ବିଧାନସଭା ସଚିବଙ୍କ ପାଇଁ ସରକାରଙ୍କ ଏତେ ଅନୁକମ୍ପା କାହିଁକି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ସରକାରୀ ବାବୁଙ୍କୁ ଏତେ ଅନୁକମ୍ପା କାହିଁକି? ବର୍ଷେ ନୁହେଁ କି ଦୁଇ ବର୍ଷ, ଦୀର୍ଘ ସାତ ବର୍ଷ ହେଲା ବଢ଼ି ଚାଲିଛି ତାଙ୍କ କାର୍ଯ୍ୟକାଳ। ଏହି ସରକାରୀ ବାବୁ ଜଣଙ୍କ ହେଲେ ବିଧାନସଭା ସଚିବ ଅମୀୟ କୁମାର ଷଡ଼ଙ୍ଗୀ। ପଞ୍ଚମ ଥର ଲାଗି ତାଙ୍କ ଏକ୍ସଟେନସନ ଲାଗି ସୁପାରିସ କରାଯିବାକୁ ନେଇ ରାଜ୍ୟପାଳ ପ୍ରଶ୍ନ ଉଠାଇବାରୁ ପଦାରେ ପଡ଼ିଛି ସରକାରଙ୍କ କାରସାଦି। ରାଜ୍ୟରେ ବହୁ ଯୋଗ୍ୟ ବ୍ୟକ୍ତି ରହିଛନ୍ତି। ଏହା ସତ୍ତ୍ୱେ ରାଜ୍ୟ […]

bbsr

Manoranjan Sial
  • Published: Friday, 29 March 2019
  • , Updated: 29 March 2019, 10:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ସରକାରୀ ବାବୁଙ୍କୁ ଏତେ ଅନୁକମ୍ପା କାହିଁକି? ବର୍ଷେ ନୁହେଁ କି ଦୁଇ ବର୍ଷ, ଦୀର୍ଘ ସାତ ବର୍ଷ ହେଲା ବଢ଼ି ଚାଲିଛି ତାଙ୍କ କାର୍ଯ୍ୟକାଳ। ଏହି ସରକାରୀ ବାବୁ ଜଣଙ୍କ ହେଲେ ବିଧାନସଭା ସଚିବ ଅମୀୟ କୁମାର ଷଡ଼ଙ୍ଗୀ। ପଞ୍ଚମ ଥର ଲାଗି ତାଙ୍କ ଏକ୍ସଟେନସନ ଲାଗି ସୁପାରିସ କରାଯିବାକୁ ନେଇ ରାଜ୍ୟପାଳ ପ୍ରଶ୍ନ ଉଠାଇବାରୁ ପଦାରେ ପଡ଼ିଛି ସରକାରଙ୍କ କାରସାଦି।

ରାଜ୍ୟରେ ବହୁ ଯୋଗ୍ୟ ବ୍ୟକ୍ତି ରହିଛନ୍ତି। ଏହା ସତ୍ତ୍ୱେ ରାଜ୍ୟ ସରକାର ବିଧାନସଭା ପରିଚାଳନା ଲାଗି ବର୍ତ୍ତମାନର ସଚିବ ଅମୀୟ କୁମାର ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳ ପଞ୍ଚମ ଥର ଲାଗି ବଢାଇବା ପାଇଁ ସୁପାରିସ କରିଛନ୍ତି। ଯାହାକୁ ନେଇ ପ୍ରଶ୍ନବାଚୀ ଉଠାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଏଥିସହ କେଉଁ ଆଧାରରେ ତାଙ୍କ କାର୍ଯ୍ୟକାଳ ପୁଣି ବଢ଼ାଯିବ, ସେନେଇ ବାଚସ୍ପତିଙ୍କଠୁ ଉତ୍ତର ଚାହିଁଥିଲେ ରାଜ୍ୟପାଳ। ତେବେ ଆଗକୁ ନୂଆ ବିଧାନସଭା ଗଠନ ହେବାକୁ ଥିବାରୁ ସେ ସମ୍ବନ୍ଧୀୟ କାର୍ଯ୍ୟ ଲାଗି ଅଭିଜ୍ଞତା ଦୃଷ୍ଟିରୁ ଅମୀୟଙ୍କ କାର୍ଯ୍ୟକାଳ ଏପ୍ରିଲ୍ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଯିବା ଜରୁରୀ ବୋଲି ବାଚସ୍ପତିଙ୍କ ପକ୍ଷରୁ ଲେଖାଯାଇଥିବା ସୂଚନା ମିଳିଛି। ୨୦୧୩ରୁ ଏଯାବତ୍ ଅମୀୟ ବାବୁଙ୍କ ଚାକିରି କାର୍ଯ୍ୟକାଳ ବଢ଼ାଯିବା କାରଣରୁ ଅନ୍ୟ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରମୋଶନ୍‌ରୁ ବଞ୍ଚିତ ହେବାକୁ ପଡ଼ିଛି।

ସେପଟେ ଶ୍ରୀ ଷଡ଼ଙ୍ଗୀଙ୍କ ଉପରେ ସରକାରଙ୍କ ଏଭଳି ଅନୁଗ୍ରହକୁ ନେଇ ବର୍ଷିଛନ୍ତି ବିରୋଧୀ। ସେ ବହୁବାର କାରସାଦି କରି ବିପଦ ବେଳେ ବିଧାନସଭା ଗୃହ ଭିତରେ ସରକାରଙ୍କୁ ବଞ୍ଚାଇ ଥିବାରୁ ତାଙ୍କୁ ବାରମ୍ବାର ପୁରସ୍କୃତ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।

କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି-“ରାଜ୍ୟ ସରକାର ବିପଦରେ ପଡ଼ିଲେ ଅମୀୟ ଷଡ଼ଙ୍ଗୀ କାରସାଦି କରି ଉଦ୍ଧାର କରନ୍ତି।” ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି-“ଅମୀୟ ଷଡ଼ଙ୍ଗୀଙ୍କ ଚାକିରି ଏକ୍ସଟେନସନକୁ ବହୁବାର ବିରୋଧ କରାଯାଇଛି। ଏହା ସତ୍ତ୍ୱେ ବର୍ତ୍ତମାନ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ତାଙ୍କର ଚାକିରି ଏକ୍ସଟେନସନ କରିବା ଠିକ୍‌ ଲାଗୁନାହିଁ। ଏହା ହେଉଛି ସରକାରଙ୍କର ଆଉ ଏକ ବଡ଼ ଷଡ଼ଯନ୍ତ।”

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି-“ସରକାର ଅଲଗା ଓ ଦଳ ଅଲଗା। ଆଉ ବର୍ତ୍ତମାନ ଆଚରଣ ବିଧି ଲାଗୁ ହୋଇଥିବାରୁ ଦଳ କିଛି କହିପାରିବ ନାହିଁ। ତେଣୁ ସେ ସମ୍ପର୍କରେ ସରକାରଙ୍କୁ ପଚାରନ୍ତୁ।”

ବିଭିନ୍ନ ଦଫାରେ ୨୦୧୩ ଏପ୍ରିଲରୁ ୧ରୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମୁଦାୟ ୪ ଥର ବଢ଼ିଛି ବିଧାନସଭା ସଚିବ ଅମୀୟ ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳ। ଅନ୍ୟପକ୍ଷରେ ଅମୀୟଙ୍କ କାର୍ଯ୍ୟକାଳ ବଢ଼ାଇବା ଲାଗି ବିଧାନସଭା ଚାକିରି ନିୟମରେ ପରିବର୍ତ୍ତନ କରାଯାଇଥିବା ଓ ଖାଲିପଡ଼ିଥିବା ବିଧାନସଭାରେ ଯୁଗ୍ମ ସଚିବ, ଉପ ଶାସନ ସଚିବ ଓ ଅତିରିକ୍ତ ସଚିବ ଭଳି ୫ଟି ପଦବୀକୁ ଜାଣିଶୁଣି ପୂରଣ କରାଯାଉନଥିବା ଅଭିଯୋଗ ହୋଇଛି। ଏହାସତ୍ତ୍ୱେ ମଧ୍ୟ ତାଙ୍କ କାର୍ଯ୍ୟକାଳ ପୁଣି ବଢ଼ାଇବା ଲାଗି ସୁପାରିସ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତେବେ ଏସବୁ ଅଭିଯୋଗ ସଂପର୍କରେ ସେ ଏବେ କିଛି କହିବେ ନାହିଁ ବୋଲି ଅମୀୟ ଷଡ଼ଙ୍ଗୀ କହିଛନ୍ତି।

Related story