ପୁରୀରେ ଉଚ୍ଛେଦ ଅଭିଯାନକୁ ଆମିକସ୍‌କ୍ୟୁରିଙ୍କ ମୋହର

ପୁରୀ(ଓଡ଼ିଶା ରିପୋର୍ଟର):ପୁରୀରେ ସରକାରଙ୍କ ଉଚ୍ଛେଦ ଅଭିଯାନକୁ ଆମିକସକ୍ୟୁରୀଙ୍କ କ୍ଲିନ୍‌ଚିଟ୍‌। ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀକୁ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ଯାହା ବି ପଦକ୍ଷେପ ନିଆଯାଇଛି ତାକୁ ସଠିକ୍ ଦର୍ଶାଇବା ସହ ଏଥିରେ ସହଯୋଗ କରିବାକୁ ଆହ୍ୱାନ ମଧ୍ୟ ଦେଇଛନ୍ତି ଆମିକସ୍‌କ୍ୟୁରୀ ରଞ୍ଜିତ କୁମାର। ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ଦିଗରେ (୧) ଏଠି ଯାହା ଚାଲିଛି ଠିକ୍ ଚାଲିଛି। (୨) ଯାହା ହେଉଛି ସମସ୍ତଙ୍କ ପାଇଁ ଭଲ ହେଉଛି। (୩) […]

4567

Tapas Behera
  • Published: Saturday, 07 September 2019
  • , Updated: 07 September 2019, 09:22 PM IST

ପୁରୀ(ଓଡ଼ିଶା ରିପୋର୍ଟର):ପୁରୀରେ ସରକାରଙ୍କ ଉଚ୍ଛେଦ ଅଭିଯାନକୁ ଆମିକସକ୍ୟୁରୀଙ୍କ କ୍ଲିନ୍‌ଚିଟ୍‌। ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀକୁ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ଯାହା ବି ପଦକ୍ଷେପ ନିଆଯାଇଛି ତାକୁ ସଠିକ୍ ଦର୍ଶାଇବା ସହ ଏଥିରେ ସହଯୋଗ କରିବାକୁ ଆହ୍ୱାନ ମଧ୍ୟ ଦେଇଛନ୍ତି ଆମିକସ୍‌କ୍ୟୁରୀ ରଞ୍ଜିତ କୁମାର।

ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ଦିଗରେ (୧) ଏଠି ଯାହା ଚାଲିଛି ଠିକ୍ ଚାଲିଛି। (୨) ଯାହା ହେଉଛି ସମସ୍ତଙ୍କ ପାଇଁ ଭଲ ହେଉଛି। (୩) କାହାକୁ ଜବରଦସ୍ତ ଉଚ୍ଛେଦ କରାଯାଉନି। (୪) ସମସ୍ତଙ୍କ ସହ ଆଲୋଚନା କରି ଉଚ୍ଛେଦ କରାଯାଉଛି।(୫) ସରକାର ଉତ୍ତମ ପରିକଳ୍ପନା କରିଛନ୍ତି। (୬) ଉଚ୍ଛେଦ ଅଭିଯାନକୁ ରୋକାଯିବା ଅନୁଚିତ୍।

ରାଜ୍ୟ ସରକାରଙ୍କ ସବୁ ପଦକ୍ଷେପ ଉପରେ ଆଜି ଏମିତି ମୋହର ମାରିଛନ୍ତି ଆମିକସ୍ କ୍ୟୁରି। ଖାଲି ସେତିକି ନୁହେଁ ଆମିକସ୍ କ୍ୟୁରୀ ରଞ୍ଜିତ କୁମାର ଏହା ବି କହିଛନ୍ତି ଯେ, ଆସନ୍ତା ୨୦୨୦ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡୁଛି। ଏହି ସମୟରେ ପୁରୀରେ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଉଚିତ୍ ବ୍ୟବସ୍ଥାର ଆବଶ୍ୟକତା ରହିଛି। ତେଣୁ ଏଥିରେ ସମସ୍ତେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ସମୟ ସକାଳ ୭ଟା। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ଅନୁଧ୍ୟାନ ପାଇଁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସହ ପୁରୀ ଆସିଥିବା ଆମିକସ୍ କ୍ୟୁରୀ ପହଞ୍ଚିଥିଲେ ଶ୍ରୀମନ୍ଦିରରେ। ଶ୍ରୀଜୀଉଙ୍କ ଦର୍ଶନ ପରେ ୯ଟା ୪୦ରେ ଶ୍ରୀନଅର ଯାଇ ଗଜପତିଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଡିଆଇଜି, ଏସ୍‌ପିଙ୍କ ସହ ବିକାଶମୂଳକ କାର୍ଯ୍ୟ ନେଇ ବିଚାର ବିମର୍ଷ କରିଥିଲେ।

ସେହିପରି ଗୋବର୍ଦ୍ଧନ ମଠ ଯାଇ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଶ୍ରୀମନ୍ଦିର ସୁରକ୍ଷା ନେଇ ଚାଲିଥିବା ମଠ ଉଚ୍ଛେଦ ସଂପର୍କରେ ଜଗଦ୍‌ଗୁରୁଙ୍କ ପରାମର୍ଶ ନେଇଥିଲେ ଆମିକସ୍‌କ୍ୟୁରୀ। ଏହି ସମୟରେ  ଆମିକସ୍ କ୍ୟୁରୀଙ୍କୁ ୪୦ ପୃଷ୍ଠା ସମ୍ବଳିତ ଏକ ପରାମର୍ଶ ପତ୍ର ପ୍ରଦାନ କରିଥିଲେ ଶଙ୍କରାଚାର୍ଯ୍ୟ। ତେବେ ଗସ୍ତ ସମୟରେ ଆମିକସ୍‌କ୍ୟୁରୀ ଅନ୍ୟ କୌଣସି ପକ୍ଷ ସହ ଆଲୋଚନା କରି ନଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଆସନ୍ତା ୧୭ ତାରିଖରେ ସୁପ୍ରିମ୍‌କୋର୍ଟରେ ତାଙ୍କ ଅନୁଧ୍ୟାନ ରିପୋର୍ଟ ଦାଖଲ କରିବେ ଆମିକସ୍ କ୍ୟୁରୀ। ହେଲେ ତା ପୂର୍ବରୁ ସରକାରୀ ପଦକ୍ଷେପକୁ କ୍ଲିନ୍‌ଚିଟ୍ ଉଚ୍ଛେଦ ଅଭିଯାନକୁ ବଳ ଦେଇଛି।

Related story