିଡ଼ଓ ଟ୍ରାଫିକ ନିୟନ୍ତ୍ରଣକୁ ନେଇ କୌଣସି ସମସ୍ୟା ରହିଲେ ତା’ର ତ୍ୱରିତ୍ ପ୍ଲାନ କରି ଟ୍ରାଫିକକୁ ସ୍ୱାଭାବିକ କରିବା ନିମନ୍ତେ ସ୍ମାର୍ଟସିଟିର ଟ୍ରାଫିକ ପୁଲିସ ପାଖରେ ଆବଶ୍ୟକ ରଣନୀତି ରହିବା ଉଚିତ୍ । କିନ୍ତୁ ଆଜି ଏସବୁ କିଛି ବି ଦେଖିବାକୁ ମିଳିନଥିଲା । ସବୁଠୁ ବଡ଼ କଥା ହେଲା, ଓଡ଼ିଶା ଡ୍ରାଇଭର ମହାସଂଘ ବ୍ୟାନରରେ ରାଜ୍ୟର ବିଭିନ୍ନ ବ୍ଲକରୁ କେତେ ଡ୍ରାଇଭର ଆସିବେ ତା’ର ସଠିକ୍ ଆକଳନ କରିବାରେ କମିଶନରେଟ ପୁଲିସ ବିଫଳ ହୋଇଛି । ଆଜି ପ୍ରାୟ ୨୦ରୁ ୩୦ହଜାର ଡ୍ରାଇଭର ଆସିବେ ବୋଲି ପୁଲିସର ଆକଳନ ଥିବାବେଳେ ଏହି ସଂଖ୍ୟା ତା’ଠୁ ଦୁଇଗୁଣ ଥିବା ଜଣାପଡ଼ିଛି ।

ପ୍ରଶ୍ନ ଉଠୁଛି, ସବୁ ପ୍ରକାରର ପୂର୍ବ ସୂଚନା ଥାଇ ମଧ୍ୟ ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁ ରାଜଧାନୀରେ ଆଜି ଟ୍ରାଫିକ ଅଚଳ ହେଲା କିପରି ? କାହିଁକି ଟ୍ରାଫିକ ନିୟନ୍ତ୍ରଣ ଓ ଭିଡ଼କୁ ସୁବ୍ୟବସ୍ଥିତ କରିବା ପାଇଁ କୌଣସି ଏମର୍ଜେନ୍ସି ପ୍ଲାନ୍ କରିବାରେ ପୁଲିସ ବିଫଳ ହେଲା । କାହିଁକି ରାଜଧାନୀର ସାଧାରଣ ଲୋକେ, ସ୍କୁଲ ଯାଉଥିବା ପିଲାମାନେ ଏତେ ହନ୍ତସନ୍ତ ହେଲେ? ଏସବୁ ପାଇଁ କିଏ ଦାୟୀ । ସ୍ମାର୍ଟସିଟିର ସ୍ମାର୍ଟ ଟ୍ରାଫିକ ପୁଲିସ ନା ଆଉ କିଏ?

Related story