ଆଳୁ କିଲୋ ୪୫: ସରକାର ଚୁପ୍, ନିୟନ୍ତ୍ରଣ ବି ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ କିଛିମାସ ଧରି ଆଳୁ ଓ ପିଆଜ ଦର ବୃଦ୍ଧି ପାଇ ଚାଲିଥିଲେ ମଧ୍ୟ ରାଜ୍ୟ ସରକାର ଆଜି କେବଳ ପିଆଜ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଚୁପ୍ ହୋଇ ବସିପଡ଼ିଛନ୍ତି। ସାଧାରଣ ଲୋକଙ୍କୁ ଆଳୁ ଦର କିଲୋ ପିଛା ୪୫ଟଙ୍କା ଅତିଷ୍ଠ କରୁଥିବାବେଳେ ସରକାର କେବଳ ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲାପାଳମାନଙ୍କୁ ତାଗିଦ୍ କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ପିଆଜ ଦର […]

potato onion

Manoranjan Sial
  • Published: Monday, 02 November 2020
  • , Updated: 02 November 2020, 09:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ କିଛିମାସ ଧରି ଆଳୁ ଓ ପିଆଜ ଦର ବୃଦ୍ଧି ପାଇ ଚାଲିଥିଲେ ମଧ୍ୟ ରାଜ୍ୟ ସରକାର ଆଜି କେବଳ ପିଆଜ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଚୁପ୍ ହୋଇ ବସିପଡ଼ିଛନ୍ତି। ସାଧାରଣ ଲୋକଙ୍କୁ ଆଳୁ ଦର କିଲୋ ପିଛା ୪୫ଟଙ୍କା ଅତିଷ୍ଠ କରୁଥିବାବେଳେ ସରକାର କେବଳ ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲାପାଳମାନଙ୍କୁ ତାଗିଦ୍ କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ରାଜ୍ୟରେ ପିଆଜ ଦର ବୃଦ୍ଧିକୁ ନେଇ ତତ୍ପରତା ଦେଖାଇଥିବା ରାଜ୍ୟ ସରକାର ଗତ ଏକମାସ ଧରି ଆଳୁ କିଲୋ ୪୦ଟଙ୍କା ବା ତା’ଠୁ ଅଧିକ ଦରରେ ବିକ୍ରି ହେଉଥିଲେ ମଧ୍ୟ ବଜାରକୁ ନିୟନ୍ତ୍ରଣ କରିବାକୁ କୌଣସି ପଦକ୍ଷେପ ନେଇନାହାନ୍ତି। ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉପନିର୍ବାଚନ ମ୍ୟାନେଜମେଣ୍ଟରେ ବ୍ୟସ୍ତଥିବାବେଳେ ତାଙ୍କ ବିଭାଗ ମଧ୍ୟ କୋମାରେ ରହିଛି। ଯାହାର ସୁଯୋଗ ନେଇ ଖୋଲାବଜାରରେ ଆଳୁ କିଲୋ ଏବେ ୪୨ରୁ ୪୬ଟଙ୍କା ଦରରେ ବିକ୍ରି ହେଉଛି। ଦୀପାବଳି ବେଳକୁ ଆଳୁ କିଲୋ ପିଛା ଦର ୫୦ଟଙ୍କା ଛୁଇଁବାର ଆଶଙ୍କା କରାଯାଉଛି।

କରୋନା ମହାମାରୀ ସଂକ୍ରମଣ ଆରମ୍ଭବେଳେ ବଜାରରେ ଆଳୁ ଦର କିଲୋପିଛା ୨୦ରୁ ୨୫ଟଙ୍କାରେ ବିକ୍ରି ହେଉଥିବାବେଳେ ତାହା ବଢ଼ି ୪୫ଟଙ୍କାରେ ପହଂଚିଲାଣି। ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆସୁଥିବାବେଳେ ରେଟ୍ ଚଢ଼ା ରହିଛି। ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଆଳୁ ଓଡ଼ିଶାକୁ ଆମଦାନୀ ହୋଇଥାଏ। ଚଳିତଥର ବନ୍ୟା ଯୋଗୁ ଦେଶର କେତେକ ଅଂଚଳରେ ଆଳୁ ଫସଲ ପ୍ରଭାବିତ ହୋଇଛି। ତଥାପି ପଶ୍ଚିମବଙ୍ଗରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ମହଜୁଦ୍ ଥିବାବେଳେ ଓଡ଼ିଶାକୁ ଆବଶ୍ୟକ ଅନୁପାତରେ ଆଳୁ ଆସୁଛି। କିନ୍ତୁ ଦର ଚଢ଼ା ଥିବାରୁ ବ୍ୟବସାୟୀମାନେ ମଧ୍ୟ ଅଧିକ ଦରରେ ଖୁଚୁରା ବିକ୍ରି କରୁଛନ୍ତି।

ଗତବର୍ଷ ଅକ୍ଟୋବର ମାସରେ ଆଳୁ କ୍ୱିଣ୍ଟାଲ ପିଛା ହୋଲସେଲ ଦର ୧୩୭୪ଟଙ୍କା ଥିବାବେଳେ ୨୦୧୮ ଅକ୍ଟୋବର ମାସରେ ଆଳୁ ଦର ୧୫୧୮ଟଙ୍କା କ୍ୱିଣ୍ଟାଲ ପିଛା ରହିଥିଲା। କିନ୍ତୁ ଚଳିତବର୍ଷ ଅକ୍ଟୋବର ମାସରେ କ୍ୱିଣ୍ଟାଲ ପିଛା ପ୍ରାୟ ୩୮୦୦ଟଙ୍କା ରହିଛି।

ରାଜ୍ୟରେ ବାର୍ଷିକ ପ୍ରାୟ ୧୦.୨୦ଲକ୍ଷ ମେଟ୍ରିକ ଟନରୁ ୧୨ଲକ୍ଷ ମେଟ୍ରିକ ଟନ୍ ଆଳୁର ଆବଶ୍ୟକତା ପଡ଼ୁଥିବାବେଳେ ଓଡ଼ିଶାରେ ମାତ୍ର ୩ଲକ୍ଷ ମେଟ୍ରିକ ଟନ୍ ମଧ୍ୟରେ ଆଳୁ ଉତ୍ପାଦିତ ହୋଇଥାଏ। ଯଦିଓ ଆଳୁ ମିଶନ ମାଧ୍ୟମରେ ୩ବର୍ଷରେ ଆଳୁ ଉତ୍ପାଦନ ଦ୍ୱିଗୁଣିତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ କିନ୍ତୁ ତାହା ସମ୍ପୂର୍ଣ୍ଣ ଫେଲ୍ ମାରିଛି।

କାର୍ତ୍ତିକ ମାସରେ ରାଜ୍ୟରେ ଆଳୁର ଚାହିଦା ଅଧିକ ରହୁଥିବାବେଳେ ଉଦବେଗଜନକ ଭାବେ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ସରକାର ଉଦ୍ୟମ ନକରିବା ପରିତାପର ବିଷୟ। ରାଜ୍ୟ ସରକାର ଚାହିଁଲେ ନାଫେଡଠୁ ଆଳୁ କିଣି ରାଜ୍ୟବ୍ୟାପୀ ଏହାର ସୁବିତରଣ କରିପାରନ୍ତେ। କିନ୍ତୁ ତା’ ନକରି ସରକାର ଚୁପ୍ ବସିଥିବାବେଳେ ଆଳୁ ଅଦ୍ୟାବଧିର ସବୁ ରେକର୍ଡ ଭାଙ୍ଗିବାକୁ ଯାଉଥିବା ଜଣାପଡ଼ିଛି।

Related story