ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଓ ଦେଶର ସର୍ବାଧିକ ସଂକ୍ରମିତ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସାମିଲ ହୋଇଛି। ଏପରିକି ଓଡ଼ିଶା ସମେତ ଦେଶର ମୋଟ ୯ଟି ରାଜ୍ୟରେ ଏବେ ୭୪.୨ ପ୍ରତିଶତ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ରିପୋର୍ଟ ପରେ ଓଡ଼ିଶାରେ କରୋନା ସ୍ଥିତି ଦିନକୁ ଦିନ ଖରାପ ହେଉଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଦେଶର ୩ଟି ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଦେଶର ମୋଟ ୪୯ପ୍ରତିଶତ ସକ୍ରିୟ କରୋନା ସଂକ୍ରମିତ ଏବେ ରହିଥିବାବେଳେ ୫ଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା, ଆସାମ, ଓଡ଼ିଶା ଓ ଛତିଶଗଡ଼ରେ ବାକି ୨୫.୨% ସକ୍ରିୟ ସଂକ୍ରମିତ ଅଛନ୍ତି। ବାକି ୧୦ଟି ରାଜ୍ୟରେ ୨୧.୭% ସଂକ୍ରମିତ ଓ ଶେଷ ୧୬ଟି ରାଜ୍ୟରେ ୪.୧ ପ୍ରତିଶତ ସକ୍ରିୟ ସଂକ୍ରମିତ ରୋଗୀ ରହିଛନ୍ତି।
ତେବେ ପ୍ରଥମଥର ପାଇଁ ଆସାମକୁ ପଛରେ ପକାଇ ଓଡ଼ିଶାରେ ସର୍ବାଧିକ ସଂକ୍ରମିତ ୧୦ଟି ରାଜ୍ୟରେ ଓଡ଼ିଶା ସାମିଲ ହୋଇଛି। ରାଜ୍ୟରେ ଗତ ୩ସପ୍ତାହ ଧରି ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାବେଳେ ଆଜି ଗୋଟିଏ ଦିନରେ ୩୯୮୦ଟି ନୂଆ ମାମଲା ଚିହ୍ନଟ ହୋଇଛି ଓ ମୋଟ୍ ମୃତ୍ୟୁ ସଂଖ୍ୟା ୬୪୪ରେ ପହଂଚିଛି। ରାଜ୍ୟରେ ଆଜିସୁଦ୍ଧା ୩୩୧୮୨ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ଏହି ସଂଖ୍ୟା ତେଲେଙ୍ଗାନା, ବିହାର, ପଶ୍ଚିମବଙ୍ଗ ଭଳି ରାଜ୍ୟ ତୁଳନାରେ ବି ଅଧିକ ବୋଲି ଜଣାପଡ଼ିଛି। ରାଜ୍ୟରେ ଗତ ପ୍ରାୟ ୩ସପ୍ତାହ ହେଲା କୋଭିଡ୍ ନମୂନା ପରୀକ୍ଷା ବୃଦ୍ଧି ପାଉଥିବାବେଳେ ଏବେ ଦୈନିକ ୩ହଜାରରୁ ଅଧିକ ସଂକ୍ରମିତ ମାମଲା ଚିହ୍ନଟ ହେଉଛି। ଯାହାକି ଓଡ଼ିଶାକୁ ଦେଶର ସର୍ବାଧିକ ୧୦ ସଂକ୍ରମିତ ରାଜ୍ୟ ମଧ୍ୟରେ ସାମିଲ କରାଇଛି। ଓଡ଼ିଶାରେ ମୋଟ ଆଜିସୁଦ୍ଧା ୧,୩୯,୧୨୧ଜଣ ସଂକ୍ରମିତ ହୋଇଥିବାବେଳେ ସେଥିରୁ ୧ଲକ୍ଷ ୫ହଜାର ୨୯୫ଜଣ ସୁସ୍ଥ ହୋଇଛନ୍ତି।
ଅନ୍ୟପକ୍ଷରେ, ରାଜ୍ୟରେ ଏବେ ସର୍ବାଧିକ ସଂକ୍ରମିତ ସଂଖ୍ୟା ଜିଲ୍ଲା ଖୋର୍ଦ୍ଧା ପାଲଟିଛି। ଗଞ୍ଜାମ ଜିଲ୍ଲାକୁ ପଛରେ ପକାଇ ଖୋର୍ଦ୍ଧା ଏବେ ରାଜ୍ୟର ସର୍ବାଧିକ ସଂକ୍ରମିତ ରାଜ୍ୟ ପାଲଟିଥିବାବେଳେ ୮ଟି ଜିଲ୍ଲାରେ ୫ହଜାରୁ ଅଧିକ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ଆଜିସୁଦ୍ଧା ମୋଟ ୧୮୯୨୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ଏହି ସଂଖ୍ୟା ୨୪୦୧୯। ତୃତୀୟ ସ୍ଥାନରେ କଟକ ଜିଲ୍ଲା ରହିଛି ଯେଉଁଠି ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୯୧୧ ରହିଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଆଜିସୁଦ୍ଧା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୮୧୨ ଥିବାବେଳେ କଟକରେ ଏହା ୩୬୧୫, ପୁରୀରେ ୧୭୦୫, ଯାଜପୁରରେ ୧୫୦୨ ଓ ମୟୂରଭଞ୍ଜ ଜିଲ୍ଲାରେ ୧୬୬୧ ରହିଛି।