ସମବାୟ ନିର୍ବାଚନ କଣ୍ଟା: ବର୍ଷେ ପରେ ପୁଣି ମନେପଡ଼ିଲେ ଚାଷୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଉପର ଠାଉଣିଆ ଦରଦର ଆଉ ଏକ ନମୁନା ଏବେ ପଦାକୁ ଆସିଛି। କୃଷି ବଜେଟ୍, କୃଷି କ୍ୟାବିନେଟ୍ ଓ କାଳିଆ ଯୋଜନା ଆଣି ଚାଷୀଙ୍କ ପ୍ରତି ନିଜର ଉତ୍ତରଦାୟିତ୍ୱ ଓ ଦରଦର ବାହାବା ନେଉଥିବା ରାଜ୍ୟ ସରକାର ‘କୃଷକ କଲ୍ୟାଣ ପାଣ୍ଠି’ ଉପରେ ନିଆଯାଇଥିବା ସରକାରୀ ନିଷ୍ପତ୍ତିକୁ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଚାପି ରଖିବା ପରେ ଏବେ ବିଭାଗଗୁଡ଼ିକ ସେ ଦିଗରେ ଆବଶ୍ୟକ ପଦକ୍ଷେପ […]

kalia

Manoranjan Sial
  • Published: Wednesday, 09 October 2019
  • , Updated: 09 October 2019, 10:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଉପର ଠାଉଣିଆ ଦରଦର ଆଉ ଏକ ନମୁନା ଏବେ ପଦାକୁ ଆସିଛି। କୃଷି ବଜେଟ୍, କୃଷି କ୍ୟାବିନେଟ୍ ଓ କାଳିଆ ଯୋଜନା ଆଣି ଚାଷୀଙ୍କ ପ୍ରତି ନିଜର ଉତ୍ତରଦାୟିତ୍ୱ ଓ ଦରଦର ବାହାବା ନେଉଥିବା ରାଜ୍ୟ ସରକାର ‘କୃଷକ କଲ୍ୟାଣ ପାଣ୍ଠି’ ଉପରେ ନିଆଯାଇଥିବା ସରକାରୀ ନିଷ୍ପତ୍ତିକୁ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଚାପି ରଖିବା ପରେ ଏବେ ବିଭାଗଗୁଡ଼ିକ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଏହି କୃଷକ କଲ୍ୟାଣ ପାଣ୍ଠିରେ ଥିବା ୨୫୦କୋଟି ଟଙ୍କାରୁ ଏପର୍ଯ୍ୟନ୍ତ ଟଙ୍କାଟିଏ ଖର୍ଚ୍ଚ ହୋଇନଥିବାବେଳେ ସେହି ଅର୍ଥକୁ ଏବେ ‘କାଳିଆ’ ଯୋଜନା ସହ ସମ୍ମିଳିତ କରିଥିବାରୁ ‘କୃଷକ କଲ୍ୟାଣ ପାଣ୍ଠି’ ଯୋଜନା କାର୍ଯ୍ୟକାରିତାକୁ ନେଇ ସନ୍ଦେହ ଦେଖାଦେଇଛି। ଆଗକୁ ସମବାୟ ନିର୍ବାଚନ ଥିବାରୁ ଚାଷୀକୂଳକୁ ଖୁସି କରିବାକୁ ବର୍ଷେରୁ ଅଧିକ ଦିନ ଚାପି ରଖିଥିବା ନିଷ୍ପତ୍ତିକୁ ଏବେ କାର୍ଯ୍ୟକାରୀ କରିବାକୁ ଆଗ୍ରହ ଦେଖାଇଛନ୍ତି।

ସୂଚନା ଅନୁସାରେ, ପ୍ରାଇସ-ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଚାଷୀ ଆନ୍ଦୋଳନ ଓ ବିଧାନସଭାରେ ହୋ-ହାଲ୍ଲା ପରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ‘କୃଷକ କଲ୍ୟାଣ ପାଣ୍ଠି’ ପ୍ରସଙ୍ଗରେ ୨୦୧୮ ଅଗଷ୍ଟ ୪ତାରିଖରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ତେଲେଙ୍ଗାନା, କେରଳ, ବିହାର ଓ ତାମିଲନାଡୁରେ କୃଷକ ମାନଙ୍କୁ ଦିଆଯାଉଥିବା ସହାୟତା ଆଧାରରେ ରାଜ୍ୟ ସରକାର ଓଡ଼ିଶାର ଚାଷୀମାନଙ୍କ ପାଇଁ ‘କାଳିଆ’ ଯୋଜନା ଲାଗୁ କରିଥିବାବେଳେ ନିଜସ୍ୱ ନୂଆ ଯୋଜନା ‘କୃଷକ କଲ୍ୟାଣ ପାଣ୍ଠି’ ମାଧ୍ୟମରେ ସବୁ ବର୍ଗର କୃଷକଙ୍କ ପାଖରେ ସହାୟତା ଉପଲବ୍ଧ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୦୧୮-୧୯ ବଜେଟରେ ରାଜ୍ୟ ସରକାର ‘କୃଷକ କଲ୍ୟାଣ ପାଣ୍ଠି’ରେ ୨୫୦କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରିଥିଲେ। ମାତ୍ର ‘କାଳିଆ’ ଯୋଜନା ଲାଗୁ ହେବାପରେ ସରକାରଙ୍କ ଏହି କୃଷକ କଲ୍ୟାଣ ପାଣ୍ଠିର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ଦେଖାଦେଇଥିଲା। ମାତ୍ର ଏବେ ସମବାୟ ବିଭାଗ ପକ୍ଷରୁ ଏହି କୃଷକ କଲ୍ୟାଣ ପାଣ୍ଠି ପ୍ରସଙ୍ଗରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗତବର୍ଷ ଅଗଷ୍ଟ ୪ତାରିଖରେ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ପଦକ୍ଷେପ ନେବା ପାଇଁ ଆଜି ରାଜ୍ୟ ସମବାୟ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକର ତଥ୍ୟ ଅନୁସାରେ ରାଜ୍ୟରେ ପ୍ରାୟତଃ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରତିବର୍ଷ ୫୫ହଜାର କ୍ଷୁଦ୍ର,ନାମମାତ୍ର ଚାଷୀ ଓ ଭୂମିହୀନ ଶ୍ରମିକ ପ୍ରଭାବିତ ହେଉଥିବାବେଳେ ସେମାନେ ଫସଲ ବୀମାରେ ସାମିଲ ହୋଇପାରୁନାହାନ୍ତି। ସେହିପରି ଗ୍ରାମାଞ୍ଚଳରେ ଥିବା ୫୧.୮୪ଲକ୍ଷ କ୍ଷୁଦ୍ର ଚାଷୀଙ୍କ ମଧ୍ୟରୁ ପ୍ରତି ହଜାରେ ୮.୪ଜଣ ପ୍ରାଣ ହରାଉଥିବାବେଳେ ପ୍ରତିବର୍ଷ ପ୍ରାୟ ୪୮ରୁ ୫୦ହଜାର ଚାଷୀଙ୍କ ମୃତ୍ୟୁ ହେଉଛି। ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ‘ଆମ ଆଦମୀ ବୀମା ଯୋଜନା’ରେ ୧୮ରୁ ୬୦ବର୍ଷ ବୟସର ସମସ୍ତ ଚାଷୀଙ୍କୁ ବୀମାଭୁକ୍ତ ନିମନ୍ତେ ସମ୍ଭାବ୍ୟ ଦିଗ ଖୋଜିବା ପାଇଁ ପଦକ୍ଷେପ ନେବାକୁ ବିଭାଗକୁ କୁହାଯାଇଛି। କୃଷିଋଣ ନେଇଥିବା ଚାଷୀଙ୍କ ବୀମାଭୁକ୍ତ କରିବାର ମାର୍ଗ କୃଷି ବିଭାଗ ଓ ସମବାୟ ବିଭାଗ ମିଳିତ ଭାବେ ଅନ୍ୱେଷଣ କରିବେ। ସେହିପରି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେଭଳି ସାହୁକାରଙ୍କଠୁ ଋଣ ନନେବେ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ସହ ଭାଗଚାଷୀଙ୍କୁ ଋଣ ଦେବା ନିମନ୍ତେ ପ୍ରାବଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦୁଃସ୍ଥିତିରେ ଥିବା ଚାଷୀଙ୍କୁ ୨୦ହଜାର ଟଙ୍କା ଲେଖାଏ ସହାୟତା ଦେବା ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ଆବଶ୍ୟକ ଅର୍ଥ ଓ କ୍ଷମତା ଦେବାକୁ ସ୍ଥିର ହୋଇଛି । ବିଧିବଦ୍ଧ ଯାଞ୍ଚ ପରେ ଏହି ଅର୍ଥ ଦୁଃସ୍ଥିତିରେ ଥିବା ଚାଷୀଙ୍କୁ ଦିଆଯିବ। ସେହିପରି କୃଷକ ସାଥୀ, ପ୍ୟାକ୍ସ ଓ ଓଡ଼ିଶା ଜୀବିକାନିର୍ବାହ ମିଶନର କର୍ମଚାରୀମାନେ ନିୟମିତ ଭାବେ ଚାଷୀଙ୍କ ସହ ଯୋଗାଯୋଗ ରହି ସେମାନଙ୍କର ସମସ୍ୟା ପ୍ରତି ଅବଗତ ହେବା ସହ ତା’ର ସମାଧାନ ରାସ୍ତା ବାହାର କରିବେ। ଖରିଫ ଋତୁରେ ନିୟମିତ ଭାବେ ଚାଷ କ୍ଷତିଗ୍ରସ୍ତ ହେଉଥିବା ବ୍ଲକଗୁଡ଼ିକୁ ଚିହ୍ନଟ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା।

ତେବେ ପ୍ରଶ୍ନ ଉଠୁଛି, ଗତବର୍ଷ ଅଗଷ୍ଟ ମାସରେ ଚାଷୀଙ୍କ ପାଇଁ ରାଜ୍ୟ ସରକାର ନେଇଥିବା ଏସବୁ ନିଷ୍ପତ୍ତିକୁ ପ୍ରାୟ ବର୍ଷେରୁ ଅଧିକ ଦିନ ପରେ କାହିଁକି ପୁଣିଥରେ ମନେ ପକାଇ ତତ୍ପରତା ଦେଖାଇଲେ। ଚର୍ଚ୍ଚା ହେଉଛି, ‘କାଳିଆ’ ଯୋଜନାରେ ବହୁ ଯୋଗ୍ୟ ଚାଷୀ ଆବଶ୍ୟକ ସହାୟତା ଅର୍ଥ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଆଗକୁ ସମବାୟ ନିର୍ବାଚନ ଥିବାରୁ ଚାଷୀମାନଙ୍କ ବିରୋଧ ଆଶଙ୍କାରେ ପୁଣିଥରେ ଏହି ଦରଦ ଦେଖାଇଛନ୍ତି।

Related story