ନୂଆ ମେଡିକାଲ କଲେଜ ପାଇଁ ବି ପ୍ରସ୍ତାବ ପଠାଇପାରୁନି ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଟାଳ ସ୍ଥିତି ଓ ଡାକ୍ତର ଅଭାବ ସତ୍ତ୍ୱେ ନୂଆ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ପ୍ରସ୍ତାବ ପଠାଇବାରେ ଓଡ଼ିଶା ସରକାର ବିଫଳ ହୋଇଛନ୍ତି। କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ଉପରେ ଗୁରୁତ୍ୱ ଦେଇ ଇତିମଧ୍ୟରେ ୩ଟି ପର୍ଯ୍ୟାୟରେ ୧୫୭ଟି ମେଡିକାଲ କଲେଜ ନିର୍ମାଣ ନିମନ୍ତେ ଆବଶ୍ୟକ ଅର୍ଥ ମଞ୍ଜୁର କରିଥିବାବେଳେ ଅଧିକ ସଂଖ୍ୟକ ନୂଆ ମେଡିକାଲ କଲେଜ ନିର୍ମାଣ ନିମନ୍ତେ ପ୍ରସ୍ତାବ […]

baripada-medical-college

Manoranjan Sial
  • Published: Saturday, 08 February 2020
  • , Updated: 08 February 2020, 09:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଟାଳ ସ୍ଥିତି ଓ ଡାକ୍ତର ଅଭାବ ସତ୍ତ୍ୱେ ନୂଆ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ପ୍ରସ୍ତାବ ପଠାଇବାରେ ଓଡ଼ିଶା ସରକାର ବିଫଳ ହୋଇଛନ୍ତି। କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ଉପରେ ଗୁରୁତ୍ୱ ଦେଇ ଇତିମଧ୍ୟରେ ୩ଟି ପର୍ଯ୍ୟାୟରେ ୧୫୭ଟି ମେଡିକାଲ କଲେଜ ନିର୍ମାଣ ନିମନ୍ତେ ଆବଶ୍ୟକ ଅର୍ଥ ମଞ୍ଜୁର କରିଥିବାବେଳେ ଅଧିକ ସଂଖ୍ୟକ ନୂଆ ମେଡିକାଲ କଲେଜ ନିର୍ମାଣ ନିମନ୍ତେ ପ୍ରସ୍ତାବ ପଠାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ମାତ୍ର କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ମିଳିଥିବା ଅନୁଦାନରେ ନୂଆ ମେଡିକାଲ କଲେଜ ନିର୍ମାଣ କରିବାରେ ରାଜ୍ୟ ସରକାରଙ୍କ ବିଫଳତା ହିଁ ଏବେ ଓଡ଼ିଶାରେ ଅଧିକ ସଂଖ୍ୟକ ମେଡିକାଲ କଲେଜ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ପ୍ରୟାସରେ ବାଧକ ସାଜିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ,କେନ୍ଦ୍ର ପ୍ରାୟୋଜିତ ଯୋଜନାରେ ରାଜ୍ୟ ସରକାରଙ୍କ ସହଭାଗିତାରେ ମେଡିକାଲ କଲେଜ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାର ୬୦ % ଓ ରାଜ୍ୟ ସରକାର ୪୦% ଅନୁଦାନରେ ଏହି ମେଡିକାଲ କଲେଜ ନିର୍ମାଣ ହେଉଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ କୋରାପୁଟ, ମୟୂରଭଞ୍ଜ, ବାଲେଶ୍ୱର ,ବଲାଙ୍ଗିର ଓ ପୁରୀରେ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ପ୍ରତ୍ୟେକ ମେଡିକାଲ କଲେଜ ପାଇଁ ୧୮୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ କେନ୍ଦ୍ର ସରକାର ନିଜସ୍ୱ ଅଂଶଧନ ବାବଦରେ ୧୧୩.୪୦କୋଟି ଟଙ୍କା ଲେଖାଏ ପ୍ରଦାନ କରିସାରିଥିଲେ। କିନ୍ତୁ ପରିତାପର କଥା, ଦୀର୍ଘବର୍ଷ ପରେ ମଧ୍ୟ ପୁରୀରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇପାରିନି।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତି ୩ଟି ଲୋକସଭା ନିର୍ବାଚନମଣ୍ଡଳୀକୁ ନେଇ ଗୋଟିଏ ମେଡିକାଲ କଲେଜ ନିର୍ମାଣ ହେବାକୁ କେନ୍ଦ୍ର ସରକାର ଯୋଜନା କରିଥିଲେ। ଏହା ଅନ୍ତର୍ଗତ ଭଦ୍ରକ,ଯାଜପୁର ଓ ଢେଙ୍କାନାଳ ସଂସଦୀୟ ଆସନକୁ ନେଇ ଯାଜପୁରରେ ଏକ ମେଡିକାଲ କଲେଜ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ଏହି ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ବାବଦରେ ୨୫୦କୋଟି ଟଙ୍କା ମଞ୍ଜୁର ହୋଇଛି। କେନ୍ଦ୍ର ସରକାର ନିଜସ୍ୱ ଅଂଶଧନ ମୋଟ ୧୫୦କୋଟିରୁ ୫୦କୋଟି ଟଙ୍କା ଦେଇସାରିଥିଲେ ମଧ୍ୟ ଯାଜପୁରରେ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟକୁ ନେଇ ବିଶେଷ ଅଗ୍ରଗତି ହୋଇପାରୁନି। ଏହି ମେଡିକାଲ କଲେଜ କେବେ ନିର୍ମାଣ ସରିବ ତାକୁ ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି।

ସେହିପରି ତୃତୀୟ ପର୍ଯ୍ୟାୟରେ ଯେଉଁ ଜିଲ୍ଲାରେ ମେଡିକାଲ କଲେଜ ନାହିଁ ସେଠାରେ ଏହା ନିର୍ମାଣ ପାଇଁ ପ୍ରସ୍ତାବ ପଠାଇବା ନିମନ୍ତେ କେନ୍ଦ୍ର ସରକାର ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାରଙ୍କୁ କହିଥିଲେ। ତେବେ ଏହି ପର୍ଯ୍ୟାୟରେ କେବଳ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ରାଜ୍ୟ ସରକାର ପ୍ରସ୍ତାବ ପଠାଇଛନ୍ତି। ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ସମଗ୍ର ଦେଶରେ ୨୦୨୨-୨୩ ମସିହା ସୁଦ୍ଧା ଯେଉଁ ଜିଲ୍ଲାରେ ସରକାରୀ କିମ୍ବା ବେସରକାରୀ ମେଡିକାଲ କଲେଜ ନଥିବ ସେଠାରେ ୭୫ଟି ନୂଆ ମେଡିକାଲ କଲେଜ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ଘୋଷଣାର ଫାଇଦା ଉଠାଇବା ଦିଗରେ ଓଡ଼ିଶା ବିଶେଷ ଆଗ୍ରହ ଦେଖାଇ ନାହିଁ । ସମଗ୍ର ଦେଶରେ ୭୨୪ଟି ଜିଲ୍ଲାରୁ ୪୧୩ଟି ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ନଥିବାରୁ କେନ୍ଦ୍ର ସରକାର ଏହି ଯୋଜନାର ଫାଇଦା ନେବାକୁ ଓଡ଼ିଶା ସମେତ ରାଜ୍ୟଗୁଡ଼ିକୁ ପ୍ରସ୍ତାବ ଦେଇଥିଲେ। ଇତିମଧ୍ୟରେ ୮୯ଟି ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ମିଳିଥିବାବେଳେ ଏଥିରୁ ୫୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିସାରିଛି। ତେବେ ଓଡ଼ିଶା ସରକାର ଏହି ଯୋଜନାରେ ମାତ୍ର କନ୍ଧମାଳ ଓ କଳାହାଣ୍ଡି(ଦୁଇ ଆକାଂକ୍ଷା ଜିଲ୍ଲା)ରେ ମେଡିକାଲ କଲେଜ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ପୁରୀ ଓ ଯାଜପୁରଠାରେ ମେଡିକାଲ କଲେଜ ନିର୍ମାଣରେ ହେଉଥିବା ବିଳମ୍ବକୁ ନେଇ ରାଜ୍ୟ ସରକାର ବ୍ୟାକଫୁଟରେ ଥିବାରୁ ଏବେ ଅଧିକ ଜିଲ୍ଲା ପାଇଁ ପ୍ରସ୍ତାବ ପଠାଇ ପାରୁନଥିବା ଜଣାପଡ଼ିଛି। ତା’ଛଡ଼ା କେନ୍ଦ୍ରୀୟ ଅର୍ଥ ବିନିଯୋଗ ପ୍ରମାଣପତ୍ର ମଧ୍ୟ ଓଡ଼ିଶା ଦାଖଲ କରିନଥିବା ସୂଚନା ମିଳିଛି । ତେଣୁ ଓଡ଼ିଶାର କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ପ୍ରସ୍ତାବକୁ ଏପର୍ଯ୍ୟନ୍ତ ଅନୁମୋଦନ ମିଳିନି।

ସୂଚନାଯୋଗ୍ୟ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ଏବେ ମାତ୍ର ୭ଟି ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ଓ ଖୋର୍ଦ୍ଧା ଜିଲ୍ଲାରେ ୩ଟି ବେସରକାରୀ ମେଡିକାଲ କଲେଜ ମଧ୍ୟ ରହିଛି। କିନ୍ତୁ ଅନ୍ୟ ପଛୁଆ ଜିଲ୍ଲାଗୁଡ଼ିକରେ ମେଡିକାଲ କଲେଜ ନିର୍ମାଣ ପାଇଁ(କେନ୍ଦ୍ର ସରକାରଙ୍କ ପରାମର୍ଶ ସତ୍ତ୍ୱେ) ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଅଧିକ ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ ନିମନ୍ତେ ବିଧିବଦ୍ଧ ପ୍ରସ୍ତାବ ପଠାଇବାରେ ବିଫଳ ହୋଇଥିବା ଜଣାପଡ଼ିଛି।

Related story