କୋଭିଡ୍ ହସ୍ପିଟାଲରେ ଶିଶୁଙ୍କ ପାଇଁ ୧୫% ବେଡ୍‌, ପିତାମାତା ରହିପାରିବେ ଆଟେଣ୍ଡାଣ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଲହରରେ ଶିଶୁମାନଙ୍କ ମଧ୍ୟରେ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ କୋଭିଡ୍ ସଂକ୍ରମିତ ଶିଶୁଙ୍କ ଚିକିତ୍ସାକୁ ନେଇ ଆଜି ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି କୋଭିଡ୍ ସଂକ୍ରମିତ ଶିଶୁଙ୍କ ପାଖରେ ହସ୍ପିଟାଲରେ ଆଟେଣ୍ଡାଣ୍ଟ ଭାବେ ପିତାମାତାଙ୍କ ମଧ୍ୟରୁ ଜଣେ କେହି ରହିପାରିବେ ବୋଲି ସରକାର ଅନୁମତି ଦେବା ସହ ପ୍ରତ୍ୟେକ କୋଭିଡ୍ ହସ୍ପିଟାଲରେ ସର୍ବନିମ୍ନ ୧୫ ପ୍ରତିଶତ ବେଡ୍ ଶିଶୁମାନଙ୍କ ପାଇଁ ସଂରକ୍ଷିତ ରହିବ ବୋଲି କହିଛନ୍ତି। […]

covid-child

Ordigital Desk
  • Published: Saturday, 22 May 2021
  • , Updated: 22 May 2021, 10:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଲହରରେ ଶିଶୁମାନଙ୍କ ମଧ୍ୟରେ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ କୋଭିଡ୍ ସଂକ୍ରମିତ ଶିଶୁଙ୍କ ଚିକିତ୍ସାକୁ ନେଇ ଆଜି ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି କୋଭିଡ୍ ସଂକ୍ରମିତ ଶିଶୁଙ୍କ ପାଖରେ ହସ୍ପିଟାଲରେ ଆଟେଣ୍ଡାଣ୍ଟ ଭାବେ ପିତାମାତାଙ୍କ ମଧ୍ୟରୁ ଜଣେ କେହି ରହିପାରିବେ ବୋଲି ସରକାର ଅନୁମତି ଦେବା ସହ ପ୍ରତ୍ୟେକ କୋଭିଡ୍ ହସ୍ପିଟାଲରେ ସର୍ବନିମ୍ନ ୧୫ ପ୍ରତିଶତ ବେଡ୍ ଶିଶୁମାନଙ୍କ ପାଇଁ ସଂରକ୍ଷିତ ରହିବ ବୋଲି କହିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲଟି କମିଶନର ଓ ସମସ୍ତ ସରକାରୀ ମେଡିକାଲ କଲେଜ ଏବଂ ଶିଶୁଭବନର ଅଧୀକ୍ଷକଙ୍କୁ ଚିଠି ଳେଖି ଦେଶର ବିଭିନ୍ନ ଭାଗରେ ଶିଶୁମାନଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ନେଇ ସତର୍କ କରାଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଶିଶୁମାନଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ମାମଲାର ମୁକାବିଲା ପାଇଁ ଏବେଠୁ ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ରାଜ୍ୟର ସମସ୍ତ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର ଓ କୋଭିଡ୍ ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ‘ଶିଶୁ କୋଭିଡ୍ ୱିଙ୍ଗ’ କାର୍ଯ୍ୟ କରିବ । କୋଭିଡ୍ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରର ଆଇସୋଲେସନ୍ ୱାର୍ଡ, ଡିଏଚୟୁ ଓ ଆଇସିୟୁରେ ୧୫ ପ୍ରତିଶତ ବେଡକୁ ଶିଶୁମାନଙ୍କ ଚିକିତ୍ସା ପାଇଁ ସଂରକ୍ଷିତ ରଖାଯିବ। ଏହି ବେଡ୍ ସଂଖ୍ୟା ଆବଶ୍ୟକତାକୁ ଦେଖି ପରବର୍ତ୍ତୀ ସମୟରେ ବୃଦ୍ଧି କରାଯାଇ ପାରିବ। ଏବେ ହସ୍ପିଟାଲରେ ଶିଶୁମାନଙ୍କ ପାଇଁ ଥିବା ଆଇସିୟୁରେ କୋଭିଡ୍‌-୧୯ ସଂକ୍ରମିତ ନବଜାତଙ୍କ ପାଇଁ ୟୁନିଟ୍ ସ୍ୱତନ୍ତ୍ର ଭାବେ ସଂରକ୍ଷିତ ରହିବ। ଯାହାକି ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ କରାଯିବ । ଏଥିପାଇଁ ଆବଶ୍ୟକ ପଡ଼ିଲେ ସମସ୍ତ ଚିକିତ୍ସା ଉପକରଣ ଆଦି ପାଇଁ ଓଡ଼ିଶା ଔଷଧ ନିଗମକୁ ଅର୍ଡର ଦିଆଯାଇପାରିବ।

କୋଭିଡ୍ ସଂକ୍ରମିତ ହୋଇଥିବା ଶିଶୁଙ୍କର ପିତାମାତାଙ୍କ ମଧ୍ୟରୁ କେହି ଜଣେ ହସ୍ପିଟାଲରେ ତାଙ୍କ ପିଲା ପାଖରେ ଆଟେଣ୍ଡାଣ୍ଟ ରହିପାରିବେ। ପ୍ରତ୍ୟେକ ସଂକ୍ରମିତ ଶିଶୁଙ୍କ ପାଇଁ କେସ୍ ଟୁ କେସ୍ ବିଚାର କରାଯିବ। ପିତାମାତାଙ୍କୁ ଏଥିପାଇଁ ହସ୍ପିଟାଲ ପକ୍ଷରୁ ବୁଝାସୁଝା କରାଯିବା ସହ ସେମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଭଳି କୋଭିଡ୍ ଗାଇଡଲାଇନ୍ ଯେଭଳି ମାନିବେ ତାହା ସୁନିଶ୍ଚିତ କରାଯିବ । ସେହିପରି କଟକସ୍ଥିତ ଶିଶୁଭବନ କୋଭିଡ୍ ଶିଶୁଙ୍କ ଚିକିତ୍ସା ନିମନ୍ତେ ବୈଷୟିକ ପରାମର୍ଶ ଦେବା ଓ ତଦାରଖ ନିମନ୍ତେ ନୋଡାଲ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଶିଶୁଭବନ ପକ୍ଷରୁ ରାଜ୍ୟର ଅନ୍ୟ ଭାଗରେ ଥିବା ଶିଶୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ବୈଷୟିକ ଇନପୁଟ୍ ମଧ୍ୟ ଯୋଗାଇ ଦିଆଯିବ। ଶିଶୁଭବନ ଅଧୀକ୍ଷକ ଗୋଟିଏ ଟେକନିକାଲ ଗ୍ରୁଫ୍ ଗଢ଼ି କରୋନା ସଂକ୍ରମିତ ଶିଶୁଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଟେଲିଫୋନ, ହ୍ୱାଟସଅପ୍ ମାଧ୍ୟମରେ ଆବଶ୍ୟକ ବୈଷୟିକ ସହାୟତା ଦେଇପାରିବେ। ଯଦି କେହି ଆବଶ୍ୟକ କରନ୍ତି।

ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ, କର୍ପୋରେଟ ହସ୍ପିଟାଲ, , ମିଶିନାରୀ ହସ୍ପିଟାଲଗୁଡ଼ିକ ମଧ୍ୟ ଏଭଳି ବ୍ୟବସ୍ଥା କରିବେ। ଶିଶୁରୋଗ ଚିକିତ୍ସା କରୁଥିବା ସମସ୍ତ ହସ୍ପିଟାଲ ନିଶ୍ଚିତ ଭାବେ ଗୋଟିଏ ସ୍ୱତନ୍ତ୍ର କାଉନସେଲିଂ ସେଣ୍ଟର ଖୋଲିବେ, ଯେଉଁଠି ପିତାମାତାଙ୍କୁ ସେମାନଙ୍କ ପିଲା ସମ୍ପର୍କରେ ତଥ୍ୟ ସଂଗ୍ରହରେ ସହଜ ହେବ। ଏବେ ଉପଲବ୍ଧ ଥିବା ପ୍ରଶିକ୍ଷିତ କର୍ମଚାରୀଙ୍କୁ ନେଇ ଶିଶୁଙ୍କ ପାଇଁ କୋଭିଡ୍ ୱିଙ୍ଗ କାର୍ଯ୍ୟକ୍ଷମ ହେବ। ପ୍ରତ୍ୟେକ ମେଡିକାଲ କଲେଜ ଓ ଜିଲ୍ଲା ହସ୍ପିଟାଲରେ ଏନେଇ ପ୍ରଶିକ୍ଷିତ ମାନବସମ୍ବଳ ସୃଷ୍ଟି କରାଯିବ, ଯେଉଁମାନେ ପରବର୍ତ୍ତୀ ସମୟରେ ଏହି ଶିଶୁ କୋଭିଡ୍ ୱିଙ୍ଗରେ କାର୍ଯ୍ୟ କରିବେ ବୋଲି ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତି।

Related story