ନବୀନ ନନ୍ଦ ନିଖୋଜ ଘଟଣା: ପକେଟ୍‌ମାର ହୋଇଥିଲା ନା ସେକ୍ସ ଆଡ୍ଡାରୁ ଧରାପଡ଼ିଥିଲେ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଲକାତା ଯାଇ ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ହୋଇଯାଇଥିବା ଗତକାଲି ଚର୍ଚ୍ଚାରେ ରହିଥିଲା। ଏନେଇ ତାଙ୍କ ପୁଅ ସମ୍ବିତ ସୂଚନା ଦେବା ସହ ସେ ବାପାଙ୍କୁ ଖୋଜିବାକୁ କୋଲକାତା ଯାଇଥିବା କହିଥିଲେ। ଏହାର କିଛି ଘଣ୍ଟା ପରେ ନବୀନ ନନ୍ଦ ମିଳି ଯାଇଥିବା ଓ ସେ ପକେଟ୍‌ମାର୍‌ର ଶିକାର ହୋଇଥିବା ସୂଚନା ଆସିଥିଲା। ନିଜେ ନବୀନ ଏନେ ସଫେଇ ଦେଇଥିଲେ। ହେଲେ ଏକ ଗଣମାଧ୍ୟମରେ ନବୀନଙ୍କୁ ନେଇ ତଥ୍ୟ ପ୍ରକାଶ ପାଇଛି […]

NAVEEN

Rakesh Mallick
  • Published: Monday, 02 July 2018
  • , Updated: 02 July 2018, 12:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଲକାତା ଯାଇ ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ହୋଇଯାଇଥିବା ଗତକାଲି ଚର୍ଚ୍ଚାରେ ରହିଥିଲା। ଏନେଇ ତାଙ୍କ ପୁଅ ସମ୍ବିତ ସୂଚନା ଦେବା ସହ ସେ ବାପାଙ୍କୁ ଖୋଜିବାକୁ କୋଲକାତା ଯାଇଥିବା କହିଥିଲେ। ଏହାର କିଛି ଘଣ୍ଟା ପରେ ନବୀନ ନନ୍ଦ ମିଳି ଯାଇଥିବା ଓ ସେ ପକେଟ୍‌ମାର୍‌ର ଶିକାର ହୋଇଥିବା ସୂଚନା ଆସିଥିଲା। ନିଜେ ନବୀନ ଏନେ ସଫେଇ ଦେଇଥିଲେ। ହେଲେ ଏକ ଗଣମାଧ୍ୟମରେ ନବୀନଙ୍କୁ ନେଇ ତଥ୍ୟ ପ୍ରକାଶ ପାଇଛି ଯାହା ସମ୍ପୂର୍ଣ୍ଣ ଓଲଟା। ନବୀନ କୌଣସି ପକେଟ୍‌ମାର୍‌ର ଶିକାର ହୋଇ ନଥିଲେ ଏକ ସେକ୍ସ ରାକେଟ୍‌ରେ ଚଢାଉ ବେଳେ ପୋଲିସ ହାତରେ ଧରା ପଡିଥିବା ‘ପତ୍ରିକା’ ନାମକ ହିନ୍ଦି ଗଣମାଧ୍ୟମରେ ପ୍ରକାଶ ପାଇଛି।

ଉକ୍ତ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାର୍କ ଷ୍ଟ୍ରେଟ୍‌ର ଏକ ବ୍ୟୁଟି ପାର୍ଲରରେ ଦେହ ବ୍ୟବସାୟ ଚାଲିଥିବା ବେଳେ ଶନିବାର ରାତିରେ ବେନିୟାପୁକୁର ଥାନା ପୋଲିସ ଚଢାଉ କରିଥିଲା। ଏହି ସମୟରେ ଓଡ଼ିଶାର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ସମେତ ୧୮ ଜଣଙ୍କୁ ପୋଲିସ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ବ୍ୟୁଟି ପାର୍ଲର ମ୍ୟାନେଜର, ୫ ଦଲାଲ ଓ ୯ ଜଣ ଯୁବତୀ ଥିଲେ।

ଜାମିନ୍‌ରେ ଆସିଲେ

‘ପତ୍ରିକା’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ‘‘ଓଡ଼ିଶାର ପୂର୍ବତନ ବିଧାୟକ ନବୀନ ନନ୍ଦ ଶନିବାର ରାତିରେ ଏହି ଚଢାଉ ବେଳେ ଗିରଫ ହୋଇଥିଲେ। ରବିବାର ଦିନ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ତାଙ୍କୁ ଜାମିନ ମିଳିଯାଇଥିଲା।”

ଅଭିଯୋଗକୁ ନବୀନଙ୍କ ଖଣ୍ଡନ

ଏପରି ଅଭିଯୋଗକୁ ନବୀନ ଖଣ୍ଡନ କରିଛନ୍ତି। ସେ କହିଥିଲେ, “ଶନିବାର ରାତିରେ ବୁଲୁଥିବା ବେଳେ ମୋର ପକେଟ୍‌ମାର୍‌ ହୋଇଥିଲା। ପକେଟ୍‌ମାର୍‌ କରିଥିବା ବ୍ୟକ୍ତିଙ୍କ ପିଛା କରିଥିଲି। ସେ ଏକ ସ୍ପା’ରେ ପଶିଯାଇଥିଲେ। ମୁଁ ମଧ୍ୟ ଭିତରକୁ ଚାଲିଗଲି। ସେତେବେଳେ ପୋଲିସ ଉକ୍ତ ସ୍ପା’ରେ ଚଢାଉ କରୁଥିଲା। ଭୁଲରେ ମୋତେ ଗିରଫ କରିନେଲା।”

ଏନେଇ ଓଟିଭିକୁ ନବୀନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ଏହା ସମ୍ପୂର୍ଣ୍ଣ ମିଛ ଖବର। ଏନେଇ ମୁଁ ମୋ ଓକିଲଙ୍କ ସହ କଥା ହେଉଛି। ତା’ପରେ ଯାହା କିଛି ଆଇନଗତ ପଦକ୍ଷେପ ନେବି।”

ସୌଜନ୍ୟ: ପତ୍ରିକା

Related story