କୋଭିଡ୍ ଚିକିତ୍ସା ପାଇଁ ସଂରକ୍ଷିତ ରହିବ ଘରୋଇ ହସ୍ପିଟାଲର ୫୦% ବେଡ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମିତ ମାମଲା ବୃଦ୍ଧି ପାଇବାପରେ ରାଜ୍ୟ ସରକାର ୩୦ଟି ବେଡ୍ ଅବା ତା’ଠୁ ଅଧିକ କ୍ଷମତା ବିଶିଷ୍ଟ ଘରୋଇ ହସ୍ପିଟାଲର ୫୦ ପ୍ରତିଶତ ଜେନେରାଲ ବେଡ୍ ଓ ଆଇସିୟୁ ବେଡକୁ କୋଭିଡ୍ ଚିକିତ୍ସା ନିମନ୍ତେ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ରୋଗୀଙ୍କଠୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ଚିକିତ୍ସା କରିବା ପାଇଁ ପରାମର୍ଶ ଦିଆଯାଇଛି ।ଯେଉଁ ଘରୋଇ ହସ୍ପିଟାଲଗୁଡ଼ିକ ରୋଗୀଙ୍କଠୁ ଅଧିକ ଫି’ ଆଦାୟ କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ […]

Covid-Hospital

Ordigital Desk
  • Published: Thursday, 22 April 2021
  • , Updated: 22 April 2021, 11:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମିତ ମାମଲା ବୃଦ୍ଧି ପାଇବାପରେ ରାଜ୍ୟ ସରକାର ୩୦ଟି ବେଡ୍ ଅବା ତା’ଠୁ ଅଧିକ କ୍ଷମତା ବିଶିଷ୍ଟ ଘରୋଇ ହସ୍ପିଟାଲର ୫୦ ପ୍ରତିଶତ ଜେନେରାଲ ବେଡ୍ ଓ ଆଇସିୟୁ ବେଡକୁ କୋଭିଡ୍ ଚିକିତ୍ସା ନିମନ୍ତେ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ରୋଗୀଙ୍କଠୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ଚିକିତ୍ସା କରିବା ପାଇଁ ପରାମର୍ଶ ଦିଆଯାଇଛି ।ଯେଉଁ ଘରୋଇ ହସ୍ପିଟାଲଗୁଡ଼ିକ ରୋଗୀଙ୍କଠୁ ଅଧିକ ଫି’ ଆଦାୟ କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲଟି କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି କହିଛନ୍ତି ଯେ, ଘରୋଇ ହସ୍ପିଟାଲଗୁଡ଼ିକ ଅଣକୋଭିଡ୍ ରୋଗୀଙ୍କ ଚିକିତ୍ସା କରୁଛନ୍ତି। କିନ୍ତୁ କୌଣସି ରୋଗୀ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଲେ ସେମାନେ ତୁରନ୍ତ ତାଙ୍କୁ ସରକାରୀ କୋଭିଡ୍ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରିଦେଉଛନ୍ତି। କୋଭିଡ୍ ବେଡ୍ ନାହିଁ ଦର୍ଶାଇ ଘରୋଇ ହସ୍ପିଟାଲଗୁଡ଼ିକ କୋଭିଡ୍ ରୋଗୀଙ୍କ ଚିକିତ୍ସା ମଧ୍ୟ କରୁନଥିବା ଦେଖିବାକୁ ମିଳୁଛି। ଅଧିକାଂଶ ଘରୋଇ ହସ୍ପିଟାଲ ନିଜର ସ୍ୱଳ୍ପ ସଂଖ୍ୟକ ବେଡକୁ କୋଭିଡ୍ ରୋଗୀଙ୍କ ପାଇଁ ରଖି ବାକି ବେଡ୍ ସବୁ ଅଣକୋଭିଡ୍ ରୋଗୀଙ୍କ ନିମନ୍ତେ ଉଦ୍ଦିଷ୍ଟ କରିଛନ୍ତି। ଯାହାଫଳରେ ସରକାରୀ କୋଭିଡ୍ ହସ୍ପିଟାଲଗୁଡ଼ିକ ଉପରେ ଚାପ ବୃଦ୍ଧି ପାଉଛି।

ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଘରୋଇ ହସ୍ପିଟାଲଗୁଡ଼ିକ ନିମନ୍ତେ ନିୟମ ଜାରି କରିଛନ୍ତି । ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ-୧୯୯୦ର ଅନ୍ତର୍ଗତ ୩୦ଟି ବେଡ୍ ବା ତା’ଠୁ ଅଧିକ ବେଡ୍ କ୍ଷମତା ବିଶିଷ୍ଟ ଯେଉଁ ଘରୋଇ ହସ୍ପିଟାଲ ପଞ୍ଜିକୃତ ହୋଇଛନ୍ତି ସେମାନେ ନିଜର ମୋଟ୍ ବେଡ୍ କ୍ଷମତାର ୫୦ ପ୍ରତିଶତ ବେଡକୁ କୋଭିଡ୍ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବେ। ସେହିପରି ଆଇସିୟୁର ୫୦ ପ୍ରତିଶତ ମଧ୍ୟ କୋଭିଡ୍ ରୋଗୀଙ୍କ ନିମନ୍ତେ ଉଦ୍ଦିଷ୍ଟ ରହିବ। ସେମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କୋଭିଡ୍ ଚିକିତ୍ସା ଗାଇଡଲାଇନ ପାଳନ କରିବେ। ଯଦି ଆବଶ୍ୟକ ପଡ଼େ ଘରୋଇ ହସ୍ପିଟାଲଗୁଡ଼ିକ ନିଜର ୧୦୦ ପ୍ରତିଶତ ବେଡ୍ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଉପଲବ୍ଧ କରାଇବେ।

ସେହିପରି ଘରୋଇ ଡାକ୍ତରଖାନାଗୁଡ଼ିକରେ କୋଭିଡ୍ ଚିକିତ୍ସା ପାଇଁ ଗତବର୍ଷ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଦର ଚଳିତବର୍ଷ ମଧ୍ୟ ସମାନ ରହିବ। ସାଧାରଣ ବେଡ୍ ପାଇଁ ୧୨୦୦ରୁ ୩ହଜାର ଟଙ୍କା ହୋଇଥିବାବେଳେ ରୋଗୀଙ୍କ ପରାମର୍ଶ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଅତିରିକ୍ତ ୧୭୫୦ଟଙ୍କା ରହିଛି। ସେହିପରି ଆଇସିୟୁ ନିମନ୍ତେ ଦୈନିକ ୧୦ହଜାର ଓ ଭେଣ୍ଟିଲେଟରଯୁକ୍ତ ଆଇସିୟୁ ପାଇଁ ଦୈନିକ ୧୩ହଜାର ଟଙ୍କା ଦେବାକୁ ପଡ଼ିବ। ଏହି ଟଙ୍କା ମଧ୍ୟରେ ରୋଗୀଙ୍କ ଦୈନିକ ଔଷଧ, ଡାକ୍ତରୀ ପରାମର୍ଶ, ଖାଦ୍ୟ ଓ ପୋଷାକ ଆଦି ରହିଛି।

ଘରୋଇ ହସ୍ପିଟାଲଗୁଡ଼ିକ ମଧ୍ୟ ହେଲପ ଡେସ୍କ ସ୍ଥାପନ କରି ରୋଗୀଙ୍କ ସମ୍ପର୍କୀୟଙ୍କୁ ସେମାନଙ୍କ ରୋଗୀଙ୍କ ସମ୍ପର୍କରେ ନିୟମିତ ଆବଶ୍ୟକ ସୂଚନା ଦେବେ । ସମସ୍ତ ରୋଗୀଙ୍କ ସମ୍ପର୍କିତ ତଥ୍ୟକୁ ମଧ୍ୟ ସରକାରଙ୍କ କୋଭିଡ୍ ପୋର୍ଟାଲରେ ଅପଲୋଡ୍ କରିବା ସହ ସୋସିଆଲ ମିଡିଆ ଗ୍ରୁପରେ ଦେବାକୁ ପରାମର୍ଶ ଦିଆଯାଇଛି।

Related story