ଆସୁଛି ‘ଫୋନି’: ଆସନ୍ତାକାଲିଠୁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଫୋନି’ ପାଇଁ ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଅନ୍ୟାଦେଶ ପର୍ଯ୍ୟନ୍ତ  ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ। ଏଥିସହ ହେବାକୁ ଥିବା ପରୀକ୍ଷା ଗୁଡ଼ିକର ସମୟ ପରିବର୍ତ୍ତନ ହେବା ନେଇ ସୂଚନା ମିଳିଛି। ପ୍ରବଳ ଖରା ଯୋଗୁ ଏପ୍ରିଲ୍ ୧୮ ତାରିଖରୁ ସ୍କୁଲ୍‌ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ସତ୍ତ୍ୱେ କିଛି ସ୍କୁଲ୍ ଏଯାବତ ଛୁଟି ଘୋଷଣା କରି ନାହାନ୍ତି। ଏଣୁ ସେମାନଙ୍କୁ ନୋଟିସ୍ ଜାରି କରି ଶିକ୍ଷାନୁଷ୍ଠାନ […]

holiday

Jyoshna Pradhan
  • Published: Wednesday, 01 May 2019
  • , Updated: 01 May 2019, 09:30 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଫୋନି’ ପାଇଁ ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଅନ୍ୟାଦେଶ ପର୍ଯ୍ୟନ୍ତ  ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ। ଏଥିସହ ହେବାକୁ ଥିବା ପରୀକ୍ଷା ଗୁଡ଼ିକର ସମୟ ପରିବର୍ତ୍ତନ ହେବା ନେଇ ସୂଚନା ମିଳିଛି।

ପ୍ରବଳ ଖରା ଯୋଗୁ ଏପ୍ରିଲ୍ ୧୮ ତାରିଖରୁ ସ୍କୁଲ୍‌ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ସତ୍ତ୍ୱେ କିଛି ସ୍କୁଲ୍ ଏଯାବତ ଛୁଟି ଘୋଷଣା କରି ନାହାନ୍ତି। ଏଣୁ ସେମାନଙ୍କୁ ନୋଟିସ୍ ଜାରି କରି ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ସୂଚନାଯୋଗ୍ୟ,  ଆସନ୍ତାକାଲିଠାରୁ ରାଜ୍ୟରେ ସାମୁଦ୍ରିକ ଝଡ଼ ‘ଫୋନି’ର ପ୍ରଭାବ ଦେଖିବାକୁ ମିଳିବ। ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୮୫ କିମି ପର୍ଯ୍ୟନ୍ତ ବେଗରେ ପବନ ବହିବାର ଆଶଙ୍କା ରହିଛି। ୩ ତାରିଖ ଅପରାହ୍ନରେ ଗୋପାଳପୁରରୁ ଚାନ୍ଦିପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି।

ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଓ ରେଡ୍‌ ଆଲର୍ଟ ଜାରି କରିଛି। ୨ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ରାୟଗଡ଼ା ଓ କନ୍ଧମାଳରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ଏସବୁ ସ୍ଥାନରେ କୁଆ ପଥର ବର୍ଷାର ଆଶଙ୍କା ରହିଛି।

୩ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ସେହିପରି ୩ ତାରିଖରେ ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ରେ ହଳଦିଆ ୱାର୍ଣ୍ଣିଂ ଜାରି କରାଯାଇଛି। ଏଠାରେ ପାଗ ମେଘୁଆ ରହିବା ସହ କାଭାଁ ବର୍ଷା ହୋଇପାରେ।

୪ ତାରିଖରେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଅର୍ଥାତ୍‌ ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ସେହିପରି ୪ ତାରିଖରେ କଟକ, ଢେଙ୍କାନାଳ ଓ ଅନୁଗୁଳରେ ଅରେଞ୍ଜ୍‌ ଆଲର୍ଟ ଜାରି କରାଯାଇଛି। ଏଠାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

 

Related story