କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିବାରେ ଓଡ଼ିଶା ସରକାର ବିଫଳ: ରାମମାଧବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : କେନ୍ଦ୍ରୀୟ ଅନୁଦାନକୁ ଖର୍ଚ୍ଚ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଅନେକ ଯୋଜନାରେ କେନ୍ଦ୍ର ଦେଇଥିବା ଅନୁଦାନର ମାତ୍ର ୪ରୁ ୬ପ୍ରତିଶତ ଅର୍ଥକୁ ଖର୍ଚ୍ଚ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇଛନ୍ତି । ଚଳିତ ବଜେଟରେ ଓଡ଼ିଶାକୁ ୭୩,୫୯୬କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିବ ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମମାଧବ କହିଛନ୍ତି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଧବ କହିଛନ୍ତି ଯେ, ଚଳିତ କେନ୍ଦ୍ରୀୟ […]

Ram-Madhav

Manoranjan Sial
  • Published: Wednesday, 19 February 2020
  • , Updated: 19 February 2020, 08:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : କେନ୍ଦ୍ରୀୟ ଅନୁଦାନକୁ ଖର୍ଚ୍ଚ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଅନେକ ଯୋଜନାରେ କେନ୍ଦ୍ର ଦେଇଥିବା ଅନୁଦାନର ମାତ୍ର ୪ରୁ ୬ପ୍ରତିଶତ ଅର୍ଥକୁ ଖର୍ଚ୍ଚ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇଛନ୍ତି । ଚଳିତ ବଜେଟରେ ଓଡ଼ିଶାକୁ ୭୩,୫୯୬କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିବ ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମମାଧବ କହିଛନ୍ତି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଧବ କହିଛନ୍ତି ଯେ, ଚଳିତ କେନ୍ଦ୍ରୀୟ ବଜେଟରେ ପଛୁଆବର୍ଗଙ୍କୁ ସହାୟତା ଦେବା ଓ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଆଣିଛନ୍ତି। ଚଳିତବର୍ଷର କେନ୍ଦ୍ରୀୟ ସାଧାରଣ ବଜେଟ୍ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ,ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ୱିତ ହେବେ। ବିଶେଷକରି ଓଡ଼ିଶା ଭଳି ରାଜ୍ୟରେ ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନ ଏହି ବଜେଟରୁ ସବୁଠୁ ବେଶୀ ଲାଭ ପାଇପାରିବେ। ପ୍ରତି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ରାଜ୍ୟଗୁଡ଼ିକ ପାଇଁ କେନ୍ଦ୍ର ସରକାରଙ୍କ ଚଳିତ ବଜେଟ ବରଦାନ ସଦୃଶ୍ୟ। ସମସ୍ତ ରାଜ୍ୟ ସରକାର ଏହି ଦିଗରେ କାର୍ଯ୍ୟ କରି କେନ୍ଦ୍ର ବଜେଟର ଲାଭ ଉଠାଇ ପାରିବେ। ଓଡ଼ିିଶା ସରକାର କେନ୍ଦ୍ରୀୟ ଯୋଜନାରେ ସାମିଲ ହେବା ପାଇଁ ଆବଶ୍ୟକୀୟ ପ୍ରସ୍ତାବ ପଠାଉ ନାହାଁନ୍ତି କି କେନ୍ଦ୍ରୀୟ ଅନୁଦାନକୁ ସଠିକ ଭାବରେ ଖର୍ଚ୍ଚ କରିପାରୁ ନାହାଁନ୍ତି। ରାଜ୍ୟସରକାର ଅନେକ ଯୋଜନାରେ କେନ୍ଦ୍ର ଦେଇଥିବା ଅନୁଦାନର ମାତ୍ର ୪ ରୁ ୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି । ଚଳିତବର୍ଷ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ, କେନ୍ଦ୍ରୀୟ ଅନୁଦାନ ଏବଂ ରେଳ ବିକାଶ ପାଇଁ ୭୩,୫୯୬ କୋଟି ଟଙ୍କାର ଅନୁଦାନ ଓଡ଼ିଶାକୁ ମିଳିବାକୁ ଯାଉଛି।

ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ମିଳିତ ଉଦ୍ୟମରେ କାର୍ଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି। କିନ୍ତୁ କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିନପାରି ରାଜ୍ୟସରକାର ସବୁବେଳେ କେନ୍ଦ୍ର ଉପରେ ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଚାଷୀଙ୍କ ଫସଲକୁ ମାର୍କେଟରେ ପହଂଚାଇବା ପାଇଁ କିଷାନ ରେଲ ଏବଂ କିଷାନ ଉଡାନର ବ୍ୟବସ୍ଥା ଆରମ୍ଭ ହୋଇଛି। କେନ୍ଦ୍ର ସରକାର ଷ୍ଟାର୍ଟ ଅର୍ପ ପ୍ରୋଗ୍ରାମକୁ ପୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ବିଦେଶ ପୁଂଜି ନିବେଶ କରିବା ପାଇଁ ନିଷ୍ପତ୍ତି ହୋଇଛି, ଯାହା ଆଗାମୀ ଦିନରେ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ସ୍ଥାପନ ହେବାରେ ସହାୟକ ହେବ। ଓଡ଼ିିଶାର ବିଭିନ୍ନ ଜିଲ୍ଲାରେ ପାଣିର ସମସ୍ୟା ରହିଛି । ଯଦି ରାଜ୍ୟ ସରକାର କିଛି ଭଲ ପ୍ରୋଜେକ୍ଟ ଆଣନ୍ତି ତେବେ କେନ୍ଦ୍ର ସରକାର ପୂର୍ଣ୍ଣ ସହାୟତା ଦେବା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ଶ୍ରୀ ମାଧବ କହିଛନ୍ତି ।

ଚାଷ ପାଇଁ ‘କୁସୁମ’ ଯୋଜନାରେ ଚାଷୀଙ୍କୁ ସୌର ଚାଳିତ ପମ୍ପ ଯୋଗାଇ ଦିଆଯିବ। ଏହାର ଫାଇଦା ଓଡ଼ିଶା ସରକାର ଉଠାଇ ପାରିବେ। ୨୦୦ ଲକ୍ଷ କୋଟି ମତ୍ସ୍ୟ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଶରେ ୧୦୦ଟି ନୂଆ ବିମାନବନ୍ଦର ଖୋଲାଯିବ, ଓଡ଼ିଶା ମଧ୍ୟ ଏଥିରୁ ଫାଇଦା ନେଇପାରିବ। ଚଳିତ ବଜେଟରେ ଯୁବପିଢୀଙ୍କ ପାଇଁ ଷ୍ଟାର୍ଟ ଅପ, ଶିକ୍ଷା, ମତ୍ସ୍ୟ ଉତ୍ପାଦନ, ଭିତିଭୂମି ବିକାଶ ଦିଗରେ ପୁଂଜି ନିବେଶ କରାଯିବ। ଆଗାମୀ ୫ ବର୍ଷ ମଧ୍ୟରେ ଭିତିଭୂମି କ୍ଷେତ୍ରରେ ସାରା ଦେଶରେ ୧୦୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତରେ ଟିବି ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆୟୁଷ୍ମାନ ଯୋଜନାର ଫାଇଦା ଓଡ଼ିଶାବାସୀ ଉଠାଇ ନପାରିବା

ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟସରକାର ଏଠି ଏହି ଯୋଜନାକୁ ଲାଗୁ କରୁନାହାଁନ୍ତି । ଚଳିତ ବଜେଟରେ ଟେକ୍ନୋଲେଜିକୁ ଭାରତରେ ଆଗକୁ ନେବାର ପ୍ରୟାସ କରାଯାଇଛି । ଭାରତ ନେଟ୍ ଅନ୍ତର୍ଗତ ୧ ଲକ୍ଷ ଗାଁକୁ ଇଂଟରନେଟ ସହ ଯୋଡି଼ବାର ବ୍ୟବସ୍ଥା କରାଯାଇଛି । ଭିତିଭୂମି କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ନିବେଶ କରିବାର ଲକ୍ଷ୍ୟ ରହିଛି। ଏହା ଦ୍ୱାରା ଦେଶର ଗ୍ରାମୀଣ ଅର୍ଥ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ବୋଲି ଶ୍ରୀ ମାଧବ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ର ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।

Related story