୨୮ରୁ ପିଲାଙ୍କ ପାଇଁ ‘ରେଡିଓ ପାଠଶାଳା’, ବିରୋଧୀ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍ ମହାମାରୀ ସଂକ୍ରମଣ ସ୍ଥିତିକୁ ଦେଖି ରାଜ୍ୟ ସରକାର ଆସନ୍ତା ୨୮ ତାରିଖରୁ ଆରମ୍ଭ କରିବାକୁ ଯାଉଛନ୍ତି ‘ରେଡିଓ ପାଠଶାଳା’। ଏହି ଯୋଜନା ଅଧୀନରେ ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ‘ଆକାଶବାଣୀ’ ରେଡିଓ ମାଧ୍ୟମରେ ପାଠ ପଢ଼ିବେ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ ଏହି ବ୍ୟବସ୍ଥା ସତରେ କଣ ସଫଳ ହେବ? କାରଣ ଯେଉଁ ରାଜ୍ୟର […]

radio

Manoranjan Sial
  • Published: Saturday, 26 September 2020
  • , Updated: 26 September 2020, 08:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍ ମହାମାରୀ ସଂକ୍ରମଣ ସ୍ଥିତିକୁ ଦେଖି ରାଜ୍ୟ ସରକାର ଆସନ୍ତା ୨୮ ତାରିଖରୁ ଆରମ୍ଭ କରିବାକୁ ଯାଉଛନ୍ତି ‘ରେଡିଓ ପାଠଶାଳା’। ଏହି ଯୋଜନା ଅଧୀନରେ ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ‘ଆକାଶବାଣୀ’ ରେଡିଓ ମାଧ୍ୟମରେ ପାଠ ପଢ଼ିବେ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ ଏହି ବ୍ୟବସ୍ଥା ସତରେ କଣ ସଫଳ ହେବ? କାରଣ ଯେଉଁ ରାଜ୍ୟର ୭୮% ଲୋକ ଟଙ୍କିକିଆ ଚାଉଳ ଉପରେ ନିର୍ଭର କରୁଛନ୍ତି, ସେମାନଙ୍କ ପିଲାମାନେ ରେଡିଓ କେଉଁଠୁ ପାଇବେ ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ମନ୍ତ୍ରୀ ଶ୍ରୀ ଦାଶ ଗଣମାଧ୍ୟମକୁ କହିଛନ୍ତି ଯେ, ୨୦୨୦ ମାର୍ଚ୍ଚ ୧୭ରୁ ସ୍କୁଲ ଗୁଡ଼ିକ ବନ୍ଦ ରହିଥିବାରୁ ‘ରେଡିଓ ପାଠଶାଳା’ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଚଳିତଶିକ୍ଷା ବର୍ଷ ପାଇଁ ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ଜଣାଇ ଦିଆଯାଇଛି। ସେପ୍ଟେମ୍ବର ୨୮ରୁ ହେବାକୁ ଥିବା ରେଡିଓ ପାଠଶାଳା ପ୍ରସାରଣ କରାଯିବ। ସୋମବାରୁ ଶୁକ୍ରବାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ରେଡିଓ ପାଠଶାଳା କାର୍ଯ୍ୟକ୍ରମ ୧୦ଟାରୁ ୧୦ଟା ୧୫ ମିନିଟ୍ ପର୍ଯ୍ୟନ୍ତ ପ୍ରସାରଣ କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି।

ସେ ଆହୁରି କହିଛନ୍ତି, ସୋମବାରରେ ପ୍ରଥମ ଓ ପଂଚମ ଶ୍ରେଣୀ, ମଙ୍ଗଳବାରରେ ଦ୍ୱିତୀୟ ଓ ଷଷ୍ଠ ଶ୍ରେଣୀ, ବୁଧବାରରେ ତୃତୀୟ ଓ ସପ୍ତମ ଶ୍ରେଣୀ, ଗୁରୁବାର ଚତୁର୍ଥ ଓ ଅଷ୍ଟମ ଶ୍ରେଣୀ, ଶୁକ୍ରବାର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପାଇଁ କ୍ଲାସ କରାଯିବ। ଏହା ଆକାଶବାଣୀର ସବୁକେନ୍ଦ୍ରରୁ ଏକସମୟରେ ପ୍ରସାରିତ ହେବ। ପ୍ରସାରିତ ପାଠ୍ୟ ବିଷୟଗୁଡ଼ିକ ଦୀକ୍ଷା ଆପରେ ମଧ୍ୟ ଉପଲବ୍ଧ ହେବ। ଏହି କାର୍ଯ୍ୟକ୍ରମ ପ୍ରସାରଣ ପାଇଁ କଟକସ୍ଥିତ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଇନଷ୍ଟିଚ୍ୟୁଟଠାରେ ପାଠ୍ୟବିଷୟ ପ୍ରସ୍ତୁତ କରାଯାଉଛି। ଉଭୟ ଟିଭି ଓ ରେଡିଓରେ ଶିକ୍ଷାଦାନ ପାଇଁ ଆଗ୍ରହୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ନାଁ ସୁପାରିଶ କରିବାକୁ ଜିଲ୍ଲା ଏବଂ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଥିବା ଶ୍ରୀ ଦାଶ କରିଛନ୍ତି।

ଅନ୍ୟପକ୍ଷରେ, ସରକାରଙ୍କ ଏହି ରେଡିଓ ପାଠଶାଳାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି। ସ୍ମାର୍ଟଫୋନ୍ ଓ ସ୍ମାର୍ଟ ଟିଭି ଯୁଗରେ ଗାଁ ଗହଳିରୁ ରେଡିଓ ହଜିବାକୁ ବସିଥିବା ବେଳେ ସରକାରଙ୍କ ଏହି ରେଡିଓ ମାଧ୍ୟମରେ ପାଠପଢ଼ା ରାଜ୍ୟର କେତେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବ ତାକୁ ନେଇ ଆଶଙ୍କା ଦେଖାଦେଇଛି।

ରାଜ୍ୟ ସମାଜବାଦୀ ପାର୍ଟି ସଭାପତି ରବି ବେହେରା ମଧ୍ୟ ସରକାରଙ୍କ ଏଭଳି ପାଠଶାଳା ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, କରୋନା ମହାମାରୀ ଯୋଗୁ ସ୍କୁଲ ଓ କଲେଜ ଦୀର୍ଘ ୬ ମାସ ଧରି ବନ୍ଦ ଅଛି । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇପାରୁ ନାହିଁ। ଅନଲାଇନରେ, ଟିଭି ମାଧ୍ୟମରେ କେତେକ ସ୍କୁଲ କଲେଜ ପକ୍ଷରୁ ପାଠପଢ଼ା ଚାଲିଛି। କିନ୍ତୁ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ନଥିବାବେଳେ ରାଜ୍ୟର ୫୩,୩୫୩ଟି ଗାଁ ମଧ୍ୟରୁ ୧୧ହଜାର ଗାଁରେ ଟେଲି ଯୋଗାଯୋଗ ପହଂଚି ପାରିନାହିଁ। ଏପରିକି ୯୯୪୦ଟି ଆଦିବାସୀ ଅଧ୍ୟୁଷ୍ୟିତ ଗାଁ ଏଥିରେ ସାମିଲ ଅଛି। ତା’ଛଡ଼ା ବହୁ ଗରିବ ଲୋକ, ଦିନ ମଜୁରିଆ ନିଜ ପୁଅଝିଅଙ୍କୁ ସ୍ମାର୍ଟଫୋନଟିଏ କିଣି ଦେବାର ସାମର୍ଥ୍ୟ ବି ନାହିଁ। ସେହିପରି ଅଧିକାଂଶ ଲୋକଙ୍କ ଘରେ ରେଡିଓ ନାହିଁ। ତେଣୁ ରାଜ୍ୟର ୩୮ଲକ୍ଷ ଛାତ୍ରଛାତ୍ରୀ ‘ରେଡିଓ ପାଠଶାଳା’ କାର୍ଯ୍ୟକ୍ରମରୁ ବାଦ୍ ପଡ଼ିବାକୁ ଯାଉଛି। କୌଣସି କାର୍ଯ୍ରକ୍ରମ ଆରମ୍ଭ କରିବା ପୂର୍ବରୁ ଏଥିପାଇଁ ଭିତ୍ତିଭୂମି ଅଛି କି ନାହିଁ ତାହା ସରକାର ଚିନ୍ତା କରିବା କଥା। ତେଣୁ ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ତୁରନ୍ତ ରେଡିଓ ଓ ସ୍ମାର୍ଟଫୋନ୍ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି।

Related story